Latest Odisha News

BREAKING NEWS

Bihar polls: ଆଜି ସିଟ୍ ସେୟାରିଂ ନେଇ ଘୋଷଣା କରିପାରେ ଏନଡିଏ, ପ୍ରାର୍ଥୀଙ୍କ ନାଁ ନେଇ ବି ହେବ ମନ୍ଥନ…

ନୂଆଦିଲ୍ଲୀ: ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଏନଡିଏରେ ଥିବା ପ୍ରତ୍ୟେକ ଦଳକୁ କେତେ ଆସନ ଦିଆଯିବ ସେ ସମ୍ପର୍କରେ ଆଜି ଘୋଷଣା କରାଯାଇପାରେ। ଆସନ ବଣ୍ଟନ ଉପରେ ସହମତି ହୋଇଛି। ବିଜେପି ନିର୍ବାଚନ କମିଟି ଏବଂ ସଂସଦୀୟ ବୋର୍ଡ ମଧ୍ୟ ଆଜି ବୈଠକ କରୁଛନ୍ତି। ପ୍ରାର୍ଥୀଙ୍କ ନାମ ଆଲୋଚନା ହେବ। ଆଜି ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦିଲ୍ଲୀରେ ବୈଠକ ପରେ, ସନ୍ଧ୍ୟା ୫ଟାରେ ବିଜେପି ସଂସଦୀୟ ବୋର୍ଡ ବୈଠକରେ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ କରାଯିବ। ମିଳିଥିବା ସୂଚନା ଅନୁସାରେ, ଏହି ବୈଠକ ପରେ ବିଜେପି ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶିତ କରିପାରେ।

ଅପରପକ୍ଷେ ଏବେ ରାହୁଲ ଗାନ୍ଧୀ ଏବଂ ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଦିଲ୍ଲୀରେ ଏକ ସ୍ୱତନ୍ତ୍ର ବୈଠକ ହେବାର କାର୍ଯ୍ୟକ୍ରମ ରହିଛି।

ତେଜସ୍ୱୀ ଯାଦବ ଆଜି ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ ସାକ୍ଷାତ କରି ଆସନ ବଣ୍ଟନ ଉପରେ ଆଲୋଚନା କରିବେ। ମହାଗଠବନ୍ଧନ ମଧ୍ୟରେ ଆସନ ବଣ୍ଟନ ବ୍ୟବସ୍ଥା ଅସମାପ୍ତ ରହିଛି। ଯାହାକୁ ନେଇ ମହାଗଠବନ୍ଧନ ମଧ୍ୟରେ ଆସନ ପାଇଁ ଟଣାଓଟରା ଜାରି ରହିଛି। ମାମଲା ଜଟିଳ ହେବା ପରେ, ଆଜି ଆରଜେଡି ନେତା ତେଜସ୍ୱୀ ଯାଦବ ଏବଂ ରାହୁଲ ଗାନ୍ଧୀ ଦିଲ୍ଲୀରେ ସାକ୍ଷାତ କରିବେ। ଦୁଇ ନେତାଙ୍କ ମଧ୍ୟରେ ଏହି ବୈଠକ ସକାଳ ୧୦ଟାରେ ରାହୁଲ ଗାନ୍ଧୀଙ୍କ ବାସଭବନ, ୧୦ ରାଜାଜୀ ମାର୍ଗରେ ଦୁହେଁ ଆଲୋଚନା କରୁଥିବା ସୂଚନା ମିଳିଛି ।

ଏନେଇ ଜେଡିୟୁ ନେତା ରାଜୀବ ରଞ୍ଜନ ପ୍ରସାଦ କହିଛନ୍ତି, “ଆରଜେଡିର ଆସନ ଯଥେଷ୍ଟ ହ୍ରାସ ପାଇବ। ଆରଜେଡି ୨୦୧୦ ଠାରୁ ଖରାପ ପରିସ୍ଥିତି ପାଇଁ ମାନସିକ ଭାବରେ ପ୍ରସ୍ତୁତ ରହିବା ଉଚିତ। ଜନସାଧାରଣ ପୂର୍ବରୁ ମନ ସ୍ଥିର କରିସାରିଛନ୍ତି ଯେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ଏକ ବଡ଼ ବିଜୟ ଆଡ଼କୁ ଯାଉଛି। ଆମେ ଏକାଠି ଲଢ଼ିବୁ, ଏବଂ ଏହା ନିଶ୍ଚିତ ଯେ ନୀତିଶ କୁମାରଙ୍କ ନେତୃତ୍ୱରେ ସରକାର ଗଠନ ହେବ।”

ସେପଟେ ପ୍ରଶାନ୍ତ କିଶୋର ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ କଡା ନିଶାନା ସାଧିଛନ୍ତି । ଜନ ସୂରଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିହାରର ରାଘୋପୁର ବିଧାନସଭା ନିର୍ବାଚନମଣ୍ଡଳୀର ତେଜସ୍ୱୀ ଯାଦବଙ୍କ ବିଷୟରେ କହିଛନ୍ତି, “ଯଦି ଆମେ ସେମାନଙ୍କୁ ବିଶ୍ୱାସ କରୁ, ତେବେ ସେମାନେ (ଆରଜେଡି) ଅଠର ବର୍ଷରେ ୪-୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି। ଏବେ ସେମାନେ ଆଗାମୀ ଦୁଇ ବର୍ଷରେ ୩ କୋଟି ନିଯୁକ୍ତି ସୃଷ୍ଟି କରିବା କଥା କହୁଛନ୍ତି। ଏହାର ଅର୍ଥ କେବଳ ଗୋଟିଏ: ତୁମେ ମୂର୍ଖ କିମ୍ବା ସମସ୍ତଙ୍କୁ ମୂର୍ଖ କରିବାକୁ ଚେଷ୍ଟା କରୁଛ।”

ପୂର୍ବରୁ ଏନଡିଏ ଆସନ ବଣ୍ଟନ ଘୋଷଣା ଏବଂ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବା ପୂର୍ବରୁ, ବିହାର ବିଜେପିର ପ୍ରଭାରୀ ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ବାସଭବନରେ ଶନିବାର ରାତିରେ ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୈଠକରେ ଯୋଗ ଦେଇଥିଲେ।

ଅନ୍ୟପଟେ ଇଣ୍ଡିଆନ୍ ଇନକ୍ଲୁସିଭ୍ ପାର୍ଟିର ଅଧ୍ୟକ୍ଷ ଆଇପି ଗୁପ୍ତା ତେଜସ୍ୱୀ ଯାଦବଙ୍କ ସହିତ ସାକ୍ଷାତ କରିବା ପରେ ମହାଗଠବନ୍ଧନରେ ଯୋଗଦେବା ଘୋଷଣା କରିଛନ୍ତି। ଏହି ସମୟରେ, ଓୱେସିଙ୍କ ଦଳ ୧୬ଟି ଜିଲ୍ଲାରେ ୩୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଘୋଷଣା କରି ମହାଗଠବନ୍ଧନ ଭିତରେ ଉତ୍ତେଜନା ବୃଦ୍ଧି କରିଛି।

Comments are closed.