Latest Odisha News

BREAKING NEWS

‘କୋରାପୁଟିଆ ଗାନ୍ଧୀ’ ବିଶ୍ୱନାଥ ପଟ୍ଟନାୟକ

ବିଶ୍ୱନାଥ ପଟ୍ଟନାୟକ

(୧୯୧୬-୨୦୧୦)
କ୍ଷେତ୍ର: ସମାଜସେବା

ଅନୁନ୍ନତ କୋରାପୁଟ ଜିଲ୍ଲାର ଆଦିବାସୀମାନଙ୍କ ଶିକ୍ଷା ଓ ସାମାଜିକ ସଚେତନତା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଶ୍ୱନାଥ ପଟ୍ଟନାୟକ ‘କୋରାପୁଟିଆ ଗାନ୍ଧୀ’ ଭାବେ ସର୍ବତ୍ର ଜଣାଶୁଣା । ୧୧ ନଭେମ୍ବର ୧୯୧୬ରେ ଜନ୍ମ ହୋଇଥିଲେ ସେ । ଅଷ୍ଟମ ଶ୍ରେଣୀ ପରେ ପାଠପଢ଼ା ଛାଡ଼ିଦେଇଥିବା ବିଶ୍ୱନାଥ କିନ୍ତୁ ଶିକ୍ଷାର ପ୍ରସାର ପାଇଁ ଜୀବନବ୍ୟାପି ଉଦ୍ୟମ କରିଥିଲେ । କିଶୋର ବୟସରୁ ହିଁ ସମାଜସେବା ପ୍ରତି ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା । ଆଚାର୍ଯ୍ୟ ହରିହରଙ୍କ ଆହ୍ୱାନରେ ସେବା ଆରମ୍ଭ କରିଥିବା ବିଶ୍ୱନାଥ ୧୯୩୭ରେ ଗାନ୍ଧୀ ସେବା ସଂଘରେ ଯୋଗଦେଇ ସକ୍ରିୟ ସଭ୍ୟ ଭାବେ ବହୁ ବିକାଶମୂଳକ କାର୍ଯ୍ୟ କରିଥିଲେ ।

୧୯୩୮ରେ ଡେଲାଙ୍ଗ ନିକଟସ୍ଥ ବେରବୋଇଠାରେ ଅନୁଷ୍ଠିତ ଅଧିବେଶନ ଅବସରରେ ସେ ମହାତ୍ମାଗାନ୍ଧୀଙ୍କ ସଂସ୍ପର୍ଶରେ ଆସିଥିଲେ । ୧୯୪୦ରେ ସେ ୱାର୍ଦ୍ଧାଠାରେ ଗାନ୍ଧୀ ସେବାସଂଘର ସଚିବ ଭାବେ ଯୋଗ ଦେଇଥିଲେ ବି ଗୋପବନ୍ଧୁ ଚୌଧୁରୀଙ୍କ ଡାକରାରେ ଓଡ଼ିଶା ଫେରି ଆସିଥିଲେ । କୋରାପୁଟ ଜିଲ୍ଲାର ଅନୁନ୍ନତ କୁଜେନ୍ଦ୍ରି ଗାଁ ହେଲା ତାଙ୍କର କର୍ମଭୂମି । ସମର୍ପିତ ଭାବେ ସେ ସମାଜସେବା କାର୍ଯ୍ୟ ଏହିଠାରୁ ହିଁ ଆରମ୍ଭ କରିଥିଲେ ।

୧୯୪୧ରେ କୁଜେନ୍ଦ୍ରିର ହରିଜନମାନଙ୍କୁ ସେ ସ୍ଥାନୀୟ ମନ୍ଦିରରେ ପ୍ରବେଶ କରାଇଥିଲେ । ପରେପରେ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେଇ କୁଜେନ୍ଦ୍ରିର ୫୬ଜଣ ଗ୍ରାମବାସୀଙ୍କ ସମେତ ନିଜେ ଗିରଫ୍ ହେଲେ । ସେ ତିନି ବର୍ଷ ଜେଲରେ ରହିଥିଲେ । ୧୯୪୮ରେ ନବଜୀବନ ମଣ୍ଡଳ ଆରମ୍ଭ ହେବାପରେ ସେ ଏହାର ସକ୍ରିୟ ସଦସ୍ୟ ହେଲେ ଓ କୋରାପୁଟ ଜିଲ୍ଲାରେ ଆଦିବାସୀମାନଙ୍କର ଶୋଷଣ ବିରୁଦ୍ଧରେ ସଂଗ୍ରାମ ସହ ଶିକ୍ଷାର ପ୍ରସାର ତଥା ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିବା ଆରମ୍ଭ କଲେ ।

ଦୁଇ ଓଳି ଖାଉନଥିବା ଲୋକଙ୍କ ପ୍ରତି ସମବେଦନା ଜଣାଇ ସେ ୧୯୫୧ ମସିହାଠାରୁ ସାରା ଜୀବନ ରାତିଖାଇବା ଛାଡ଼ି ଦେଇଥିଲେ । ରାଉରକେଲା ହିନ୍ଦୁ-ମୁସଲମାନ ଦଙ୍ଗା, ୧୯୭୧ର ମହାବାତ୍ୟା ଭଳି ସାମାଜିକ ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ସେ ଲୋକଙ୍କ ପାଖରେ ଛିଡ଼ା ହୋଇଥିଲେ । ଫୁଲବାଣୀର ବାଲିଗୁଡ଼ାଠାରେ ବନବାସୀ ସେବା ସମିତି ଗଠନ କରି ସେ ଆଦିବାସୀଙ୍କ ଶିକ୍ଷା ପାଇଁ କାର୍ଯ୍ୟ କରିଥିଲେ ।

ସମାଜର ସବୁବର୍ଗର ଲୋକଙ୍କ ବିକାଶ ପାଇଁ କାମ କରିଥିବା ବିଶ୍ୱନାଥ ଯମୁନାଲାଲ ବଜାଜ ପୁରସ୍କାର, ରାଜୀବ ଗାନ୍ଧୀ ସଦ୍ଭାବନା ପୁରସ୍କାର, ଜଷ୍ଟିସ୍ ରାଜକିଶୋର ଦାସ ପୁରସ୍କାର, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ, ଇମ୍ଫା ସମ୍ମାନ ଆଦିରେ ଭୂଷିତ । ୨୦୧୦ ମସିହା ମାର୍ଚ୍ଚ ୨୯ରେ ତାଙ୍କର ପରଲୋକ ହୋଇଛି ।

ଆଲେଖ୍ୟ © ସରୋଜ ବଳ

Leave A Reply

Your email address will not be published.