Latest Odisha News

BREAKING NEWS

Gold Mine: ଭାରତରେ ମିଳିଲା ବଡ଼ ସୁନାଖଣି

ଜୟପୁର: ଭାରତକୁ କୁହାଯାଏ ସୁନାର ଦେଶ । କାହିଁକି ନା ଆମ ଦେଶର ମାଟିତଳେ ଅନେକ ସମ୍ପତ୍ତି ରହିଛି । ସେଥିପାଇଁ ଭାରତକୁ ମୋଗଲ ଓ ଇଂରେଜମାନେ ବାରମ୍ବାର ଆକ୍ରମଣ କରି ସୁନା ଗହଣା ଲୁଟ କରି ନେଉଥିଲେ । ବର୍ତ୍ତମାନ ସମୟରେ ବି ଭାରତରେ ବହୁତ ମାତ୍ରାରେ ଭୂ ସମ୍ପତ୍ତି ରହିଛି । ଏବେ ଭାରତରେ ବଡ ସୁନାଖଣି ଠାବ ହୋଇଛି । ରାଜସ୍ତାନର ଆଦିବାସୀ ବହୁଳ ଜିଲ୍ଲା ବାଂସୱାଡାରେ ଲଗାତର ତୃତୀୟ ବର୍ଷ ପାଇଁ ଗୋଲ୍ଡ ମାଇନର ଆବିସ୍କାର ହୋଇଛି ।

ଭୂତାତ୍ତ୍ୱିକ ସର୍ବେକ୍ଷଣ ଜିଏସଆଇ ଦ୍ୱାରା କରାଯାଇଥିବା ତଦନ୍ତରେ କାଙ୍କରିଆ ଅଞ୍ଚଳରେ ସୁନା ଖଣି ଠାବ ହୋଇଛି । ଚାରୋଟି ଗାଁକୁ ଘେରି ରହିଥିବା ୩ କିଲୋମିଟର ଅଞ୍ଚଳରେ ପ୍ରାୟ ୧.୨୦ ଟନ ସୁନା ଆକଳନ କରାଯାଇଛି । କେବଳ ସୁନା ନୁହେଁ ତମ୍ବା, କୋବାଲ୍ଟ ଏବଂ ଅନ୍ୟାନ୍ୟ ବସ୍ତୁ ଗଚ୍ଛିତ ଥିବା ସୂଚନା ମିଳିଛି । ଜିଏସଆଇର ତଦନ୍ତ ପରେ ସରକାର ଏବେ ଏହି ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ସର୍ବାଧିକ ବିଡରଙ୍କୁ କ୍ଷେତ୍ର ସର୍ଭେ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।

କାଙ୍କରିଆ, ଡେଲୱାରା ରାବଣା, ଡେଲୱାରା ଏବଂ ଡୁଙ୍ଗରିଆପଡାରେ ତଦନ୍ତ କରାଯିବ ବୋଲି କୁହାଯାଇଛି । ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ଭେ କାମ ସମାପ୍ତ ହେବ ବୋଲି ଆଶା କରାଯାଉଛି । ଜିଏସଆଇ ଦ୍ୱାରା ପ୍ରାରମ୍ଭିକ ତଦନ୍ତରେ ୧.୨୦ ଟନ ସୁନା, ହଜାରେ ଟନ ତମ୍ବା ଏବଂ କୋବାଲ୍ଟ ଥିବା ଅନୁମାନ କରାଯାଉଛି ।

ଆଗରୁ ଭଉକିଆ ଏବଂ ଜଗପୁରା ଅଞ୍ଚଳରେ ୧୧୪.୮ ନିୟୁତ ଟନ ସୁନା ଖଣି ଆବିଷ୍କାର ହୋଇଥିଲା । ତଥାପି ସେଠାରେ କାମ ଆରମ୍ଭ ହୋଇନାହିଁ । ରାଜସ୍ତାନକୁ ଦେଶର ୨୫ ପ୍ରତିଶତରୁ ଅଧିକ ସୁନା ଅଂଶ ଦେବ । ବର୍ତ୍ତମାନ କର୍ଣ୍ଣାଟକର ହୁଟି ଏବଂ କୋଲାର ଖଣିରୁ ସୁନା ଖନନ କରାଯାଉଛି । ରାଜସ୍ତାନରେ ସୁନା ଖଣି ବାହାରିବା ପରେ ସେଠାରେ ନିଯୁକ୍ତି ସୁଯୋଗ ଅଧିକ ରହିବ ବୋଲି ଆଶା କରାଯାଉଛି ।

Comments are closed.