Latest Odisha News

BREAKING NEWS

ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କଲେ ନିବେଦନ 

ମୁମ୍ବାଇ: ବମ୍ବେ ଓଡ଼ିଶା ଭବନ କ୍ୟାଣ୍ଟିନ୍‍ ଖୋଲିବାକୁ ବିପିନ ମିଶ୍ରଙ୍କ ଦାବି । ନଭି ମୁମ୍ବାଇ ସ୍ଥିତ ଓଡ଼ିଶା ଭବନର କ୍ୟାଣ୍ଟିନକୁ ତୁରନ୍ତ ଚାଲୁ କରିବାକୁ ବମ୍ବେ ଓଡ଼ିଆ ମହାସଂଘର ସଭାପତି ଡଃ ବିପିନ ମିଶ୍ର ଦୃଢ଼ ଦାବି କରିଛନ୍ତି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖି ନିବେଦନ କରିଛନ୍ତି ।

ସୂଚନା ଅନୁସାରେ, କରୋନା ଯୋଗୁ କ୍ୟାଣ୍ଟାନକୁ ବନ୍ଦ ରଖାଯାଇଛି । ଅବିଳମ୍ବେ ଖୋଲିବା ସାଙ୍ଗକୁ ସର୍ବସାଧାରଣଙ୍କୁ ଏଠାରେ ଖାଇବା ପାଇଁ ସୁଯୋଗ ଦେବାକୁ ଡଃ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । 

କ୍ୟାଣ୍ଟିନ୍‍ ବନ୍ଦ ଥିବାରୁ, ଓଡ଼ିଶାରୁ କ୍ୟାନ୍‍ସର ଓ ଅନ୍ୟାନ୍ୟ ରୋଗର ଚିକିତ୍ସା ପାଇଁ ମୁମ୍ବାଇ ଆସୁଥିବା ଶହ ଶହ ରୋଗୀ ଓ ସେମାନଙ୍କର ପରିବାର ଲୋକ ଖାଇବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଡଃ ମିଶ୍ର ଉଲ୍ଲେଖ କରିଛନ୍ତି । ଏହାସହ ଓଡ଼ିଶା ଭବନରେ ରହୁଥିବା ଅତିଥି ଏବଂ ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ଓ ସେମାନଙ୍କ ପରିଜନ ମଧ୍ୟ ଓଡ଼ିଆ ଖାଦ୍ୟ ଖାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ କହିଛନ୍ତି ।

ମୁମ୍ବାଇରେ କରୋନାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ବିଭିନ୍ନ କାର୍ଯ୍ୟାଳୟ, ସଂସ୍ଥାନ, ଅତିଥିଶାଳା କାର୍ଯ୍ୟକ୍ଷମ ହେଉଛି । ଏପରିସ୍ଥଳେ ଓଡ଼ିଶା ଭବନର ଡାଇନିଂରୁମ୍‍ ଓ କିଚେନକୁ ବନ୍ଦ କରି ରଖାଯିବାର କୌଣସି କାରଣ ନାହିଁ ବୋଲି ଡଃ ମିଶ୍ର ଦର୍ଶାଇଛନ୍ତି ।

ନିକଟରେ ବିପିନ ମିଶ୍ର ଭୁବନେଶ୍ୱରଠାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ରଙ୍କୁ ସାକ୍ଷାତ କରି ଏହି କ୍ୟାଣ୍ଟିନ୍‍ ଖୋଲାଯିବା ନେଇ ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ସାକ୍ଷାତକାର ସମୟରେ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଉପସ୍ଥିତ ଥିଲେ । ଉଭୟେ ଏହି ସମସ୍ୟା ଯଥାଶୀଘ୍ର ଦୂରୀକରଣ ସମ୍ପର୍କରେ ସରକାରୀ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । 

ଅନ୍ୟପଟେ ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସର କ୍ୟାଣ୍ଟିନ୍‍ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ପ୍ରବାସୀ ଓଡ଼ିଆଙ୍କର ଦାବି ଫଳରେ ଚଳିତ ଏପ୍ରିଲ ୧ ତାରିଖରୁ ଏହା କାର୍ଯ୍ୟକ୍ଷମ ହେବା ସହିତ ସର୍ବସାଧାରଣଙ୍କ ଖାଇବା ପାଇଁ ଉନ୍ମୁକ୍ତ ହୋଇଥିବା ଜଣାଯାଇଛି ।

Leave A Reply

Your email address will not be published.