Latest Odisha News

ଝାରସୁଗୁଡାରେ ପୋଲିସ ଡିଜି ଓ ଜଷ୍ଟିସ ଜେ.ପି ଦାସ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତର ତଦାରଖ କରୁଥିବା ଓଡ଼ିଶା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେ. ପି. ଦାସ ମଙ୍ଗଳବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଜଷ୍ଟିସ୍ ଜେ.ପି ଦାସ ବ୍ରଜରାଜନଗର ସହରରେ ଥିବା କ୍ରାଇମସ୍ପଟ ପରିଦର୍ଶନ କରିବାର ସମ୍ଭାବନା ଥିବାବେଳେ ଓଡ଼ିଶା ପୁଲିସ ଡିଜି ସୁନୀଲ କୁମାର ବଂଶଲ ମଧ୍ୟ ଝାରସୁଗୁଡ଼ା ଗସ୍ତରେ ରହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଜଷ୍ଟିସ୍ ଦାସ କହିଛନ୍ତି, କ୍ରାଇମବ୍ରାଞ୍ଚ ପକ୍ଷରୁ ଚାଲିଥିବା ତଦନ୍ତରେ ସେ ସନ୍ତୁଷ୍ଟ। କ୍ରାଇମ୍ ସିନ ରିକ୍ରିଏସନ୍ ତଦନ୍ତରେ ଯଥେଷ୍ଟ ସହାୟକ ହେବ ବୋଲି ଦର୍ଶାଇ ପୂର୍ବତନ ହାଇକୋର୍ଟ ବିଚାରପତି କହିଛନ୍ତି ଯେ ସେ ବ୍ରଜରାଜନଗରରେ ଥିବା କ୍ରାଇମ୍ ସିନ ପରିଦର୍ଶନ କରିପାରନ୍ତି ଯେଉଁଠାରେ ଜାନୁଆରୀ 29ରେ ଅଭିଯୁକ୍ତ ଗୋପାଳ ଦାସ ମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇଥିଲେ।

ସେହିପରି ଡିଜିପି ସୁନୀଲ ବଂଶଲ ଓ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ମଧ୍ୟ ଝାରସୁଗୁଡ଼ା ଗସ୍ତରେ ଅଛନ୍ତି। ଆଇନ ଶୃଙ୍ଖଳା ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଆର. କେ. ଶର୍ମା ସେମାନଙ୍କ ସହ ଯାଇଥିବା ସୂଚନା ମିଳିଛି। ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡକୁ 10 ଦିନ ପୁରିଛି। ଏଥିସହ ଅଭିଯୁକ୍ତ ଗୋପାଳ ଦାସ ଗିରଫ ହୋଇଥିବା ବେଳେ ଦ୍ବିତୀୟ ଥର ପାଇଁ 4 ଦିନିଆ ରିମାଣ୍ଡରେ ତଦନ୍ତକାରୀ ଟିମ୍ ନେଇଛି। ଆସନ୍ତାକାଲି ରିମାଣ୍ଡର ଶେଷ ଦିନ ରହିଛି।

ଏହାରି ଭିତରେ ଅଭିଯୁକ୍ତର ମାନସିକ ଅବସ୍ଥା ସହିତ ସ୍ୱର ନମୁନା ଆଦି ପରୀକ୍ଷା ହୋଇଛି। ଏବଂ ହତ୍ୟାକାଣ୍ଡ ସ୍ଥଳକୁ ଫାରୋ ଥ୍ରୀଡି କ୍ୟାମେରାରରେ ରେକର୍ଡିଂ କରାଯାଇଛି। ଏହି ଗସ୍ତ ବେଳେ ତଦନ୍ତରେ କିଭଳି ଅଗ୍ରଗତି ହୋଇଛି ବରିଷ୍ଠ ପୁଲିସ ଅଧିକାରୀ ସେନେଇ ଅନୁଧ୍ୟାନ କରିବେ ବୋଲି ସୂଚନା ରହିଛି। ତଦନ୍ତର ଅଗ୍ରଗତି ନେଇ ସେମାନେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବେ।

 

Leave A Reply

Your email address will not be published.