ଭୁବନେଶ୍ବର: ଭାଙ୍ଗୁଛି ବିଜେଡି ବଳ । ମୁହଁ ଫେରାଉଛନ୍ତି ବରିଷ୍ଠ ଏବଂ ଅଭିଜ୍ଞ । ସରକାରରୁ ହଟିବା ପରେ ଏବେ ବିଜେଡି କନ୍ଦଳ ଦାଣ୍ଡରେ ପଡି ହାଟରେ ଗଡିଥିବା ବେଳେ ନୂଆ ବିଜେଡିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି ଦଳର କିଛି ପୁରୋଧା ନେତା ଏବଂ ପୂର୍ବତନ ବିଜେଡି ନେତା ମିଶି ବିଜେଡି ପାର୍ଟ-୨ ଆରମ୍ଭ କରିପାରନ୍ତି । ଏହି ନିକଟରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଏହି ପ୍ରସଙ୍ଗକୁ ଇନ୍ଧନ ଦେଇଥିବା ବେଳେ ଏବେ ଏଥିରେ ଘିଅ ଢାଳିଛନ୍ତି ବିଜେଡିର ବରିଷ୍ଠ ନେତା ଅମର ଶତପଥୀ । ବିଜେଡିରେ ବଢୁଥିବା ଆଭ୍ୟନ୍ତରୀଣ ଅସନ୍ତୋଷ ଏବେ ନୂଆ ବିଜେଡି ମେଳି ଗଠନ କରିପାରେ ବୋଲି ବଡ ସଙ୍କେତ ଦେଇଛନ୍ତି ।
ମଙ୍ଗଳବାର ବିଜେଡି ବରିଷ୍ଠ ତଥା ରାୟଗଡା ଟାଣୁଆ ନେତା ଭାସ୍କର ରାଓ ଏବଂ ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକାଙ୍କ ସମେତ ଅନେକ ରାୟଗଡା ବିଜେଡି କର୍ମୀ ଏବଂ ନେତା ଦଳ ଛାଡିବା ପ୍ରସଙ୍ଗକୁ ନେଇ ଅମର କହିଛନ୍ତି, ମୁଁ ଆଗରୁ କହିସାରିଛି, ଗୋଟିଏ ନିର୍ଦ୍ଦିଷ୍ଟ ନୀତି ଏବଂ ବିଚାର ଉପରେ ଆଧାରିତ ନହେଲେ ଲୋକେ ଆମଠୁ ଦୂରେଇ ଯିବେ । କେବଳ ରାୟଗଡା ନୁହେଁ, ପୂରା ରାଜ୍ୟ ବିଜେଡିରେ ଏବେ ଅସନ୍ତୋଷ ରହିଛି । ସବୁଠି ନେତା, କର୍ମୀ ଦଳ ଛାଡୁଛନ୍ତି । ଏହା ଏଥିପାଇଁ ହେଉଛି କାରଣ ସେମାନଙ୍କ ଭରଷା ପାଉନାହିଁ । ଆଜି ଯେଉଁ ସ୍ଥିତି ଅଛି, ଯଦି ଏଥିରେ ସୁଧାର ନଅଣାଯାଏ ତେବେ ଲୋକଙ୍କ ଆସ୍ଥା ଅନାସ୍ଥାରେ ପରିଣତ ହେବ । ଏଥିସହିତ ଅମର ତଥାଗତ ଶତପଥୀ ଦେଇଥିବା ବୟାନ ଉପରେ ମଧ୍ୟ ଏକ ପ୍ରକାର ସମର୍ଥନ ଦେଖାଇଥିଲେ । କହିଛନ୍ତି, ତଥାଗତ ବାବୁ ଯାହା କହିଛନ୍ତି, ପରବର୍ତ୍ତୀ ସମୟରେ ସେହି ଭାବନା ମନରେ ଅଛି । ହୁଏତ ଫଳବର୍ତ୍ତୀ ହୋଇପାରେ । ନୂଆ ଦଳ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ କହି ବିଜେଡିର ଦ୍ବିତୀୟ ଭାଗ ଗଠନକୁ ଅଧିକ ଇନ୍ଧନ ଦେଇଛନ୍ତି ଅମର ।
