Latest Odisha News

BREAKING NEWS

ଏବେ ‘ବିଜୁ ବାବୁ’ ଚର୍ଚ୍ଚାରେ !

ଭୁବନେଶ୍ୱର: ସାଂସଦ ତଥା ଓଲିଉଡ଼ର ଷ୍ଟଣ୍ଟ ହିରୋ ଅନୁଭବ ମହାନ୍ତି ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି । ସଂସଦରେ ହେଉ କି ସୁଟିଂ ସେଟରେ ସୋସିଆଲ୍ ମିଡ଼ିଆରେ ଏବେ ଅନୁଭବଙ୍କୁ ନେଇ ହିଁ ଚର୍ଚ୍ଚା । କଥାହେଲା ନିକଟରେ ଅନୁଭବ ତାଙ୍କ ଟିଟ୍ଟର୍ ଆକାଉଣ୍ଟରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସହିତ ରହିଥିବା ଏକ ଫଟୋକୁ ପୋଷ୍ଟ କରିଛନ୍ତି । ଖାଲି ସେତିକି ନୁହେଁ ବିଜୁ ବାବୁଙ୍କ ଏକ ପ୍ରତିମୂର୍ତ୍ତିରେ ଫୁଲଦେଇ ନମସ୍କାର ମୁଦ୍ରାର ଫଟୋଟିକୁ ନେଇ ମଧ୍ୟ ଗଣମାଧ୍ୟମ ତଥା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଏଯାଏଁ ଜାରି ରହିଛି । ଏବେ ଚାରିଆଡ଼େ ଏହି ଗୋଟିଏ କଥା ଆଲୋଚନା ହେଉଛି ଯେ, ବୋଧେ ବିଜୁ ବାବୁଙ୍କର ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମିତ ହେଉଛି! ହୋଇଥାଇ ପାରେ, କାରଣ ନିକଟରେ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍ ନିର୍ମିତ ହେବାର ଚର୍ଚ୍ଚା ସାରା ଦେଶର ଗଣମାଧ୍ୟମ ଗୁଡ଼ିକର ପୃଷ୍ଠା ମଣ୍ଡନ ମଧ୍ୟ କରିଥିଲା, ଏବଂ ମୋଦୀଙ୍କ ଭୂମିକାରେ ବଲିଉଡ଼ ଷ୍ଟାର୍ ବିବେକ ଓବରଏ ଅଭିନୟ କରୁଥିବା ଏକ ବର୍ଣ୍ଣାଢ୍ୟ ଉତ୍ସବରେ ମଧ୍ୟ ଘୋଷଣା କରିଥିଲେ । ତେବେ ଅନୁଭବ ପୋଷ୍ଟ କରିଥିବା ପୋଷ୍ଟରରେ ଫିଲ୍ମର ନାମ ରହିଥିଲା ‘ବିଜୁ ବାବୁ’ ।

ଅନୁଭବଙ୍କ ଅଗଣିତ ଫ୍ୟାନ ଇତିମଧ୍ୟରେ ଏହି ‘ବିଜୁ ବାବୁ’ ଫିଲ୍ମ ବାବଦରେ ବେଶ୍ ଅନୁସନ୍ଧିତ୍ସୁ ହୋଇପଡ଼ିଥିବା କଥା ସୋସିଆଲ୍ ମିଡ଼ିଆରୁ ବାରି ହୋଇ ପଡୁଥିଲା ମଧ୍ୟ । ପରେ ଜଣାପଡିଲା ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ନେଇ ଏହି ଫିଲ୍ମଟି ନିର୍ମିତ ହେଉଛି । ତେବେ ଏହା ବାୟୋପିକ୍ କି ନୁହେଁ ତାକୁ ନେଇ ଫ୍ୟାନଙ୍କ ମଧ୍ୟରେ କଳ୍ପନାଜଳ୍ପନା ଜାରି ରହିଛି ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ନିର୍ମିତ ହେଉଥିବା ଏହି ଫିଲ୍ମ ‘ବିଜୁ ବାବୁ’ ର ପ୍ରଡ୍ୟୁସର ହେଉଛନ୍ତି ଅକ୍ଷୟ କୁମାର ପରିଜା । ତାଙ୍କ କହିବାନୁଯାୟୀ ଏହି ଫିଲ୍ମଟି ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହ ଆଡ଼କୁ ରିଲିଜ୍ ହେବାର ରହିଛି ।

