Latest Odisha News

BREAKING NEWS

ଚାଲିଗଲେ ବିହାରର ‘ମୋଦୀ’, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତା

ନୂଆଦିଲ୍ଲୀ: ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ସୁଶୀଲ କୁମାର ମୋଦୀଙ୍କର ୭୨ ବର୍ଷ ବୟସରେ ପରଲୋକ ଘଟିଛି। ସୁଶୀଲ କୁମାର ମୋଦୀ ଚଳିତ ବର୍ଷ ଏପ୍ରିଲରେ ଏକ୍ସରେ କହିଥିଲେ ଯେ ସେ କର୍କଟ ରୋଗରେ ପୀଡ଼ିତ ଏବଂ ତାଙ୍କ ସ୍ୱାସ୍ଥ୍ୟଗତ ଅବସ୍ଥା କାରଣରୁ ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ।

ଆଜି ପାଟନାର ରାଜେନ୍ଦ୍ର ନଗର ଅଞ୍ଚଳରେ ଥିବା ତାଙ୍କ ବାସଭବନକୁ ପୂର୍ବତନ ରାଜ୍ୟସଭା ସାଂସଦଙ୍କ ପାର୍ଥିବ ଶରୀର ଅଣାଯିବ ଏବଂ ପରେ ଶେଷକୃତ୍ୟ ସମ୍ପନ୍ନ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିହାରର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଓ ବିଜୟ କୁମାର ସିହ୍ନାଙ୍କ ସମେତ ଅନେକ ବିଜେପି ନେତା ଦୁଃଖ ପ୍ରକାଶ କରିବା ସହ ସୁଶୀଲ କୁମାର ମୋଦୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

‘ଦଳରେ ମୋର ମୂଲ୍ୟବାନ ସହଯୋଗୀ ତଥା ଦଶନ୍ଧି ଧରି ମୋର ବନ୍ଧୁ ସୁଶୀଲ ମୋଦୀଙ୍କ ଅକାଳ ବିୟୋଗରେ ମୁଁ ଗଭୀର ଦୁଃଖିତ। ବିହାରରେ ବିଜେପିର ଉତଥାନ ଓ ସଫଳତାରେ ସେ ବଡ଼ ଭୂମିକା ଗ୍ରହଣ କରିଛନ୍ତି’। ଜରୁରୀକାଳୀନ ପରିସ୍ଥିତିକୁ ଦୃଢ଼ ବିରୋଧ କରି ସେ ଛାତ୍ର ରାଜନୀତିରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଲେଖିଛନ୍ତି।

ସେ ଜଣେ ଅତ୍ୟନ୍ତ ପରିଶ୍ରମୀ ଓ ଭଲ ବିଧାୟକ ଭାବେ ପରିଚିତ ଥିଲେ। ରାଜନୀତି ସହ ଜଡ଼ିତ ପ୍ରସଙ୍ଗରେ ତାଙ୍କର ଗଭୀର ବୁଝାମଣା ଥିଲା। ଜଣେ ପ୍ରଶାସକ ଭାବରେ ମଧ୍ୟ ସେ ଅନେକ ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଜିଏସଟି ପାରିତ କରିବାରେ ତାଙ୍କ ସକ୍ରିୟ ଭୂମିକା ସର୍ବଦା ସ୍ମରଣୀୟ ରହିବ । ଦୁଃଖର ଏହି ମୁହୂର୍ତ୍ତରେ ତାଙ୍କ ପରିବାର ଏବଂ ସମର୍ଥକମାନଙ୍କ ପ୍ରତି ମୋର ସମବେଦନା ରହିଛି। ଓମ୍ ଶାନ୍ତି!’ ବୋଲି ମୋଦୀ କହିଛନ୍ତି।

୧୯୫୨ ମସିହା ଜାନୁଆରୀ ୫ ତାରିଖରେ ଜନ୍ମଗ୍ରହଣ କରିଥିବା ସୁଶୀଲ କୁମାର ମୋଦୀ। ପାଟନା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ନେତା ଭାବରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

୩ ଦଶନ୍ଧିର ରାଜନୈତିକ କ୍ୟାରିୟରରେ ସୁଶୀଲ ମୋଦୀ ବିଧାୟକ, ଏମଏଲସି ଏବଂ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ସମେତ ବିଭିନ୍ନ ପଦବୀରେ ରହିଥିଲେ। ସେ ୨୦୦୫ରୁ ୨୦୧୩ ଏବଂ ପୁଣି ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ବିହାରର ଉପମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହି ବରିଷ୍ଠ ରାଜନେତା ୧୯୯୦ ରେ ପାଟନା କେନ୍ଦ୍ରୀୟ ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ୧୯୯୬ରୁ ୨୦୦୪ ପର୍ଯ୍ୟନ୍ତ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

୨୦୦୪ରେ ସୁଶୀଲ ମୋଦୀ ଭାଗଲପୁରରୁ ଲୋକସଭାର ଗୋଟିଏ ଆସନ ଜିତି ଜାତୀୟ ରାଜନୀତିକୁ ଆସିଥିଲେ। ତେବେ ୨୦୦୫ମସିହାରେ ସେ ଲୋକସଭା ପଦରୁ ଇସ୍ତଫା ଦେଇ ବିଧାନ ପରିଷଦରେ ଯୋଗ ଦେଇ ବିହାରର ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ।

Comments are closed.