Latest Odisha News

BREAKING NEWS

କ୍ୟାନସର ରୋଗରେ ପୀଡିତ ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

ନୂଆଦିଲ୍ଲୀ: କ୍ୟାନସର ରୋଗରେ ପୀଡିତ ବିଜେପିର ବରିଷ୍ଠ ନେତା ତଥା ବିହାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଗତ ୬ ମାସ ହେବ ସୁଶୀଲ ମୋଦି ଏହି ମାରାତ୍ମକ ରୋଗରେ ପୀଡିତ ଅଛନ୍ତି । ଏନେଇ ସେ ନିଜେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ।

ସୁଶୀଲ ମୋଦି ତାଙ୍କ ଆକାଉଣ୍ଟ ଏକ୍ସରେ ଲେଖିଛନ୍ତି ଯେ, ମୁଁ ଗତ ୬ମାସ ହେବ କ୍ୟାନ୍ସର ରୋଗରେ ପୀଡିତ । ଏବେ ଲୋକମାନଙ୍କୁ ଏ ବିଷୟରେ ଜଣେଇବାର ସମୟ ଆସିଯାଇଛି । ତେଣୁ ଲୋକସଭା ନିର୍ବାଚନ ମୁଁ ଲଢ଼ିପାରିବି ନାହିଁ । ଚଳିତ ନିର୍ବାଚନରେ ମୁଁ କିଛି ମଧ୍ୟ କରିପାରିବି ନାହିଁ। ଏନେଇ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଜଣାଇ ଦେଇଛି । ମୋ ଦେଶ ଏବଂ ମୋ ରାଜ୍ୟ ଓ ବିଜେପି ପାଇଁ ସବୁବେଳେ ମୁଁ ସମର୍ପିତ ରହିବି।

କୁହାଯାଉଛି ଯେ, ସୁଶୀଲ ମୋଦିଙ୍କର ଗଳା କର୍କଟ ହୋଇଛି । ବର୍ତ୍ତମାନ ସେ ଦିଲ୍ଲୀର ଏମ୍ସ ଏବଂ ଟାଟା ମେମୋରିଆଲ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ସୁଶୀଲ ମୋଦି ବିହାରର ଉପ-ମୁଖ୍ୟମନ୍ତ୍ରୀ ବ୍ୟତୀତ ରାଜ୍ୟସଭା ସାଂସଦ ମଧ୍ୟ ରହିଛନ୍ତି । ୩୩ ବର୍ଷର ରାଜନୈତିକ କ୍ୟାରିୟର ମଧ୍ୟରେ ସେ ରାଜ୍ୟସଭା, ବିଧାନସଭା ଏବଂ ବିଧାନ ପରିଷଦ ସମେତ ସମସ୍ତ ୪ ଟି ଗୃହର ସଦସ୍ୟ ରହିଛନ୍ତି । ୫ବର୍ଷ ଧରି ବିଧାନ ପରିଷଦର ସଦସ୍ୟ ମଧ୍ୟ ରହିଆସିଛନ୍ତି ସୁଶୀଲ ମୋଦି ।

ସୁଶୀଲ ମୋଦୀ ୫ ଜାନୁଆରୀ ୧୯୫୨ରେ ପାଟନାରେ ଜନ୍ମଗ୍ରହଣ କରିଥିଲେ। ସେ ପାଟନାର ସେଣ୍ଟ ମାଇକେଲ ସ୍କୁଲରେ ଅଧ୍ୟୟନ କରିବା ପରେ ପାଟନାର ବିଏନ୍ କଲେଜରୁ ବି.ଏସ୍.ସି ଡିଗ୍ରୀ ହାସଲ କରିଥିଲେ । ଏହା ପରେ ସେ ଜୟ ପ୍ରକାଶ ନାରାୟଣଙ୍କ ଦ୍ୱାରା ପରିଚାଳିତ ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୯୦ରେ, ସେ ସକ୍ରିୟ ରାଜନୀତିରେ ପ୍ରବେଶ କରିଥିଲେ ଏବଂ ପାଟନା କେନ୍ଦ୍ରୀୟ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

Leave A Reply

Your email address will not be published.