Latest Odisha News

BREAKING NEWS

ପଦ୍ମପୁରରେ ବିଜେଡି, ବିଜେପି, କଂଗ୍ରେସ କାହାର ଅଛି କେତେ ଦବଦବା

ପଦ୍ମପୁର: ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀପତ୍ର ଦାଖଲ ପରେ ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଚାର । ବିଜେଡି , ବିଜେପି, କଂଗ୍ରେସ ଦଳର ପ୍ରାର୍ଥୀମାନେ ବରିଷ୍ଠ ନେତାମାନଙ୍କ ସହ ବସି ଏନେଇ ରୁଟ ଚାଟ୍ ବନାଇଛନ୍ତି । କେଉଁ ଅଂଚଳରେ କେଉଁ ଷ୍ଟାର ପ୍ରଚାରକ ପ୍ରଚାର କରିବେ ତାହାର ତାଲିକା ମଧ୍ୟ ପ୍ରସ୍ତୁତ ହୋଇଯାଇଛି । ତେବେ ଏହି ଉପନିର୍ବାଚନ ଓଡ଼ିଶା ରାଜନୀତି ପାଇଁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ  ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଉପନିର୍ବାଚନ  ଜିତିବା ବିଜେଡି, ବିଜେପି, କଂଗ୍ରେସ ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ।

ବିଶେଷ କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ଉପନିର୍ବାଚନର ଫଳାଫଳ ସବୁ ଦଳ ପାଇଁ ଏକ ପରୀକ୍ଷା ସଦୃଶ ହୋଇଛି । ବିଜେଡି ପାଇଁ ଏହି ଆସନ ଜିତିବା ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ବିଜେପି ପାଇଁ ଏହା ଏକ ଆହ୍ବାନ । ସେହିପରି ଗତ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ଥିବାବେଳେ ଚଳିତ ଉପନିର୍ବାଚନରେ ଦଳ କେତେ ଭୋଟ ପାଉଛି ତାହାର ଫଳାଫଳ ଅପେକ୍ଷାରେ ରହିଛି ଦଳ ।

ଗତ ୨୦୧୯ ନିର୍ବାଚନକୁ ଦେଖିଲେ ବିଜେପିର ପ୍ରାର୍ଥୀ ପ୍ରଦୀପ ପୁରୋହିତ ୫,୭୩୪ ଭୋଟ୍ ବ୍ୟବଧାନରେ ଏହି ଆସନରୁ ପରାଜିତ ହୋଇଥିଲେ ।  ମୋଟ ୨ ଲକ୍ଷ ୧୭୨୯ ଭୋଟର ଥିବାବେଳେ  ୪୧.୨୯ ପ୍ରତିଶତ ଭୋଟ ହାସଲ କରି ବିଜେଡିର ବିଜୟ ରଂଜନ ସିଂହ ବରିହା ଏହି ଆସନ ଜିତିଥିଲେ । ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀମାନେ ଯଥାକ୍ରମେ ୩୮.୪୫ ପ୍ରତିଶତ ଏବଂ ୧୬.୨୫ ପ୍ରତିଶତ ଭୋଟ୍ ପାଇଥିଲେ । ସତ୍ୟଭୂଷଣ ପାଇଥିବା କଂଗ୍ରେସ ଭୋଟରୁ ଯଦି ବିଜେଡି  କିଛି ଭୋଟ ହାତେଇ ନିଏ ତେବେ ବିଜେଡି ପାଇଁ ଏହା ଜିତିବାର ଏକ କାରଣ ହୋଇପାରେ । କଂଗ୍ରେସ ଭୋଟକୁ ଯଦି ବିଜେପି ବି ହାତେଇପାରେ ତେବେ ବିଜେପି ବି ଜିତିପାରେ । ତେବେ ସତ୍ୟଭୂଷଣ ଏଥର କେତେ ଭୋଟ ପାଉଛନ୍ତି ତାହା କଂଗ୍ରେସର ପ୍ରଚାର ଏବଂ ଖର୍ଚକୁ ଦେଖିବା ପରେ କହିହେବ ।

