ଭୁବନେଶ୍ବର/ମୁମ୍ବାଇ: ସଫଳତାର ସହ ଶେଷ ହେଲା ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର । ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ନବୀନଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ୍ ସର୍ଜରୀ ସଫଳ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା । ସେ କହିଛନ୍ତି, ଏବେ ସେ ସୁସ୍ଥ ଅଛନ୍ତି । କଥା ବି ହେଉଛନ୍ତି । ଅସ୍ତ୍ରୋପଚାର ସଫଳ ହୋଇଛି। ଆଜି ତାଙ୍କୁ ପର୍ଯ୍ୟବେକ୍ଷଣ ପାଇଁ ରଖାଯାଇଛି। ସମସ୍ତଙ୍କ ସହିତ କଥା ହେଉଛନ୍ତି । ତାଙ୍କୁ ଆଗାମୀ ୫ ରୁ ୬ ଦିନ ମଧ୍ୟରେ ଡିସଚାର୍ଜ କରାଯିବ । ଏହା ପରେ ନବୀନ ଭୁବନେଶ୍ବର ଫେରିପାରନ୍ତି ବୋଲି ଆଶା କରାଯାଉଛି ।
ଏପଟେ ନବୀନଙ୍କ ଚିକିତ୍ସା ପାଇଁ ସକାଳୁ ବିଜେଡି ପକ୍ଷରୁ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରି ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ରଙ୍କ ସମେତ ଅନ୍ୟ ବିଜେଡି କର୍ମୀ । ମନ୍ଦିରରେ ଏକ ବଡ ଘିଅ ଦୀପ ଜାଳିଥିଲେ । ଅନ୍ୟପକ୍ଷେ ଭୁବନେଶ୍ବର ରାମ ମନ୍ଦିରରେ ୨୦୧ ସମୂହ ଦୀପଦାନ କରିଛି ବିଜେଡି। ଦଳୀୟ ବିଧାୟକ ଏବଂ ନେତା ଉପସ୍ଥିତ ରହି ଦୀପଦାନ ସହ ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ସେହିପରି କଟକ ଗଡ଼ଗଡ଼ିଆ ମନ୍ଦିରରେ ମଧ୍ୟ ବିଜେଡି ପକ୍ଷରୁ ସମୂହ ଦୀପଦାନ କରାଯାଇଛି।
ତେବେ ଗତ ୨୦ ତାରିଖରେ ନବୀନ ତାଙ୍କ ସର୍ଭାଇକାଲ ଆର୍ଥ୍ରାଇଟିସ୍ ସର୍ଜରୀ ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ଭୁବନେଶ୍ବର ବିମାନବନ୍ଦରରେ ତାଙ୍କୁ ଶୁଭେଚ୍ଛୁ ଏବଂ ଦଳୀୟ ନେତା, କର୍ମୀଙ୍କ ଠାରୁ ବିଦାୟ ନେଇ ମୁମ୍ବାଇ ଯାଇଥିଲେ ନବୀନ । ଆଜି ତାଭ୍କର ଚିକିତ୍ସା ନେଇ ପୂର୍ବରୁ ସୂଚନା ଦେଇଥିଲେ ନବୀନ । ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସପିଟାଲରେ ତାଙ୍କର ଚିକିତ୍ସା ହେବା ପୂର୍ବରୁ ସେ ଗତ ବୁଧବାର ଏକ୍ସ ଯୋଗେ ସ୍ୱାସ୍ଥ୍ୟ ସଂକ୍ରାନ୍ତୀୟ ସୂଚନା ଦେଇଥିଲେ । ନବୀନ କହିଥିଲେ, ଜୁନ୍ ୨୨ ତାରିଖରେ ସର୍ଭାଇକାଲ ଆର୍ଥ୍ରାଇଟିସ୍ ପାଇଁ ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସା ହେବ । ମହାପ୍ରଭୁଙ୍କ ଅଶୀର୍ବାଦ ଏବଂ ଓଡିଶାବାସୀଙ୍କ ଶୁଭେଚ୍ଛା କାମନା କରୁଛି । ଖୁବ ଶୀଘ୍ର ଭଲ ହୋଇ ଫେରିବି ଓ ଓଡିଶାବାସୀଙ୍କ ସେବା କରିବି ।’
ତେବେ ଏବେ ନବୀନଙ୍କ ଅନୁପସ୍ଥିତିରେ ବିଜେଡିର ସମସ୍ତ ଦାୟିତ୍ୱ ତୁଲାଉଛନ୍ତି ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର । ନବୀନଙ୍କ ଫେରିବା ପର୍ଯ୍ୟନ୍ତ ମିଶ୍ର ବିଜେଡିର ରାଜନୈତିକ ବ୍ୟାପାର କମିଟି ସହ ଦଳର କାର୍ଯ୍ୟକାରିତା ତଦାରଖ କରିବେ ।
Comments are closed.