Latest Odisha News

BREAKING NEWS

ଚଳିତ ମାସ ଓଡ଼ିଶାର ତିନି ଦଳ ୨୦୨୪ ପାଇଁ ପ୍ରସ୍ତୁତ କରିବେ ରଣନୀତି

ଭୁବନେଶ୍ୱର: ସାଧାରଣ ନିର୍ବାଚନ ପାଇଁ ଆଉ ଦୁଇ ବର୍ଷ । ଏହା ପୂର୍ବରୁ ସବୁ ପ୍ରମୁଖ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଉ ଓଡ଼ିଶାରେ ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସ ସକ୍ରିୟ ହେବାକୁ ଯାଉଛନ୍ତି। ରାଜନୈତିକ ଦଳ ଗୁଡିକର ଚଳିତ ମାସରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ଯାହାକି ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଏହି ସବୁ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ସୂଚନା ରହିଛି।

BjdElectrycity

ଓଡ଼ିଶା ବିଜେପିର ନୂୂଆ ପ୍ରଭାରୀ ତଥା କେନ୍ଦ୍ର ବିଜେପିର ଅନ୍ୟତମ ବିଶ୍ୱସ୍ତ ନେତା ସୁନୀଲ ବଂଶଲ ସେପ୍ଟେମ୍ବର ୫ ଓ ୬ ତାରିଖରେ ଓଡ଼ିଶା ଆସୁଛନ୍ତି। ରାଜ୍ୟରେ ଦଳର ସ୍ଥିତି ପରଖିବା ସହ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ। ପରେ ଦଳର ସାଧାରଣ ସମ୍ପାଦକ ବି. ଏଲ୍. ସନ୍ତୋଷ ମଧ୍ୟ ଓଡ଼ିଶା ଗସ୍ତରେ ଆସିବେ। ନେତା ଓ କର୍ମୀଙ୍କୁ ଭେଟି ଆଗାମୀ ବଡ଼ ଲଢେଇ ପାଇଁ ପ୍ରଶିକ୍ଷଣ ଦେବେ।

ଚଳିତ ମାସ ଶେଷ ଆଡ଼କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସିବେ। ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେ ବିଗୁଲ ବଜାଇବେ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏହି ଗସ୍ତ ସମୟରେ ସେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ।ସେପ୍ଟେମ୍ବର ୧୩ରୁ ଏଥିପାଇଁ ତିନି ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ। ଦଳ ସାଧାରଣ ନିର୍ବାଚନକୁ କିଭଳି ସଫଳତାର ସହ ସାମ୍ନା କରିବ ସେଥିପାଇଁ ଉଦ୍ୟମ ହେବ ବୋଲି ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି।

ବିଜୁ ଜନତା ଦଳ ମଧ୍ୟ ପଛରେ ନାହିଁ। ବିଜେପିକୁ କାଉଣ୍ଟର କରିବା ପାଇଁ ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସନ୍ତାକାଲି ଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ୟାପିଟାଲ ଫାଉଣ୍ଡେସନ ତରଫରୁ ଆଜୀବନ ସମ୍ମାନରେ ସମ୍ମାନିତ କରାଯିବ। ଏଥିରେ ଦିଲ୍ଲୀରେ ରହୁଥିବା ହଜାର ହଜାର ଓଡ଼ିଆ ପ୍ରବାସୀ ଯୋଗଦେବେ।

ସେପ୍ଟେମ୍ବର ୬ ତାରିଖରେ ପହଞ୍ଚିବା ପରେ ତାଙ୍କୁ ରାଜଧାନୀରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ । ଯେଉଁଥିପାଇଁ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ସବୁକିଛି ଯୋଜନା ମୁତାବକ ହେବା ପାଇଁ ଆଗଧାଡ଼ିର ନେତାଙ୍କଠାରୁ ଆରମ୍ଭ କରି ଯୁବ, ଛାତ୍ର ଓ ମହିଳା ଶାଖାର ନେତାମାନେ ଦିଲ୍ଲୀରେ ଡେରା ପକାଇଛନ୍ତି।

ବିଜେଡି ବିଧାୟକ ପ୍ରଫୁଲ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ୍ ଆଓ୍ୱାର୍ଡ ପାଇବା ସମଗ୍ର ରାଜ୍ୟ ପାଇଁ ଗର୍ବର ବିଷୟ। ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ କରାଯିବା ସ୍ୱାଭାବିକ । ନବୀନଙ୍କ କାମକୁ ସମଗ୍ର ବିଶ୍ୱ ପ୍ରଶଂସା କରୁଛି। କିଏ ରାଜନୀତି କରୁଛି ତାହା ସମସ୍ତେ ଜାଣନ୍ତି ବୋଲି ସେ କହିଛନ୍ତି।

ସେହିପରି କଂଗ୍ରେସ ମଧ୍ୟ ପଛରେ ନାହିଁ । ଦରଦାମ ବୃଦ୍ଧିକୁ ପ୍ରସଙ୍ଗ କରି ଉଭୟ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିବ ଦଳ। ସେହିପରି
ଆସନ୍ତାକାଲି ଦିଲ୍ଲୀରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବ ଦଳ। ଏଥିପାଇଁ ଦିଲ୍ଲୀରେ ଅଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ ନେତା। ସେହିପରି କନ୍ୟାକୁମାରୀରୁ ଆରମ୍ଭ ହେବାକୁ ଥିବା ‘ଭାରତ ଯୋଡ଼ୋ’ ଯାତ୍ରାରେ ରାହୁଲ ଗାନ୍ଧୀ ୩,୫୭୦ କିଲୋମିଟର ଯାତ୍ରା କରିବେ।

Leave A Reply

Your email address will not be published.