Latest Odisha News

ଭୁବନେଶ୍ୱରରୁ ବାରଣାସୀକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏକ ବିମାନ ୪୦ ଯାତ୍ରୀଙ୍କୁ ନେଇ ଶୁକ୍ରବାର ଦିନ ବାରଣାସୀକୁ ଉଡାଣ ଭରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଆଡମିନିଷ୍ଟ୍ରେଟିଭ୍ ପ୍ରକ୍ରିୟାରେ କୌଣସି କାରଣବଶତଃ ବିଳମ୍ବ ଯୋଗୁଁ ଝାରସୁଗୁଡାର ବୀର ସୁରେନ୍ଦ୍ର ସାଏ ଏୟାର ପୋର୍ଟରୁ ଏହି ଉଡାଣ ଆରମ୍ଭ ହୋଇପାରିଲା ନାହିଁ ।

ଝାରସୁଗୁଡା ଏୟାରପୋର୍ଟରୁ ବିମାନ ଉଡାଣ ରଦ୍ଦ କରାଯାଉଛି ବୋଲି ଗତ ଗୁରୁବାର ଦିନ ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ୍ ସୂଚନା ଦେଇଥିଲେ । ଏହାଫଳରେ ଯେଉଁ ଯାତ୍ରୀମାନେ ଝାରସୁଗୁଡାରୁ ଟିକେଟ୍ ବୁକିଂ କରିଥିଲେ ସେମାନଙ୍କ ମଧ୍ୟରେ ନିରାଶା ଦେଖାଦେଇଛି ।

ଏହି ଫ୍ଲାଇଟ୍ ୧୪.୦୪ ସମୟରେ ବାରଣାସୀରେ ପହଞ୍ଚିବ । ଯାହା ପରବର୍ତ୍ତୀ ମସୟରେ ୧୪.୩୦ରୁ ବାହାରି ଭୁବନେଶ୍ୱରରେ ୧୬.୨୦ରେ ପହଞ୍ଚିବ ।

ଏୟାର ଇଣ୍ଡିଆର ସହାୟକ କମ୍ପାନୀ ଆଲିଏନ୍ସ ଏୟାର ଦ୍ୱାରା ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଦେଇ ଝାରସୁଗୁଡାରୁ ବାରଣାସୀକୁ ବିମାନ ଉଡାଣ କରିବ । ଭୁବନେଶ୍ୱର-ବାରଣାସୀ ବିମାନ ଉଡାଣ ଭଡା ପ୍ରାୟ ୩,୪୭୧ ଟଙ୍କା ରହିଥିବା ନେଇ ସୁତ୍ରରୁ ପ୍ରକାଶ ।

ଏହି ଦୁଇଟି ସ୍ଥାନ ମଧ୍ୟରେ ସିଧାସଳଖ ବିମାନ ଉଡାଣ ଯୋଗୁଁ ଯାତ୍ରା ସମୟ ବହୁତ କମିଯିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.