Latest Odisha News

ଇଭିଏମ୍ ଟାମ୍ପରିଂ ! ବିଜେଡି ଆଣିଲା ବଡ଼ ଅଭିଯୋଗ

ଭୁବନେଶ୍ବର: କେମିତି ନିର୍ବାଚନ ଜିତିଲା ବିଜେପି? ଦଳର ବିଜୟ ଜନାଦେଶ ନା ଯନ୍ତ୍ରାଦେଶ ? ଭୋଟ୍ ଭେଳିକି ଦେଖାଇ କରାଯାଇଥିଲା କି ଇଭିଏମ୍ ଟାମ୍ପରିଂ ? ଜନତାଙ୍କ ସ୍ବର ଦବାଇ ଇଭିଏମରେ କରାଯାଇଥିଲା କି ଖେଳ ? ଗଣତନ୍ତ୍ର ପ୍ରତି ବିଜେପି କରିଛି କି ଷଡ଼ଯନ୍ତ୍ର? ରାଜ୍ୟରେ କେମିତି ୨୦ଟି ଲୋକସଭା ଆସନ ଜିତିଲା ବିଜେପି ? କେମିତି ୨୪ବର୍ଷ ଶାସନରେ ରହିଥିବା ବିଜେଡି ଲୋକସଭାରେ ହୋଇଗଲା ଶୂନ ? ନିର୍ବାଚନ ଫଳାଫଳ ଘୋଷଣାର ଦୁଇ ମାସ ପରେ ଜନାଦେଶ ପଛରେ ବଡ଼ ଷଡ଼ଯନ୍ତ୍ରକୁ ନେଇ ଅଭିଯୋଗ ଆଣିଛି ବିଜେଡି । ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ।

କାହିଁକି ସ୍ବଚ୍ଛତାକୁ ନେଇ ପ୍ରଶ୍ନ?

ଇଭିଏମ ଟାମ୍ପରିଂ ନେଇ ବଡ ଅଭିଯୋଗ ଆଣିଛନ୍ତି ଲେଖାଶ୍ରୀ । ମତଦାନ ଦିନ ପଡିଥିବା ଭୋଟ୍ ଓ ଗଣତି ଦିନ କାଉଣ୍ଟ ହୋଇଥିବା ଭୋଟ୍ ମଧ୍ୟରେ ୫କୋଟିର ବ୍ୟବଧାନ ରହିଥିବା ଏଡିଆର ରିପୋର୍ଟରେ ସୂଚନା ମିଳିଛି । ଫଳରେ ଜିତିଥିବା ଦଳର ବିଜୟ ପଛରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦେଶର ମୋଟ୍ ୫୪୧ ଆସନ ମଧ୍ୟରୁ ୫୩୮ଟିରେ ଭୋଟର ବ୍ୟତିକ୍ରମ ଦେଖାଦେଇଛି । ରାଜ୍ୟର ୧୮ଟି ଲୋକସଭା ଆସନ ସହ ଦେଶର ୭୯ଟି ଆସନରେ ଫଳାଫଳ ଅଲଗା ହୋଇଥାନ୍ତା । ଏପରିକି ଦେଶରେ ତୃତୀୟ ଥର ପାଇଁ ବିଜେପି ସରକାର ଆସିନଥାନ୍ତା । ଗତ କିଛି ନିର୍ବାଚନରେ ସମ୍ବିଧାନର ବେକ ମୋଡି ବିଜେପି ନିର୍ବାଚନ ଜିତିଥିବା ଲେଖାଶ୍ରୀ କହିଛନ୍ତି ।

ଗଣତନ୍ତ୍ର ପ୍ରତି ବିଜେପିର ଷଡ଼ଯନ୍ତ୍ର !

