ବ୍ରହ୍ମପୁର: ରାଜ୍ୟରେ ଅସୁରକ୍ଷିତ ବନ୍ୟଜନ୍ତୁ। ବିଶେଷ କରି ଜଙ୍ଗଲରେ ସୁରକ୍ଷିତ ନାହାଁନ୍ତି କଲରାପତରିଆ ବାଘ। କାରଣ ଜୋରଦାର ଚଲିଛି ବାଘ ଚମଡ଼ା ଚୋରାଚାଲାଣ। ଏହା ପଛରେ ବଡ଼ ରାକେଟ୍ ରହିଥିବା ସନ୍ଦେହ କରାଯାଉଛି। ଗଞ୍ଜାମ ଜିଲ୍ଲା ଜରଡ଼ାରେ କଲରାପତରିଆ ବାଘ ଚମଡ଼ା ଚୋରାଚାଲାଣ ହେଉଛି। ଏହି ମାମଲାରେ ତଦନ୍ତ କରିବ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ । କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ସେଲକୁ ତଦନ୍ତ ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି ବ୍ରହ୍ମପୁର ଏସପି । ଏନେଇ ସିଆଇଡି କ୍ରାଇମବ୍ରାଞ୍ଚ ଡିଜିଙ୍କୁ ଚିଠି ଲେଖି ଜଣାଛନ୍ତି ।
ଗତ ୬ ତାରିଖରେ ତୁମ୍ବା ଫାଣ୍ଡି ବୁରାତାଲ ଜଙ୍ଗଲରେ କଲରାପତରିଆ ବାଘ ଚମଡ଼ା କାରବାର ହେଉଥିବା ଗୁପ୍ତ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା। ଜଙ୍ଗଲରୁ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇଟି ବସ୍ତା ଜବତ କରିଥିଲା ପୋଲିସ। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି କଲରାପତରିଆ ବାଘର ଚମଡ଼ା, ଦୁଇଟି ଜୀବନ୍ତ ହାତବୋମା ଓ ଗୋଟିଏ ଖଣ୍ଡା ଜବତ ହୋଇଥିଲା। କଲରାପତରିଆ ବାଘ ଭଳି ସଂରକ୍ଷିତ ବନ୍ୟଜନ୍ତୁର ଅବୈଧ ବ୍ୟବସାୟ, ବିସ୍ଫୋରକ ଓ ଅସ୍ତ୍ରର ବ୍ୟବହାର ଓ ସମ୍ଭାବ୍ୟ ଆନ୍ତଃଜିଲ୍ଲା ଚୋରାଚାଲାଣ ନେଟୱାର୍କର ଲିଙ୍କକୁ ଦୃଷ୍ଟିରେ ରଖି ମାମଲାକୁ କ୍ରାଇମବ୍ରାଞ୍ଚର ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’କୁ ହସ୍ତାନ୍ତର କରିବା ପାଇଁ ଅନୁରୋଧ କରାଯାଇଛି।
ବନ୍ୟଜନ୍ତୁ ଚୋରାଚାଲାଣ ଓ ଶିକାର ପଛରେ ବଡ଼ ରାକେଟ୍ କାମ କରୁଥିବା ସନ୍ଦେହ ହେଉଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ତଦନ୍ତ ଦାୟିତ୍ୱ ‘ୱାଇଲ୍ଡ ଲାଇଫ୍ କ୍ରାଇମ ସେଲ୍’ ହାତକୁ ଗଲେ ଚୋରାଚାଲାଣ ନେଟୱାର୍କର ଅନ୍ୟ ସଦସ୍ୟ, କ୍ରେତା, ମଧ୍ୟସ୍ଥ ଓ ଆର୍ଥିକ କାରବାରର ଗୁପ୍ତ ଲିଙ୍କ୍ ଗୁଡ଼ିକ ଉପରୁ ମଧ୍ୟ ପରଦା ଉଠିବ । ବନ୍ୟଜନ୍ତୁ ଅପରାଧ ବିରୋଧୀ ଅଭିଯାନରେ ତଦନ୍ତ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଆଣିପାରେ ବୋଲି ବନ ବିଭାଗ ଓ ତଦନ୍ତକାରୀ ସଂସ୍ଥା ଆଶା ରଖିଛନ୍ତି ।
