ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନ ମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ;ବିଜୁ ଯୁବ ଛାତ୍ର ଜନତା ଦଳର ଆନ୍ଦୋଳନ ଡାକରା
ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ସରକାରଙ୍କ ଏହି ଆକ୍ରୋଶମୂଳକ ପଦକ୍ଷେପକୁ ନେଇ ରାଜ୍ୟବାସୀଙ୍କ ମନରେ ସରକାରଙ୍କ ବିରୋଧରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରାଜ୍ୟବାସୀଙ୍କ ଏହି ଅସନ୍ତୋଷକୁ ଦୂର କରିବା ଲକ୍ଷ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳ ଗୁରୁବାର ଠାରୁ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି ।
ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜାରି କରାଯାଇଥିବା ବିବୃତିରେ ଦଳର ଯୁବ ସଭାପତି ଚିନ୍ମୟ ସାହୁ ଓ ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଏହି ତୋଗଲକି ନିଷ୍ପତ୍ତି ବିରୋଧରେ ବିଜୁ ଯୁବ ଛାତ୍ର ଜନତା ଦଳ ଜାନୁଆରୀ ୮ ତାରିଖ ଦିନ ସକାଳ ୧୦ ଘଟିକାରେ ଆରଟିଓ-୧ ଭୁବନେଶ୍ୱର ଅଫିସ ସମ୍ମୁଖରେ ଏକ ବିଶାଳ ଗଣଧାରଣା କାର୍ଯ୍ୟକ୍ରମ ଆୟୋଜିତ ହେବ । ଚାଲାଣ ଥିଲେ ପଲ୍ୟୁସନ ସାର୍ଟିଫିକେଟ ନମିଳିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଏହି ଗଣଧାରଣା ଆୟୋଜିତ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କାର୍ଯ୍ୟ ଜାରି ରଖିବ ।
ରାଜ୍ୟ ସରକାର ଏହି ବେଆଇନ ନିଷ୍ପତ୍ତି ପ୍ରତ୍ୟାହାର ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିବ ।
ରାଜ୍ୟବାସୀଙ୍କ ହିତ ଦୃଷ୍ଟିରୁ ରାଜ୍ୟ ସରକାରଙ୍କର ଏପରି ବେଆଇନ ନିଷ୍ପତ୍ତି ବିରୋଧରେ ଗୁରୁବାର ସକାଳେ ହେବାକୁ ଯାଉଥିବା ଗଣଧାରଣା କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁସଂଖ୍ୟାରେ ଯୋଗଦେବାକୁ ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ନିବେଦନ କରିଛନ୍ତି ।