ଭୁବନେଶ୍ୱର: ଶଙ୍ଖ ଭବନ ରେ ଆଜି ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳ ପକ୍ଷରୁ ଏହି ଅବସରରେ ଆୟୋଜିତ ସମାବେଶ କୁ ଉଦଘାଟନ କରି ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାରରେ ନେତୃତ୍ୱ ସଙ୍କଟ ସୃଷ୍ଟି ହୋଇଛି। ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ଶୁଣିବାକୁ କେହି ନାହିଁ ବୋଲି ପଟ୍ଟନାୟକ କ୍ଷୋଭ ପ୍ରକାଶ କରିବା ସହ କେତେଦିନ ଏମିତି ଚାଲିବ ବୋଲି ପ୍ରଶ୍ନ କରିଥିଲେ।
ସେ କହିଥିଲେ ଯେ ବିଜୁ ଜନତା ଦଳ ମା ମାନଙ୍କ ସମ୍ପୂର୍ଣ୍ଣ ସଶକ୍ତିକରଣ ରେ ବିଶ୍ୱାସ କରେ । ଅନ୍ୟଦଳ ମାନଙ୍କ ପରି ଲୋଳ ଦେଖାଣିଆ କାମ କରେ ନାହିଁ। ମା ମାନଙ୍କ ମର୍ଯ୍ୟାଦା,ନିରାପତ୍ତା ଓ ସଶକ୍ତିକରଣ ପାଇଁ ବିଜେଡି ପ୍ରତିବଦ୍ଧତା ର ସହ କାମ କରୁଛି।ବିଜେଡି ସରକାର ସମୟରେ ମା ମାନଙ୍କ କଲ୍ୟାଣ ପାଇଁ ଅନେକ ଐତିହାସିକ ପଦକ୍ଷେପ ନେଇଥିଲା। ମା’ ମାନଙ୍କୁ ବିକାଶ ର ମୁଖ୍ୟ ଧାରାକୁ ଆଣିଥିଲା। ମା’ ମାନେ ହେଉଛନ୍ତି ବିଜେଡି ର ନୀତି ଓ ଆଦର୍ଶ ର ବାର୍ତ୍ତାବହ। ବୋଲି ନବୀନ ପଟ୍ଟନାୟକ କହିଥିଲେ।
ବିରୋଧୀ ଦଳ ନେତା ନବୀନ କହିଥିଲେ ଯେ ସମାଜ ର ବୃହତ୍ତର ବିକାଶରେ ମହିଳା ମାନଙ୍କ ଗୁରୁତ୍ୱ କୁ ବିଜୁ ବାବୁ ଭଲ ଭାବରେ ବୁଝିଥିଲେ ଏବଂ ସେ ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ବାସ୍ତବ ରେ ବିଜୁବାବୁ ହିଁ ଥିଲେ ସାରା ଦେଶ ରେ ମହିଳା ସଶକ୍ତିକରଣ ର ପଥ ପ୍ରଦର୍ଶକ। ମା ମାନଙ୍କ ପ୍ରକୃତ ସଶକ୍ତିକରଣ ସହ ମା ମାନଙ୍କ ନିରାପତ୍ତା ଓ ମର୍ଯ୍ୟାଦା ର ସୁରକ୍ଷା ପାଇଁ ବିଜେଡି ର ଲଢେଇ ଜାରି ରହିବ।
ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଦଳ ର ବରିଷ୍ଠ ନାରୀ ନେତ୍ରୀ ମାନେ ଉଦବୋଧନ ଦେଇଥିଲେ ।
Comments are closed.