Latest Odisha News

ପ୍ରଫେସର ଘନଶ୍ୟାମ ଦାଶ ବୃତ୍ତି ୨୦୨୩: ୬ ଜଣ ବିଜେତାଙ୍କୁ ମିଳିଲା ୬ ଲକ୍ଷ ଟଙ୍କା

ଭୁବନେଶ୍ୱର: ଇମ୍ଫାର ସାମାଜିକ ବିକାଶ ସଂସ୍ଥା ବିଆଇପିଏଫ୍‌ ପକ୍ଷରୁ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଉଚ୍ଚ ଶିକ୍ଷା ନିମନ୍ତେ ପ୍ରଫେସର ଘନଶ୍ୟାମ ଦାଶ (ପିଜିଡିଏସ୍‌) ବୃତି ପାଇଁ ଚୟନ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଛି । ୬ ଜଣ ବିଜେତାଙ୍କୁ ମିଳିଛି ୬ ଲକ୍ଷ ଟଙ୍କା । ପିଜିଡିଏସ୍ ର ୧୯ତମ ସଂସ୍କରଣରେ ୪ ଜଣ ବୃତିଧାରୀ ଯଥା ଶ୍ରୀ କେ.ଭି.ଏମ୍ ପ୍ରସନ୍ନ କୁମାରଙ୍କୁ ଆଇଆଇଆଇଟି ଧାରୱାଡ଼, ଶ୍ରୀ ପ୍ରିୟାଂଶୁ ପଣ୍ଡାଙ୍କୁ ଆଇଆଇଟି ମାଡ୍ରାସ୍‌, ଶ୍ରୀ ହିମାଂଶୁ ଶେଖର ପାତ୍ରଙ୍କୁ ଆଇଜିଆଇଟି ସାରଙ୍ଗ ଏବଂ ସୁଶ୍ରୀ ପ୍ରିୟଙ୍କା ଦଳାଇଙ୍କୁ ଦୀନ ଦୟାଲ ଉପାଧ୍ୟୟ କଲେଜରେ ଇଂଞ୍ଜିନିୟରିଂ ପାଠ୍ୟକ୍ରମ ଓ ଅନ୍ୟ ୨ ଜଣ ଯଥା ଶ୍ରୀ ପ୍ରୟାସ ରାଉତ ଓ ସୁଶ୍ରୀ ଅଭିପ୍ସା ଚୌଧୁରୀଙ୍କୁ ଭୁବନେଶ୍ୱରସ୍ଥିତ ଏମ୍ସର ମେଡ଼ିସିନ୍ ବିଭାଗରେ ମେଡ଼ିକାଲ ଡିଗ୍ରୀ ପାଠ୍ୟକ୍ରମ ପାଇଁ ଏହି ବୃତି ପ୍ରଦାନ କରାଯାଇଛି ।

ଇଞ୍ଜିନିୟରିଂ, ମେଡିସିନ୍ ଏବଂ ଲିବରାଲ ଆର୍ଟସ୍ କ୍ଷେତ୍ରରେ ପେସାଦାର ଡିଗ୍ରୀ ହାସଲ କରିବା ପାଇଁ ପ୍ରତ୍ୟେକ ବର୍ଷ ୬ ଜଣ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ (ଓଡ଼ିଶାର ବାସିନ୍ଦା) ଏହି ବୃତି ପ୍ରଦାନ କରାଯାଇଥାଏ । ଏହି ବୃତି ଅନ୍ତର୍ଗତ ଏକାଡେମିକ୍ ଫି ର ୯୦ ପ୍ରତିଶତ ଓ ୪ ବର୍ଷ ମଧ୍ୟରେ ହେବାକୁଥିବା ଅନ୍ୟ ଖର୍ଚ୍ଚକୁ ମିଶାଇ ପ୍ରତ୍ୟେକ ବୃତିଧାରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି । ଆର୍ଥିକ ସହାୟତା ବ୍ୟତୀତ ବୃତିଧାରୀମାନେ ବିଆଇପିଏଫ୍ ଦ୍ୱାରା ପରିଚାଳିତ ଏକ ସ୍ୱତନ୍ତ୍ର ମେଂଟରସିପ୍ କାର୍ଯ୍ୟକ୍ରମ “ଉତ୍ସାହ” ପାଇଁ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି ।

୨୦୦୫ ମସିହାରୁ ଇମ୍ଫା ପକ୍ଷରୁ ଆରମ୍ଭ ହୋଇଥିବା ଏହି ମେଧା ବୃତି ଖ୍ୟାତିସମ୍ପନ୍ନ ଐତିହାସିକ ସ୍ୱର୍ଗତ ପ୍ରଫେସର ଘନଶ୍ୟାମ ଦାଶ (ସ୍ୱର୍ଗତ ଇଲା ପଣ୍ଡାଙ୍କ ପିତା) ଙ୍କ ନାମରେ ନାମିତ କରାଯାଇଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ମାଧ୍ୟମରେ ସମାନ ସୁଯୋଗ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ବିଆଇପିଏଫ୍ ୱେବ୍‌ସାଇଟ୍ ମାଧ୍ୟମରେ ପିଜିଡିଏସ୍‌-୨୦୨୪ ନିମନ୍ତେ ଅଗଷ୍ଟ ମାସରୁ ଆବେଦନ ପଦ୍ର ଗ୍ରହଣ କରାଯିବ ।

 

Leave A Reply

Your email address will not be published.