pollution certificate: ‘ସାର୍ଟିଫିକେଟ ନାହିଁ ତ ତେଲ ନାହିଁ,ଏହି ନିଷ୍ପତ୍ତି ପ୍ରତ୍ୟାହାର ନକଲେ ଆନ୍ଦୋଳନକୁ ରାଜ୍ୟବ୍ୟାପୀ କରାଯିବ’
ଭୁବନେଶ୍ୱର: ରାଜ୍ୟରେ ଯାନବାହାନର ପଲ୍ୟୁସନ ସାର୍ଟିଫିକେଟକୁ ନେଇ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଦହଗଞ୍ଜର ଶିକାର ହେଉଛନ୍ତି । ଏହାକୁ ତୁରନ୍ତ ପ୍ରତ୍ୟାହାର ଦାବିରେ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ଭୁବନେଶ୍ୱରର ଆରଟିଓ-୧ ଅଫିସ ସମ୍ମୁଖରେ ଏକ ବିଶାଳ ପ୍ରତିବାଦ ସଭା ଆୟୋଜନ କରିଛି । ରାଜ୍ୟ ସରକାରଙ୍କ ଏହି ବିବାଦୀୟ ନିଷ୍ପତ୍ତିକୁ ବିଶେଷକରି ପଲ୍ୟୁସନ ସାର୍ଟିଫିକେଟ ନାହିଁ ତ ତେଲ ନାହିଁ ଓ ପୁରୁଣା ଫାଇନ ପୈଠ ନହେବା ପର୍ଯ୍ୟନ୍ତ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁକୁ ତୁରନ୍ତ ପ୍ରତ୍ୟାହାର ନକଲେ, ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଘୋଷଣା କରିଛନ୍ତି ।
ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା ପ୍ରତିବାଦ ସଭା । ପ୍ରତିବାଦ ସଭାରେ ରାଜ୍ୟ ବିଜେପି ସରକାରଙ୍କ ଏହି ନିୟମର ତୀବ୍ର ସମାଲୋଚନା କରାଥିଲେ ଓ ଏଥି ସହିତ ରାଜ୍ୟ ସରକାରଙ୍କ ବିଫଳତାର ଲମ୍ୱା ତାଲିକା ପ୍ରଦାନ କରାଯାଇଥିଲା ।
ଯୁବ ସଭାପତି ଚିନ୍ମୟ ସାହୁ କହିଥିଲେ, ରାଜ୍ୟ ବିଜେପି ସରକାର ଲୋକଙ୍କୁ ଧାଡିରେ ଛିଡା କରି ହନ୍ତସନ୍ତ କରିବାରେ ଆନନ୍ଦ ପାଉଛନ୍ତି । ସୁଭଦ୍ରା ଯୋଜନା ଦେବାବେଳେ ଏଥିରେ ସାମିଲ କରିବା ପାଇଁ ମହିଳା ମାନଙ୍କୁ ଧାଡିରେ ଛିଡା କଲେ । ଲୋକେ ରାସନ ପାଇବା ପାଇଁ ଲାଇନରେ ଛିଡା ହେଉଛନ୍ତି । ଚାଷୀ ମଣ୍ଡିରେ ଧାନ ଦେବା ପାଇଁ ଆଜି ରାଜରାସ୍ତାରେ ଛିଡା ହୋଇଛନ୍ତି । ଏବେ ପଲ୍ୟୁସନ ସାର୍ଟିଫିକେଟ ପାଇଁ ରାଜରାସ୍ତାରେ ଛିଡା ହେବାକୁ ପଡୁଛି ।
ଛାତ୍ର ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ, ସୁଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିବା ରାଜ୍ୟ ବିଜେପି ସରକାର ରାଜ୍ୟବାସୀଙ୍କୁ ଶୋଷଣ କରିବାରେ ଲାଗିଛି । ପଲ୍ୟୁସନ ସାର୍ଟିଫିକେଟ ନାମରେ ନୂଆ ଶୋଷଣ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପଲ୍ୟୁସନ ସାର୍ଟିଫିକେଟ ନଥିଲେ ତେଲ ମିଳିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ବେଆଇନ । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ । ଏହାଛଡା ଫାଇନ ପୈଠ ନହେଲେ ପଲ୍ୟୁସନ ସାର୍ଟିଫିକେଟ ପ୍ରଦାନ କରାଯିବ ନାହିଁ ବୋଲି ସରକାର ନେଇଥିବା ନିଷ୍ପତ୍ତି ମଧ୍ୟ ଗ୍ରହଣୀୟ ନୁହେଁ । ୧୮ ମାସର ଶାସନରେ ବିଜେପି ସରକାର ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଇଥିବା ବେଳେ ବର୍ତ୍ତମାନ ଲୋକଙ୍କୁ ଶୋଷଣ କରିବାକୁ ବସିଛନ୍ତି । ରାଜ୍ୟ ସରକାର ତାଙ୍କ ଏହି ଅନ୍ଧ ନୀତିକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ, ନଚେତ ବିଜୁ ଯୁବ ଛାତ୍ର ଜନତା ଦଳ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନକୁ ଅଧିକ ବ୍ୟାପକ କରିବ ।
ଏହି କାର୍ଯ୍ୟକ୍ରମରେ ଯୁବ ଛାତ୍ର ନେତୃବୃନ୍ଦଙ୍କ ସହ ୧ ହଜାରରୁ ଉର୍ଦ୍ଧ୍ବରୁ ଯୁବ ଓ ଛାତ୍ର ସାମିଲ ହୋଇଥିଲେ ।