ପାଟନା: ପ୍ରୋଟେଷ୍ଟରେ ମିଳିଗଲା ପ୍ରେମ! ଏକ ପ୍ରେମ କାହାଣୀ ଏମିତି ବି । ସାତ ଜନ୍ମ ପାଇଁ ବନ୍ଧନରେ ବାନ୍ଧି ଦେଲା ଦିଲ୍ଲୀ ପ୍ରୋଟେଷ୍ଟ । ମିଳିଗଲା ବିହାରୀ ବାବୁଙ୍କୁ ସ୍ତ୍ରୀ । ସ୍ଲୋଗାନ୍, ବ୍ୟାନର, ହଜାର ହଜାର ଛାତ୍ରଛାତ୍ରୀଙ୍କ ଭିଡ଼… ସମସ୍ତଙ୍କ ଦାବି ଥିଲା ନ୍ୟାୟ। କିନ୍ତୁ ସେହି ପ୍ରତିବାଦ ମଝିରେ ଜନ୍ମ ନେଉଥିଲା ଏକ ପ୍ରେମ କାହାଣୀ। ଯେଉଁ ଯୁବକ ବିହାରରୁ ଦିଲ୍ଲୀ ଆସିଥିଲେ ନିଟ୍ ପେପର ଲିକ୍ ବିରୋଧରେ ସ୍ୱର ଉଠାଇବାକୁ, ସେହି ଯୁବକ ଘରକୁ ଫେରିଥିଲେ ନିଜ ସ୍ତ୍ରୀଙ୍କ ହାତ ଧରି। ଏବେ ଏହି ଅନନ୍ୟ ପ୍ରେମ କାହାଣୀ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚାର ବିଷୟ ପାଲଟିଛି।
ଭାଇରାଲ ଭିଡିଓରେ ଯୁବକ ଜଣକ କହିଛନ୍ତି, ସେ କକ୍ରୋଚ୍ ଜନତା ପାର୍ଟି (CJP) ଡାକରାରେ ଜନ୍ତରମନ୍ତରରେ ଚାଲିଥିବା ନିଟ୍ ପେପର ଲିକ୍ ବିରୋଧୀ ଆନ୍ଦୋଳନରେ ଯୋଗ ଦେବାକୁ ବିହାରରୁ ଦିଲ୍ଲୀ ଆସିଥିଲେ। ପ୍ରାୟ ୧୫ ଦିନ ସେଠାରେ ରହିବା ସମୟରେ ଜଣେ ଯୁବତୀ ପ୍ରତିବାଦକାରୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା।
ଜୁଲାଇ ୨୦ରେ ସଂସଦ ଅଭିମୁଖେ ଛାତ୍ର ମାର୍ଚ୍ଚ ବେଳେ ପୋଲିସ କାର୍ଯ୍ୟାନୁଷ୍ଠାନରେ ଯୁବକ ଆହତ ହୋଇଥିବା ସେ କହିଛନ୍ତି । ଭିଡିଓରେ ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହା ହିଁ ତାଙ୍କ ଜୀବନ ବଦଳାଇ ଦେଇଛି । ସେହି ସମୟରେ ଯୁବତୀ ତାଙ୍କ ଯତ୍ନ ନେଉଥିଲେ, ଖାଇବା ଆଣି ଦେଉଥିଲେ ଓ ସବୁବେଳେ ପାଖରେ ରହୁଥିଲେ। ଆଉ ଏହି ସହଯୋଗରୁ ଆରମ୍ଭ ହୋଇଥିବା ସମ୍ପର୍କ ଧୀରେ ଧୀରେ ପ୍ରେମରେ ପରିଣତ ହୋଇଥିଲା।
ତା’ପରେ ଆଉ ଦୁହେଁ ବିଳମ୍ବ କରିନଥିଲେ। ଏକ ମନ୍ଦିରରେ ବିବାହ କରି ସାତ ଜନ୍ମର ସାଥୀ ହୋଇଗଲେ। ଭିଡିଓରେ ଯୁବକ ଏହା ବି କହିଛନ୍ତି, ତାଙ୍କ ସ୍ତ୍ରୀ କହିଥିଲେ ଯେ, “ମୁଁ ତୁମକୁ ବହୁତ ଭଲ ପାଏ, ତୁମ ବିନା ରହିପାରିବିନି।” ଯାହା ପରେ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ବିବାହ ପରେ ଦୁହେଁ ବିହାର ଫେରିଯାଇଛନ୍ତି ।
ଯାହା ଏବେ ଇଣ୍ଟରନେଟର ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଏହି ପ୍ରେମ କାହାଣୀକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ମଜାଦାର କମେଣ୍ଟର ବନ୍ୟା ଆସିଛି। କେହି ଲେଖିଛନ୍ତି, “ପ୍ରୋଟେଷ୍ଟ ନେ ବନା ଦି ଜୋଡ଼ି”, ଆଉ କେହି କହିଛନ୍ତି “ପ୍ରୋଟେଷ୍ଟ: ଏକ ପ୍ରେମ କଥା”। ଜଣେ ୟୁଜର ତ ମଜା କରି ଲେଖିଛନ୍ତି, “ଧର୍ମେନ୍ଦ୍ର ନେ ବନୱା ଦି ଜୋଡ଼ି!” ଆଉ ଜଣେ ତ କହିଛନ୍ତି, “ପ୍ରୋଟେଷ୍ଟର ରିଅଲ ବିଜେତା…ପ୍ରୋଟେଷ୍ଟ ବି ଜିତିଲା, ପ୍ରେମ ବି ମିଳିଗଲା।”