ଭୁବନେଶ୍ୱର:ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସହ ଯୋଡ଼ି ହୋଇଛି ମୁମ୍ବାଇ । ମାର୍ଚ୍ଚ ୧ ତାରିଖରୁ ମୁମ୍ବାଇ ସହ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଛି । ପ୍ରଥମେ ଦିଲ୍ଲୀ, କୋଲକାତା, ଭୁବନେଶ୍ୱର, ହାଇଦ୍ରାବାଦ ଓ ରାୟପୁରକୁ ବିମାନ ଚଳାଚଳ ହୋଇଥିଲା । କୋଭିଡ ପରେ ଏଥିରେ କିଛି ବ୍ୟତିକ୍ରମ ଘଟିଥିଲା । ମାତ୍ର ପରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ପୁଣି ଡେଣା ମେଲେଇଥିଲା । ଏବେ ଝାରସୁଗୁଡାରୁ ଭୁବନେଶ୍ୱର, କଲିକତା, ଦିଲ୍ଲୀ, ହାଇଦ୍ରାବାଦ, ରାୟପୁର, ଲକ୍ଷ୍ନୌ, ବାଙ୍ଗାଲୁରୁ ସିଧାସଳଖ ବିମାନସେବା ଜାରି ରହିଥିବାବେଳେ ଏଥିରେ ଯୋଡ଼ି ହୋଇଛି ମୁମ୍ବାଇ ।
ଝାରସୁଗୁଡା ଏକ ବାଣିଜ୍ୟକ କ୍ଷେତ୍ର ହୋଇଥିବାରୁ ସମଗ୍ର ପଶ୍ଚିମ ଓଡିଶାକୁ ବରଦାନ ସଦୃଶ ହୋଇଛି ଏହି ବିମାନବନ୍ଦର । ବଡ଼ ଶିଳ୍ପପତିମାନେ ଏଠାକୁ ଆସୁଛନ୍ତି । ସେହିପରି ବଡ଼ ସହରର ସହିତ ଯୋଗାଯୋଗ କରାଯାଇଥିବାରୁ ଏହାର ଲାଭ ଛାତ୍ରଛାତ୍ରୀ ଏବଂ ମଲ୍ଟିନେସନାଲ୍ କମ୍ପାନୀରେ ଚାକି କରୁଥିବା ଯୁବକଯୁବତୀମାନେ ବି ଫାଇଦା ଉଠାଉଛନ୍ତି । ସେହିପରି ୨୦୨୪ ନିର୍ବାଚନରେ ବି ରାଜନେତାଙ୍କ ପାଇଁ ଏହା ଖୁବ୍ ଲାଭଦାୟକ ହୋଇଥିଲା । ୨୦୧୭ରେ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ପ୍ରତିଷ୍ଠା ହୋଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ମେଟ୍ରୋ ସହ ଏହା ଯୋଡ଼ି ହୋଇଛି । ତେବେ ଆଗାମୀ ଦିନରେ ଏହି ବିମାନ ବନ୍ଦରକୁ ଅନ୍ତର୍ଜାତୀୟ ବିମାନ ବନ୍ଦର ରୂପେ ପରିଗଣିତ କରାଗଲେ ପଶ୍ଚିମ ଓଡ଼ିଶା ତଥା ସୀମାନ୍ତବର୍ତ୍ତୀ ରାଜ୍ୟର ଯାତ୍ରୀମାନେ ଉପକୃତ ହେବେ ।
Comments are closed.