ସେପଟେ ମଙ୍ଗଳବାର ବରିଷ୍ଠ ସାମ୍ବାଦିକ ତଥା ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ବିଜେଡିକୁ ତାତ୍ସଲ୍ୟ କରି କହିଥିଲେ ମତେ ତ ଦେଖିବାକୁ ଭାରି ମଜା ଲାଗୁଚି, କେମିତି ଗଡ କଡାମ ହେଇ ଖସୁଛି ବିଜେଡି। ଆଲୋ ସଖୀ ଆପଣା ମହତ ଆପେ ରଖି କହିବା ସହ ବିଜେଡି ଓଡ଼ିଆ ଲୋକଙ୍କ ଦଳ, କାହା ପୈତୃକ ସମ୍ପତ୍ତି ନୁହଁ ବୋଲି କହିଥିଲେ ତଥାଗତ । ଏଥିସହ ବିଜେଡ଼ି ନୂଆ ନାମ, ନୂଆ ରୂପ ଓ ନୂଆ ଆକାର ରେ ଆସିବାର ସମ୍ଭାବନା ଅଛି। କିଏ ଆସିବ ସିଏ ଗୋପରେ ବଢୁଛି ବୋଲି କହିଥିଲେ ତଥାଗତ। ଯେତେବେଳେ ଓଡିଶା ବାସୀ ସୁଯୋଗ ପାଇଛନ୍ତି ସେତେବେଳେ ଆଂଚଳିକ ଦଳ କୁ ସମର୍ଥନ କରି ଆସିଛନ୍ତି। ତଥାଗତ କହିଥିଲେ, ସବୁ ଜିନିଷର ଏକ୍ସପାଏରୀ ଡେଟ୍ ଥାଏ, ଗଲା ପରେ କାମ କରେନି । ବିଜେଡିର ମଧ୍ୟ ଏକ୍ସପାଏରୀ ଡେଟ୍ ପଳେଇଲାଣି । ଏଥିସହିତ ବିଜେଡି ବିଜେପିର ବିକଳ୍ପ ଭାବେ ଦେଖାଯାଇଥିବା ପ୍ରଶ୍ନରେ ତଥାଗତ କହିଛନ୍ତି କଂଗ୍ରେସକୁ ଓଡ଼ିଶା ଲୋକେ ଚାହୁଁ ନାହାନ୍ତି ।
ତେବେ କହିରଖୁଛୁ, କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ଓଳାସୁଣୀ ଗୁମ୍ଫା ପୀଠରେ ପୂର୍ବତନ ବିଜେଡି ନେତାମାନଙ୍କର ଏକ ସମାବେଶ ଓଡ଼ିଶାରେ ଏକ ନୂତନ ରାଜନୈତିକ ବିକଳ୍ପ ଗଠନ ସମ୍ପର୍କରେ କଳ୍ପନାଜଳ୍ପନାକୁ ତେଜିଥିଲା । ଯେଉଁଥିରେ ଅମର ସତପଥୀ, ପ୍ରଭାତ ତ୍ରିପାଠୀ, ସୌମ୍ୟରଞ୍ଜନ ପଟ୍ଟନାୟକ, ପ୍ରସନ୍ନ ପାଟସାଣୀ, ରବି ପାଣି ଏବଂ ରାମଚନ୍ଦ୍ର ହାଂସଦାଙ୍କ ଭଳି ପ୍ରମୁଖ ବ୍ୟକ୍ତିତ୍ୱଙ୍କୁ ଦେଖିବାକୁ ମିଳିଥିଲା । ଯାହା ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଥିବା ବେଳେ ନେତାମାନେ ଏହି କାର୍ଯ୍ୟକ୍ରମକୁ ଏକ ବ୍ୟକ୍ତିଗତ ସମାବେଶ ଭାବରେ ବର୍ଣ୍ଣନା କରିଥିଲେ । ହେଲେ ରାଜନୈତିକ ପର୍ଯ୍ୟବେକ୍ଷକମାନେ ଏହାକୁ ଏକ ନୂତନ ରାଜନୈତିକ ସଂଗଠନର ମୂଳଦୁଆ ଭାବରେ ଦର୍ଶାଇଥିଲେ । ଆଉ ଏବେ ବରିଷ୍ଠ ନେତାମାନଙ୍କ ମଧ୍ୟରେ ଅସନ୍ତୋଷ, ବିଶେଷକରି ୱାକଫ୍ ବିଲ୍ ଏବଂ ଉପରାଷ୍ଟ୍ରପତି ନିର୍ବାର୍ବାଚନରେ ଦଳର ମତ ଏବଂ ଜିଲ୍ଲା ନେତୃତ୍ବରେ ବରିଷ୍ଠଙ୍କୁ ଅଣଦେଖା ଭଳି ପ୍ରସଙ୍ଗ ଉପରେ ବିଜେଡିରେ ବିଦ୍ରୋହର ଆଲୋଚନାକୁ ତ୍ୱରାନ୍ୱିତ କରିଥିବା ବେଳେ ଏବେ ନୂଆ ବିଜେଡି ଦଳ ଗଠନ ନିଆଁକୁ ଆହୁରି ତେଜିଛି ।
https://www.youtube.com/watch?v=i5qBim7v5Xk
Comments are closed.