Latest Odisha News

ବିହାର ଝିଅକୁ ବିବାହ କରି ଠକି ଦେଲା ବାଲେଶ୍ବର ପୁଅ!

ସୋର: ବିହାରର ଝିଅକୁ ବାଲେଶ୍ୱର ଜିଲ୍ଲାର ପୁଅ ଠକି ଦେଇଥିବା ଅଭିଯୋଗ ହୋଇଛି। ହାଇଦ୍ରାବାଦରେ ବିବାହ କରିବା ପରେ ସୋର ଅଞ୍ଚଳର ଏହି ଯୁବକ ଠକି ଦେଇଥିବା ଅଭିଯୋଗ ହୋଇଛି। 22 ବର୍ଷୀୟା ଯୁବତୀ ଜଣକ ଏ ନେଇ ସୋର ଥାନାରେ ଏତଲା ଦେଇଛନ୍ତି।

ସେ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ସେ ହାଇଦ୍ରାବାଦର ଏକ ରେଷ୍ଟୁରାଣ୍ଟରେ କାମ କରୁଥିବା ବେଳେ ଗତ ବର୍ଷ ଯୁବକ ଜଣଙ୍କ ସେହି ହୋଟେଲରେ କର୍ମଚାରୀ ଭାବେ ଯୋଗ ଦେଇଥିଲେ। ଯୁବକ ଜଣଙ୍କ ସୋର ଥାନା ଅନ୍ତର୍ଗତ ସବିରା ଗ୍ରାମର ଅବିନାଶ ପରିଡା। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିବା ପରେ ବିବାହ କରିଥିବା ଯୁବତୀ ଜଣଙ୍କ ଏତଲାରେ ଦର୍ଶାଇଛନ୍ତି।

ଗତବର୍ଷ ଡିସେମ୍ବରରେ ସେମାନେ ଏକ ମନ୍ଦିରରେ ବିବାହ କରିଥିଲେ ଏବଂ ପରେ କୋର୍ଟରେ ବିବାହ ପଞ୍ଜିକରଣ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ମହିଳା ଜଣକ ଗର୍ଭବତୀ ହୋଇଯାଇଥିଲେ। କିଛି ଦିନ ତଳେ ଅବିନାଶ ତାଙ୍କୁ ନ ଜଣାଇ ହାଇଦ୍ରାବାଦରେ ରହୁଥିବା ଘରୁ ପଳାଇଆସିଥିଲେ। ଏହାପରେ ଯୁବତୀ ଜଣଙ୍କ ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ ସେ ଅବିନାଶଙ୍କ ସହିତ ଫୋନରେ ଯୋଗାଯୋଗ କରିବାରେ ବିଫଳ ହୋଇଥିଲେ। ଏମିତିକି ଅବିନାଶ ତାଙ୍କୁ ଘରୁ ପଳାଇଆସିବା ପରଠୁ କେବେ ଫୋନ୍ କରିନଥିଲେ ବୋଲି ଯୁବତୀ ଜଣଙ୍କ ଏତଲାରେ କହିଛନ୍ତି।

ହାଇଦ୍ରାବାଦରୁ ଆସିବା ବେଳେ ଅବିନାଶ ଯୁବତୀଙ୍କ ଲାପଟପ୍, ମୋବାଇଲ୍ ଫୋନ୍, ସୁନା ଗହଣା ଓ ନଗଦ 60 ହଜାର ଟଙ୍କା ନେଇ ଯାଇଥିଲେ ବୋଲି ମଧ୍ୟ ଅଭିଯୋଗରେ ଦର୍ଶାଇଛନ୍ତି। ଯେହେତୁ ସେ ଜାଣିଥିଲେ ଯେ ତାଙ୍କ ସ୍ୱାମୀ ସୋରର ତେଣୁ ସେ ତାଙ୍କୁ ଖୋଜିବା ପାଇଁ ପୁଲିସର ସହାୟତା ନେବାକୁ ସୋର ଆସିଥିବା କହିଛନ୍ତି। ଅବିନାଶଙ୍କୁ ଖୋଜିବା ପାଇଁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମହିଳାଙ୍କୁ ସୁଧାର ଗୃହକୁ ପଠାଇ ଦେଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

 

Comments are closed.