Latest Odisha News

ନବୀନଙ୍କୁ ନିର୍ବାଚିତ କରି ବିଜେପୁରବାସୀ ଭୁଲ୍ କରିଛନ୍ତି: ଧର୍ମେନ୍ଦ୍ର ପ୍ରଧାନ

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚିତ କରି ବିଜେପୁର ଜନସାଧାରଣ ବଡ଼ ଭୁଲ୍ କରିଛନ୍ତି ବୋଲି ଶୁକ୍ରବାର ଦିନ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗାଇସିଲଟ ବ୍ଲକରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ଜନସାଧାରଣଙ୍କୁ ଜବାବ ଦିଅନ୍ତୁ ସେ କ’ଣ ପାଇଁ ବିଜେପୁର ବିଧାନସଭା ନିର୍ବାଚନ ଜିତିବା ପରେ କାହିଁକି ନିର୍ବାଚନ ମଣ୍ଡଳୀ ପରିତ୍ୟାଗ କଲେ । ସେ ବିଜେପୁର ଛାଡ଼ି କାହିଁକି ହିଞ୍ଜିଳିକୁ କାହିଁକି ରଖିଲେ ଏହାର ଉତ୍ତର ନବୀନଙ୍କୁ ଦେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

“ହିଞ୍ଜିଳିକୁ ପରିତ୍ୟାଗ କରି ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ମୁଖ୍ୟମନ୍ତ୍ରୀ ରଖିବା କଥା । ଏହା ହୋଇଥିଲେ ଆଜି ବିଜେପୁର ବଦଳରେ ହିଞ୍ଜିଳିରେ ନିର୍ବାଚନ ଅନୁଷ୍ଠିତ ହୋଇଥାଆନ୍ତା । ମୁଖ୍ୟମନ୍ତ୍ରୀ କହିଥିଲେ ସେ ନିଜେ ବିଜେପୁର ନିର୍ବାଚନ ମଣ୍ଡଳୀର ବିକାଶ ଲାଗି ଦାୟିତ୍ୱ ବହନ କରିବେ । ବିଜେପୁର ଆସନ ପରିତ୍ୟାଗ କରିବା ପରେ କ’ଣ ସେ କିଛି କରିଛନ୍ତି କି? ତେଣୁ ବିଜେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ତାଙ୍କୁ ନିର୍ବାଚିତ କରି ବଡ଼ ଭୁଲ୍ କରିଛନ୍ତି,” ବୋଲି ଧର୍ମେନ୍ଦ୍ର ଜନସଭାକୁ ସମ୍ବୋଧିତ କରି କହିଛନ୍ତି ।

ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଯୋଜନାରେ କ୍ଷୁଦ୍ର ତଥା ନାମମାତ୍ର ଚାଷୀ ଆଦୌ ଉପକୃତ ହୋଇପାରିନାହାନ୍ତି । “ଆମ ପାଖରେ ସୂଚନା ରହିଛି, ନିକଟରେ କଂଗ୍ରେସ ଦଳରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗଦାନ କରିଥିବା ପ୍ରଣୟ ସାହୁ ମଧ୍ୟ ଜଣେ କାଳିଆ ହିତାଧିକାରୀ,”ବୋଲି ଅଭିଯୋଗ କରି ଶ୍ରୀ ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଜେପୁରରେ ବିଜେପି ପ୍ରଚାର କରି କୌଣସି ଫାଇଦା ପାଇପାରିବ ନାହିଁ । ଏଠାରେ ଜନସାଧାରଣଙ୍କ ଅକୁଣ୍ଠ ସମର୍ଥନରେ ବିଜେଡ଼ି ପ୍ରାୟ ୩୫,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ନିର୍ବାଚନ ଜିତିବ ।

ପ୍ରଳିଳା ମଲ୍ଲିକଙ୍କ ଏହି ମନ୍ତବ୍ୟରେ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶକରି କହିଛନ୍ତି ଶ୍ରୀମତୀ ମଲ୍ଲିକଙ୍କ ଏହି ମନ୍ତବ୍ୟରୁ ଗୋଟିଏ କଥା ଇଙ୍ଗିତ କରୁଛି ଯେ, ଏହି ଉପ-ନିର୍ବାଚନରେ ବିଜେଡ଼ି ୨୨,୦୦୦ ଭୋଟ୍ ହରାଇବ ।

Leave A Reply

Your email address will not be published.