ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ସେଦିନୁ ବସିଛି ସମୁଦ୍ରକୁ ମୁହଁ କରି

ଶୈଳବାଳା ମହାପାତ୍ର

ସେଦିନୁ ବସିଛି ସମୁଦ୍ରକୁ ମୁହଁକରି
ଦେଖିବି ବୋଲି ତମ
ଉଆସ ଡୁବିବା ଦୃଶ୍ୟ !

ଆଉ କେତେ ବାଟ ଥିଲା କି ଏମିତି?
ତମେ ତରତର ରେ ପକେଇଲ ପାହୁଣ୍ଡ
କହିଲ:
ଆସୁଥା’ ପଛରେ
ମୁଁ ଯାଉଛି ଆଗ
ନାଆ କାଳେ ଛାଡ଼ି ଦେବ କୂଳ !

ଯା’ ହେଲେ ହେଇଥାନ୍ତା
ଏତେ ବାଟ ତ ଆସିଲେ
ଖାଲି ଦୌଡିଦୌଡ଼ି
ଏଇ ପାହାପାହା ବେଳକୁ
ଟିକେ ଧୀରେଧୀରେ ଯାଇଥାନ୍ତେ
ବସି ବସି ଆକାଶ ତଳେ
ଥକ୍କା ମାରିମାରି
ଗପିଗପି !

ତମକୁ ଚିଟା ଲାଗିଲା ନଈପଠା
କହିଲ ଚାଲ୍ ବୁଲି ଆସିବା ସମୁଦ୍ର
ଘରବାରି, ଗାଈଗୋରୁ
ଜିମା ଦେଲି ଆଉ କା’କୁ
ଗୋଟେ ଲହସରେ ବାହାରି ଆସିଲି
ତମ ହାତ ଧରି
ଖାସ୍ ବସିବି ବୋଲି
ଖୋଲା ପବନରେ ତମ ଛାତିକୁ ଆଉଜି !

ସମୁଦ୍ର କୂଳରେ ମୁଁ
ତମେ ଅଧା ସମୁଦ୍ରରେ
ତମେ ଭାରି ତରତର ସେପଟେ ତିଆରିବ
ତମ ନିଗୁଢ ଉଆସ
ଏପଟେ ବସିଛି ମୁଁ ସମୁଦ୍ରକୁ ମୁହଁ କରି
ଦେଖିବି ବୋଲି ତମ
ଉଆସ ଡୁବିବା ଦୃଶ୍ୟ !
…………
ଦୂରଭାଷ: ୯୯୩୭୨୪୭୪୪୨