Book on President: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନଯାତ୍ରା ଏବେ ପୁସ୍ତକରେ, ‘ଆମ ରାଷ୍ଟ୍ରପତି: ଆମ ଗୌରବ’ ଉନ୍ମୋଚନ କଲେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ: ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ଜୀବନୀ ଉପରେ ପୁସ୍ତକ । ଉନ୍ମୋଚନ କଲେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ରପତି ଭାବେ ଚାରି ବର୍ଷର କାର୍ଯ୍ୟକାଳ ପୂର୍ତ୍ତି ଅବସରରେ ପ୍ରକାଶିତ ସଚିତ୍ର ସଂକଳନ ‘ଆମ ରାଷ୍ଟ୍ରପତି: ଆମ ଗୌରବ’ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି।
କଥାକାର ବିଜୟ ନାୟକଙ୍କ ସମ୍ପାଦନାରେ ଏବଂ ‘ଟାଇମପାସ’ ପ୍ରକାଶନ ସଂସ୍ଥା ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ କପି ଉନ୍ମୋଚନ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ସଂସଦୀୟ ବ୍ୟାପାର ରାଜ୍ୟମନ୍ତ୍ରୀ ଏଲ୍. ମୁରୁଗାନ୍ ଉପସ୍ଥିତ ଥିଲେ।
ପୁସ୍ତକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ, କାର୍ଯ୍ୟକାଳ ଓ ସାର୍ବଜନୀକ ଜୀବନର ବିଭିନ୍ନ ଦିଗ ଉପରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ପ୍ରବନ୍ଧ ସଂକଳିତ ହୋଇଛି। ଲେଖକମାନେ ନିଜ ନିଜ ଦୃଷ୍ଟିକୋଣରୁ ଆଲେଖ ପ୍ରସ୍ତୁତ କରିଛନ୍ତି।
ଏହି ସଂକଳନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ବାଚସ୍ପତି ସୁରମା ପାଢ଼ୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ରାଷ୍ଟ୍ରପତିଙ୍କ ଝିଅ ଇତିଶ୍ରୀ ମୁର୍ମୁଙ୍କ ସମେତ ଅନେକ ମାନ୍ୟଗଣ ବ୍ୟକ୍ତିଙ୍କ ପ୍ରବନ୍ଧ ସ୍ଥାନ ପାଇଛି। ପୁସ୍ତକଟି ବର୍ତ୍ତମାନ ଆମାଜନରେ ଉପଲବ୍ଧ ଅଛି ।