“ଅକ୍ଷୟ ପରିଜା ପ୍ରଡ଼କ୍ସନ ସବୁବେଳେ ଗୁଣାତ୍ମକ ମାନର ସିନେମା ଓଡ଼ିଆ, ହିନ୍ଦି ଓ ବଙ୍ଗଳା ଭାଷାରେ ପ୍ରସ୍ତୁତ କରିଥାଏ । ଏହି ପ୍ରଡ଼କ୍ସନ ହାଉସ ‘କଡ଼ବି ହାୱା’ ଓ ‘ହାଲକା’ର ନିର୍ଦ୍ଦେଶକ ଡ଼ଃ ନୀଳ ମାଧବ ପଣ୍ଡାଙ୍କ ସହଯୋଗ ମଧ୍ୟ ଏହି ଫିଲ୍ମ ଲାଗି ରହିଛି,” ବୋଲି କହିଛନ୍ତି ପ୍ରଡ୍ୟୁସର୍ ଅକ୍ଷୟ କୁମାର ପରିଜା ।

ଏହି ଫିଲ୍ମ ନିର୍ମାଣ ସମ୍ପର୍କରେ ସେ ଆହୁରି ମଧ୍ୟ କହିଛନ୍ତି, “ବିଜୁ ବାବୁଙ୍କ ଦର୍ଶରେ ହିଁ ମୁଁ ବଢିଛି । ସେ ଓଡ଼ିଶାର ଜଣେ ଜନପ୍ରିୟ ବ୍ୟକ୍ତିତ୍ୱ । ମୋତେ ଯେତେବେଳେ ମାତ୍ର ୬ ବର୍ଷ ବୟସ ହୋଇଥିଲା ମୁଁ ସେବେ ଏହି ୬.୫ ଫୁଟର ଉଚ୍ଚତା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ପ୍ରଥମେ ଦେଖିଥିଲି । ତାଙ୍କର ଉଚ୍ଚତା ଯେପରି ସେହିପରି ତାଙ୍କର ବ୍ୟକ୍ତିତ୍ୱ ମଧ୍ୟ ମହାନ । ଆମେ ଯେବେ ତାଙ୍କର ଅଦଭୁତ ସାହସିକତା ବିଷୟରେ ଜାଣିଲୁ ସେବେ ପ୍ରକୃତରେ ଆଶ୍ଚର୍ଯ୍ୟ ଚକିତ ହୋଇଥିଲୁ । ଏହି ଫିଲ୍ମ ମାଧ୍ୟମରେ ଓଡ଼ିଶା ପ୍ରତି ତାଙ୍କର ଦୃଷ୍ଟି ତଥା ଯୁବବର୍ଗଙ୍କୁ ପ୍ରେରଣା ଦେବା ପରି ବିଷୟବସ୍ତୁକୁ ନେଇ ଏହା ନିର୍ମିତ ହେଉଛି ।”

ଏହାବ୍ୟତୀତ, ଏହି ଫିଲ୍ମର କୋ-ପ୍ରଡ୍ୟୁସର ଭାବେ ପ୍ରଶାନ୍ତ ଫିଲ୍ମସର ପ୍ରଶାନ୍ତ ବେହେରା, ଅନୁଜ ତ୍ୟାଗୀ, ମାନବ ରଥ ଏବଂ ବର୍ଣ୍ଣାଳୀ ରଥ ରହିଛନ୍ତି । ଫିଲ୍ମ ‘ବିଜୁ ବାବୁ’ ଆସନ୍ତା ଏପ୍ରିଲ ୧ ତାରିଖରେ ରିଲିଜ୍ ହେବ ବୋଲି ଅକ୍ଷୟ ପରିଜା ସୂଚନା ଦେଇ କହିଛନ୍ତି ।

Leave A Reply

Your email address will not be published.