Latest Odisha News

BREAKING NEWS

ଏପ୍ରିଲ୍ ୧୪ରୁ କିଟରେ ଦୁଇ ଦିନିଆ ୱାଇ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟ ସମ୍ମାନଜନକ ୟୁଥ-୨୦ କନ୍‍ସଲଟେଟିଭ୍‍ ସମ୍ମିଳନୀ ଏପ୍ରିଲ୍ ୧୪ ଓ ୧୫ ତାରିଖ ଦୁଇ ଦିନ ଧରି ଆୟୋଜନ କରୁଛି । ଏହି ସମ୍ମିଳନୀ ଜି-୨୦ ଶିଖର ସମ୍ମିଳନୀର ସାମଗ୍ରିକ ଢାଞ୍ଚାରେ ଅନ୍ତର୍ଭୁକ୍ତ । ଏହି ଦୁଇ ଦିନିଆ ସମ୍ମିଳନୀରେ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱ ଯୋଗ ଦେଉଥିବା ବେଳେ ଭାରତୀୟ ସାଂସଦ ଓ ମନ୍ତ୍ରୀଙ୍କ ସମେତ ୫୦ରୁ ଊର୍ଦ୍ଧ୍ୱ ଜାତୀୟସ୍ତରର ବକ୍ତା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ଚଳିତବର୍ଷ ଭାରତ ଜି-୨୦ ଶିଖର ସମ୍ମିଳନୀ ଆୟୋଜନ କରୁଛି । ଜି-୨୦ ଦେଶଗୁଡ଼ିକର ବିଭିନ୍ନ ସମସ୍ୟା ଚିହ୍ନଟ, ଆଲୋଚନା ଏବଂ ଜି-୨୦ ଶିଖର ସମ୍ମିଳନୀରେ ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ଏକ ଢାଞ୍ଚା ପ୍ରସ୍ତୁତି କରିବା ଦିଗରେ ଯୁବବର୍ଗଙ୍କୁ ସଶକ୍ତ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ । ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଣଳୟ ପକ୍ଷରୁ ୟୁଥ-୨୦ ସମ୍ମିଳନୀ ଆୟୋଜନ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।

ୟୁଥ-୨୦ର ବିଭିନ୍ନ କାର୍ଯ୍ୟକ୍ରମରେ କିଟ୍‍ ବିଶ୍ୱବିଦ୍ୟାଳୟ ଦେଶର ୨ ଶହରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ୧୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ କରିବ । ଏହି କାର୍ଯ୍ୟକ୍ରମର ନିଷ୍କର୍ସ ୟୁଥ-୨୦ ସମ୍ମିଳନୀରେ ବିନିମୟ କରାଯିବ । ୟୁଥ-୨୦ର ବିଷୟବସ୍ତୁ ରହିଛି- ‘ଯୁବସମାଜ ଗଠନ: ହାନିକାରକ ପ୍ରଯୁକ୍ତି ବିଦ୍ୟା ଜରିଆରେ ଏକ ସ୍ଥାୟୀ, ସ୍ଥିର ଓ ଶାନ୍ତି-କାମୀ କର୍ମଜୀବି ଯୁବସମାଜର ସଂରଚନା’।

ଏହି ସମ୍ମିଳନୀରେ ୬ଟି ପ୍ୟାନେଲ୍‍ ଆଲୋଚନା ହେବାକୁ ଥିବାବେଳେ ବିଶ୍ୱର ବିଭିନ୍ନ କ୍ଷେତ୍ରରୁ ୪୮ଜଣ ଯୁବ ପ୍ରତିଭା ଏଥିରେ ବକ୍ତା ଭାବେ ଯୋଗଦେବେ । ସୂଚନାଯୋଗ୍ୟ, ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍‍ ଭାରତର ଶ୍ରେଷ୍ଠ ବହୁମୁଖୀ ଶିକ୍ଷାନୁଷ୍ଠାନ ମଧ୍ୟରେ ଅନ୍ୟତମ । ଏଠାରେ ଦେଶ ଓ ବିଦେଶର ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ବୈଷୟିକ ଓ ବୃତ୍ତିଗତ ଶିକ୍ଷାଲାଭ କରୁଛନ୍ତି ।

ଏଭଳି ଏକ ସମ୍ମାନଜନକ ସମ୍ମିଳନୀ ଆୟୋଜନ କରିବା କିଟ୍‍ ପାଇଁ ଗୌରବର ବିଷୟ ହୋଇଥିବା ବେଳେ ଏହି ସମ୍ମିଳନୀ ଦ୍ୱାରା କିଟ୍‍ ଛାତ୍ରଛାତ୍ରୀଙ୍କ ସମେତ ଓଡ଼ିଶାର ଯୁବଗୋଷ୍ଠୀ ଉପକୃତ ହୋଇପାରିବେ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହା ସହିତ ଅପ୍ରେଲ ୨୨ ଓ ୨୩ ତାରିଖ ଦୁଇ ଦିନ ଧରି କିଟ୍‍ ପକ୍ଷରୁ ସିଭିଲ୍‍-୨୦ ଆୟୋଜନ କରାଯାଉଥିବା ଶ୍ରୀ ସାମନ୍ତ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.