ପାଟଣା: ସମ୍ରାଟ ଚୌଧୁରୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ସକାଳେ ପାଟନାର ଲୋକଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ସେ ଶପଥ ଗ୍ରହଣ କରିଛନ୍ତି। ବିହାର ଇତିହାସରେ ଏହା ପ୍ରଥମ ଥର ଯେ ଭାରତୀୟ ଜନତା ପାର୍ଟି (ବିଜେପି)ର ଜଣେ ନେତା ମୁଖ୍ୟମନ୍ତ୍ରୀ ପଦରେ ବସିଛନ୍ତି। ସୋମବାର ଜନତା ଦଳ ୟୁନାଇଟେଡ୍ ମୁଖ୍ୟ ନୀତିଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସମ୍ରାଟ ଚୌଧୁରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରି ସେ ବିହାରର ଏକ ଉନ୍ନତ ଭବିଷ୍ୟତ ପାଇଁ ଆଶା ପ୍ରକାଶ କରିଛନ୍ତି।
ସମ୍ରାଟ ଚୌଧୁରୀଙ୍କ ସମେତ କେବଳ ୩ ଜଣ ଆଜି ଶପଥ ଗ୍ରହଣ କରିଛନ୍ତି । ବାକି ମନ୍ତ୍ରୀମାନେ ପରେ ଶପଥ ଗ୍ରହଣ କରିବେ। ପାଟନା ଲୋକଭବନରେ ଅନୁଷ୍ଠିତ ହୋଇଥିବା ଶପଥଗ୍ରହଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ବିହାର ବିଜେପିର ବରିଷ୍ଠ ନେତା ଏବଂ ଏନଡିଏର ସମସ୍ତ ବରିଷ୍ଠ ନେତା ମଧ୍ୟ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି।
ସମ୍ରାଟ ଚୌଧୁରୀ ବିହାରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ । ସମ୍ରାଟ ଏକଦା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଅତ୍ୟନ୍ତ ଅନୁଗତ ଥିଲେ। ୨୦୧୭ରେ ସେ ଆରଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ। ୨୦୧୭ରେ ବିଜେପିରେ ଯୋଗ ଦେବାର ମାତ୍ର ୯ବର୍ଷ ମଧ୍ୟରେ ସେ ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ୨୦୧୮ରେ ସେ ବିଜେପି ରାଜ୍ୟ ଉପସଭାପତି, ୨୦୨୩ରେ ରାଜ୍ୟ ସଭାପତି ହୋଇଥିଲେ। ଜେଡିୟୁ ସଭାପତି ନୀତୀଶ କୁମାର ଗତକାଲି ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ନୀତୀଶଙ୍କ ଇସ୍ତଫା ପରେ ଅନୁଷ୍ଠିତ ଏନ୍ଡିଏ ବିଧାୟକ ଦଳ ବୈଠକରେ ବିଜେପି ନେତା ସମ୍ରାଟ ଚୌଧୁରୀଙ୍କୁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୟନ କରାଯାଇଥିଲା।