ଆନ୍ଧ୍ରପ୍ରଦେଶ ଓ ଓଡିଶାରେ ବିଜେପି ଇଭିଏମ୍ ଜାଲିଆତି ପରି ସାଂଘାତିକ ଷଡଯନ୍ତ୍ର କରିଥିବା ଲେଖାଶ୍ରୀ କହିଛନ୍ତି । ୨୦୧୯ରେ ବିଜେପି ଓଡିଶାରେ ମାତ୍ର ୮ଟି ଲୋକସଭା ଆସନ ଜିତିଥିବା ବେଳେ ଏଥର କେମିତି ହଠାତ୍ ୨୧ରୁ ୨୦ଟି ଜିତିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ଠିକ୍ ସେହିପରି ଗତଥର ୧୨ଟି ଲୋକସଭା ସିଟ୍ ଜିତିଥିବା ବିଜେଡି ଶୂନ ହେଇଯିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ଗୋଟେ ଜାଗାରେ ଲୋକ ଭୋଟ୍ ଦେଉଛନ୍ତି ଆଉ ଜଣେ ଜିତିକି ଆସୁଛନ୍ତି । ଗଣତନ୍ତ୍ର ପାଇଁ ଏହା ବିପଦ ବୋଲି ବିଜେଡି କହିଛି ।

ହ୍ୟାକ୍ ହୋଇପାରିବ କି ଇଭିଏମ୍?

ଇଭିଏମରେ ଟାମ୍ପରିଂ ସମ୍ଭବ କି? କୌଣସି ଉପାୟରେ ଇଭିଏମ୍ ହ୍ୟାକ ହୋଇପାରିବ କି? ଏନେଇ ବହୁ ପୂର୍ବରୁ ଚର୍ଚ୍ଚା ଆଲୋଚନା ହୋଇଆସୁଛି। ଏହାକୁ ନେଇ ସୁପ୍ରିମକୋର୍ଟରେ ୨୦୧୯ରୁ କେସ୍ ଚାଲିଛି । ଇଭିଏମ୍ କେନ୍ଦ୍ରୀୟ ସଂସ୍ଥା ତିଆରି କରୁଛି। ତେବେ ଏହାର ପ୍ରୋଗ୍ରାମିଂରେ ବଡ ଗଡବଡି ହୋଇଥିବା ଲେଖାଶ୍ରୀ କହିଛନ୍ତି । ନିର୍ବାଚନ ଅନିୟମିତତା ନେଇ ବିଜେଡି ବଡ ଅଭିଯୋଗ ଆଣିଥିବା ବେଳେ କଂଗ୍ରେସ ବି ସ୍ବର ମିଳାଇଛି । ଯେଉଁଠି ମୋଦି ଲହର ନଥିଲା ସେଠାରେ ବିଜେପି ଆସିଛି । ନିର୍ବାଚନ ଫଳାଫଳ ସମୀକ୍ଷା ବେଳେ ଇଭିଏମ୍ ଟାମ୍ପରିଂ ସନ୍ଦେହ ବଢୁଥିବା କଂଗ୍ରେସ କହିଛି ।

କ୍ଷମତାରୁ ଯିବା ପରେ କାହିଁକି ଅଭିଯୋଗ?

ଗତ ୨୪ବର୍ଷ ହେଲା ବିଜେଡି ରାଜ୍ୟରେ କ୍ଷମତାରେ ରହିଥିଲା । କ୍ଷମତାରୁ ଯିବା ପରେ କାହିଁକି ଇଭିଏମ୍ ଟାମ୍ପରିଂ କଥା କହୁଛି ବୋଲି ବିଜେପି ପ୍ରଶ୍ନ କରିଛି । ଯଦି ଇଭିଏମ୍ ଟାମ୍ପରିଂ ହୋଇଥିଲା ତେବେ ବିଜେଡି କେମିତି ୫୧ଟି ବିଧାନସଭା ସିଟ୍ ଜିତିଲା ବୋଲି ବିଜେପି ପ୍ରଶ୍ନ କରିଛି । ଚଳିତ ନିର୍ବାଚନରେ ରାଜ୍ୟରେ ବିଜେଡି କ୍ଷମତାଚ୍ୟୁତ ହୋଇଥିବା ବେଳେ ପ୍ରଥମ ଥର ପାଇଁ ସରକାର ଗଠନ କରିଛି ବିଜେପି। ତେବେ ଏଡିଆର ରିପୋର୍ଟ ଆଧାରରେ ଇଭିଏମ୍ ଟାମ୍ପରିଂକୁ ନେଇ ବିଜେପିକୁ ଘେରିଛି ବିଜେଡି।

Comments are closed.