ଭୁବନେଶ୍ୱର: ନୂଆବର୍ଷଠୁ ନୂଆ ରୂପରେ ନଜର ଆସିବ ବିଜୁ ଜନତା ଦଳ। ଯୁବ ଓ ଛାତ୍ର ଟିମ୍ ଗଠନ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜୁ ଯୁବ ଜନତା ସହିତ ବିଜୁ ଛାତ୍ର ବାହିନୀର ରାଜ୍ୟସ୍ତରୀୟ କମିଟି ଘୋଷଣା ହୋଇଛି। ଯୁବ ଜନତା କମିଟିରେ ୪ କାର୍ଯ୍ୟକାରୀ ସଭାପତି ସହ ଛାତ୍ର ଦଳରେ ୫ କାର୍ଯ୍ୟକାରୀ ସଭାପତି ରହିଛନ୍ତି। ବିଜେଡ଼ି ସଭାପତିଙ୍କ ଅନୁମୋଦନ କ୍ରମେ ନାଁ ଘୋଷଣା ହୋଇଛି।
ବିଜୁ ଯୁବ ଜନତା ଦଳରେ ୪ କାର୍ଯ୍ୟକାରୀ ସଭାପତି ସହିତ ୨ ଜଣ ମହାସଚିବ ନାଁ ଘୋଷଣା କରିଛି ଦଳ । ସେହିପରି ୧୫ ବରିଷ୍ଠ ଉପସଭାପତିଙ୍କ ସହ ୫୩ ଜଣ ଉପସଭାପତି ରହିଛନ୍ତି । ୮୫ ଜଣ ସାଧାରଣ ସମ୍ପାଦକ ବିଜୁ ଯୁବ ଜନତା ଦଳରେ ରହିଛନ୍ତି । ସେହିପରି ବିଜୁ ଛାତ୍ର ଜନତା ଦଳରେ ଜିଲ୍ଲା କମିଟିରେ ୧୪୫ ସଦସ୍ୟ ସାମିଲ ହୋଇଛନ୍ତି । ଟିମ୍ରେ ୫ କାର୍ଯ୍ୟକାରୀ ସଭାପତି, ୨ ଜଣ ଜେନେରାଲ ସେକ୍ରେଟାରୀ ରହିଛନ୍ତି । ୧୫ ବରିଷ୍ଠ ଉପସଭାପତିଙ୍କ ସମେତ ୩୪ ଉପସଭାପତି ରହିଛନ୍ତି।
ବିଜୁ ଛାତ୍ର ଜନତା ଦଳର କମିଟିରେ ଭୁବନେଶ୍ୱରର ମିକୁ ପ୍ରଧାନ କାର୍ଯ୍ୟକାରୀ ସଭାପତି ରହିଥିବାବେଳେ ରାୟଗଡ଼ାର ବିଷ୍ଣୁ ପ୍ରସାଦ ପଣ୍ଡା,କଟକର ଚିନ୍ମୟ ଦାସ ଓ ରାଉରକେଲାର ଅଲରଖା ଖାନ, ବିପିୟୁଟି ଭୁବନେଶ୍ୱରର ପ୍ରଦୋଶ ପରିଡା କାର୍ଯ୍ୟକାରୀ ସଭାପତି ରହିଛନ୍ତି। ସେହିପରି ବିପିୟୁଟିର ରକି ଦାସ ଓ ଭୁବନେଶ୍ୱରର ସୁଜିତ୍ ପଲଟସିଂହ ଜେନେରାଲ ସେକ୍ରେଟେରୀ ରହିଛନ୍ତି। ସେହିପରି ବିଜୁ ଯୁବ ଜନତା ଦଳରେ ବାଲେଶ୍ୱରର ଶୁଭେନ୍ଦୁ ମଙ୍ଗରାଜ, ବଲାଙ୍ଗୀରର ରାଜେନ୍ଦ୍ର ହୋତା, ଗଞ୍ଜାମର ପ୍ରଶାନ୍ତ ପଣ୍ଡା ଓ ଭୁବନେଶ୍ୱରର ଅମିର ଅହମ୍ମଦଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିଛି।
ନିକଟରେ ୨୯ତମ ପ୍ରତିଷ୍ଠା ଦିବସ ପାଳିଥିଲା ବିଜୁ ଜନତା ଦଳ । ବିରୋଧୀ, ସମାଲୋଚକ ଓ ରାଜନୈତିକ ପଣ୍ଡିତଙ୍କୁ ନବୀନ ଦେଇଥିଲେ କଡ଼ା ଜବାବ। ପ୍ରତିଷ୍ଠା ଦିବସରେ ନବୀନ ସିଧାସିଧା କହିଥିଲେ ଗଣତନ୍ତ୍ରରେ ହାରଜିତ୍ ରହିଛି । ଏବେ କିଛି ଲୋକ, କିଛି ଦଳ ଆମ ବିଷୟରେ ଅପପ୍ରଚାର କରୁଛନ୍ତି ଯେ ବିଜୁ ଜନତା ଦଳ ଭାଙ୍ଗି ଯିବ। ଏମିତି ଗୁଜବ ଚାଲିଛି। ହେଲେ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ବିଜେଡି ଅଛି, ରହିବ। ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ସ୍ୱର ହୋଇ ରହିବ ବିଜେଡି।