ଗତ ନିର୍ବାଚନରେ ବିଜୟ ସିଂ ବରିହା ପାଇଥିଲେ ୮୩ ହଜାର ୨୯୯ ଭୋଟ । ପ୍ରଦୀପ ପୁରୋହିତ ପାଇଥିଲେ ୭୭ ହଜାର ୫୬୫ ଭୋଟ  । କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ପାଇଥିଲେ ୩୨ ହଜାର ୭୮୭ ଭୋଟ । ଗତଥର ଭୋଟ ବ୍ୟବଧାନ ଦେଖିବାକୁ ଗଲେ ୨ ପ୍ରତିଶତ ଭୋଟ ହିଁ ବିଜେଡିକୁ ବିଜୟ କରିବାରେ ସାହାଯ୍ୟ କରିଥିଲା । ଏପରିକି ଦୁଇ ପ୍ରତିଶତ ଭୋଟ ପାଇଥିବା ସ୍ବାଧୀନ ପ୍ରାର୍ଥୀ ରାଜୁଙ୍କୁ ଏଥର ବିଜେଡି ନିଜ ଦଳକୁ ନେଇଯାଇଛି । ଗତଥର ସେ ୪୫୧୨ ଭୋଟ ପାଇଥିଲେ ।

ନିକଟରେ ଉପକୂଳ ଓଡ଼ିଶାରେ ବିଜେପି ଭଲ ପ୍ରଦର୍ଶନ କରି ଏକପ୍ରକାର ମନୋବଳ ଦୃଢ଼ରେ ରଖିଛି । ଭଦ୍ରକ ଜିଲ୍ଲାରେ ଧାମନଗର ଉପ ନିର୍ବାଚନରେ ବିଜୟୀ ହୋଇଥିବା ବିଜେପି ଶାସକ ବିଜେଡିର ଶକ୍ତିଶାଳୀ ରଣନୀତିକୁ ପରାହତ କରି ବିଜୟୀ ହୋଇଥିବାରୁ  ବିଜେପି ଏଠି ମଧ୍ୟ କଡ଼ା ମୁକାବିଲା କରିବାକୁ ରଣନୀତି ପ୍ରସ୍ତୁତ କରୁଛି। ତେବେ ବିଜେଡି ୨୦୦୮ ପରଠାରୁ କୈାଣସି ଉପନିର୍ବାଚନରେ ହାରିନଥିବା ବେଳେ କେବଳ ଧାମନଗରରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି । ଧାମନଗରରେ କରାଯାଇଥିବା ଭୁଲକୁ ବିଜେଡି ପଦ୍ମପୁରରେ ଦୋହାରାଇବାକୁ ଚାହିଁବ ନାହିଁ ।

ନିର୍ବାଚନ ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ପଦ୍ମପୁରର ବଡ଼ ଦାବି ଜିଲ୍ଲା ଗଠନକୁ ସମର୍ଥନ କରିଛନ୍ତି । ଚାଷୀମାନଙ୍କ ଦାବିକୁ ମଧ୍ୟ ମାନି ଇନପୁଟ ସବସିଡ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଫସଲ ବୀମା ମଧ୍ୟ ଚାଷୀଙ୍କୁ ଦେବାକୁ କେନ୍ଦ୍ର କୃଷୀମନ୍ତ୍ରୀ ବୀମା କଂପାନିଙ୍କୁ ନିର୍ଦେଶ ଦେଇଛନ୍ତି । ଏସବୁ ଭିତରେ ଏବେ ପ୍ରଚାର ଉପରେ ନଜର ରଖିଛନ୍ତି ପଦ୍ମପୁରବାସୀ । ଏଠାରେ ବିଜେପି ଏବଂ ବିଜେଡି ମଧ୍ୟରେ କଡା ମୁକାବିଲା ହେବ ବୋଲି ରାଜନୀତି ସମୀକ୍ଷକଙ୍କ ମତ । ରାଜନୀତି ବିଶ୍ଲେଷକଙ୍କ କହିବା କଥା ବିଜେପି ଏବଂ ବିଜେଡିର ଜିତିବା ହାର ୫୦-୫୦ ରହିଛି । କାରଣ ଏଠାକାର ଚାଷୀଙ୍କ ଭୋଟ ତିନି ଦଳଙ୍କ ମଧ୍ୟରେ ବାଣ୍ଟି ହୋଇ ରହିଛି । ଗତ ଦଶ ବର୍ଷ ହେଲା ଏଠାରେ ଫାଇଟ ବିଜେପି – ବିଜେଡି ମଧ୍ୟରେ ହେଉଥିବା ବେଳେ କଂଗ୍ରେସ ପ୍ରାର୍ଥୀ ମଧ୍ୟ ୧୬ ପ୍ରତିଶତ ପକେଟ ଭୋଟ ରଖିଥିବା ଦେଖାଯାଇଛି ।

Padampur Bypoll On Last Day Of Nomination BJD, BJP & Congress Candidate Filed Nomination

ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ଏଥର ପଦ୍ମପୁରରେ ନୂଆ ମୁହଁ । ତାଙ୍କୁ ପଦ୍ମପୁରବାସୀ କେତେ ଗ୍ରହଣ କରୁଛନ୍ତି ତାହା ମଧ୍ୟ ଏବେ ଆକଳନ କରିବା ଭୁଲ ହେବ । କାରଣ ବର୍ଷାଙ୍କ ପରିବାର ରାଜନୀତିରେ ବହୁଦିନ ଧରି ପଦ୍ମପୁରବାସୀଙ୍କ ସେବା କରିଆସିଛି । ପିତାଙ୍କ ଅଧୁରା କାମଙ୍କୁ ପୂର୍ଣ୍ଣ କରିବା ତାଙ୍କର ପ୍ରଥମ କାମ ହେବ ବୋଲି ନାମାଙ୍କନ ପତ୍ର ଦାଖଲ କରିବା ପରେ ବର୍ଷା କହିଛନ୍ତି । ତାଙ୍କ ପାଇଁ ଆଉ ଏକ ଫାଇଦା ହେଉଛି ଅନୁକଂପାମୂଳକ ଭୋଟ । ବିଜୟ ରଂଜନ ସିଂ ବରିହାଙ୍କ ବିୟୋଗ ପରେ ପଦ୍ମପୁରବାସୀଙ୍କ ଅନୁକମ୍ପାମୂଳକ ଭୋଟ ବର୍ଷାଙ୍କୁ କେତେ ଫାଇଦା ଦେବ ତାହା ଭୋଟ ଫଳାଫଳ ପରେ ହିଁ ଜଣାପଡିବ । ସେପଟେ ପ୍ରଦୀପ ପୁରୋହୀତଙ୍କ ମଧ୍ୟ ଜିତିବାର ବହୁ ସମ୍ଭାବନା ରହିଛି ।

କାରଣ ବରଗଡ଼ ଜିଲ୍ଲାକୁ ଦେଖିଲେ ଏଠାରେ ବିଜେପିର ଦବଦବା ରହିଛି । ପଶ୍ଚିମ ଓଡ଼ିଶାରେ ଏହି ଜିଲ୍ଲାରେ ବିଜେପି ଗତ ୨୦୦୯ର ନିର୍ବାଚନ ପରଠାରୁ ୧୦ ବର୍ଷ ଭଲ ହେଲା ଭଲ ପ୍ରଦର୍ଶନ କରି ଆସୁଛି । ଏପରିକି ବରଗଡ଼ ଲୋକସଭା ଆସନ ମଧ୍ୟ ଏବେ ବିଜେପି ହାତରେ ରହିଛି । ଏଠାରୁ ସୁରେଶ ପୂଜାରୀ ୪୬ ପ୍ରତିଶତ ଭୋଟ (୫,୮୧,୨୪୫ )ପାଇଥିଲେ । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର‌୍ୟ୍ୟ ୪୧ପ୍ରତିଶତ ଭୋଟ (୫,୧୭,୩୦୬) ପାଇଥିଲେ ।

ସେହିଭଳି ଦେଖିବାକୁ ଗଲେ ଜିଲ୍ଲାର ୭ ଟି ବିଧାନସଭା ଆସନ ବିଜେଡି ହାତରେ ଥିବା ବେଳେ ବିଜେପି ହାତରେ ଲୋକସଭା ଆସନ ରହିଛି । ତେଣୁ ଏହି ଆସନରେ କିଛି ବି ଘଟିପାରେ । ବିଶେଷ କରି ଧାମନଗର ଭଳି ପଦ୍ମପୁରକୁ ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିବାକୁ ନଯାଆନ୍ତି ତେବେ ଏହା ବିଜେଡି ପାଇଁ ମହଙ୍ଗା ହୋଇପାରେ ବୋଲି ରାଜନୈତିକ ବିଶ୍ଲେଷକମାନେ ଆଲୋଚନା କରୁଛନ୍ତି ।

ତେଣୁ ଦେଖିବାକୁ ଗଲେ ଶଙ୍ଖ ଏବଂ ପଦ୍ମ ଚିହ୍ନ ମଧ୍ୟରେ ଏଥର କଡା ଟକ୍କର ଦେଖିବାକୁ ମିଳିବ । କିନ୍ତୁ କଂଗ୍ରେସର ବି ଏକ ଫ୍ୟାକ୍ଟର ଏଠାରେ ଅଛି । ପଦ୍ମପୁରବାସୀ ଏହି ମୁକାବିଲାରେ କାହାକୁ ସମର୍ଥନ ଦେଉଛନ୍ତି ତାହାକୁ ଅପେକ୍ଷା ।

Leave A Reply

Your email address will not be published.