Latest Odisha News

BREAKING NEWS

ରାଜ୍ୟରେ ସାର ଯୋଗାଣରେ ବ୍ୟତିକ୍ରମ ହୋଇଥିବା ସ୍ପଷ୍ଟ: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ଅଭାବକୁ ନେଇ କୃଷକମାନେ ରାଜରାସ୍ତାକୁ ଓହ୍ଲାଇଥିବା ବେଳେ ବିଜୁ ଜନତା ଦଳ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ରାଜ୍ୟରେ ସାରର ଅଭାବକୁ ନେଇ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି ଏବଂ ସାରର କଳାବଜାରୀ ମଧ୍ୟ ଚାଲିଛି।

ସେ ଆହୁରି ମଧ୍ୟ କହିଛନ୍ତି, ସରକାର ସମସ୍ୟାକୁ ଗମ୍ଭୀରତାର ସହିତ ନେବା ପରିବର୍ତ୍ତେ ସାର ପ୍ରଚୁର ପରିମାଣରେ ମହଜୁଦ ଅଛି ବୋଲି ଯୋଗାଣ ମନ୍ତ୍ରୀ କହୁଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ କୃଷକମାନେ ସାର ନପାଇ ରାଜରାସ୍ତାକୁ ଓହ୍ଲାଇଥିଲେ। ସ୍ଥିତିର ଗମ୍ଭୀରତାକୁ ଦେଖି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେପି ନଡ୍ଡାଙ୍କୁ ଚିଠି ଲେଖି ରାଜ୍ୟକୁ ଆବଶ୍ୟକୀୟ ପରିମାଣର ସାର ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ। ଏହା ସହିତ ତାଳଚେର ସାର କାରଖାନାକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଅନୁରୋଧ କରିଥିଲେ। ଯାହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ସ୍ଥିତିର ସମୀକ୍ଷା କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ତେବେ ଯେଉଁ ସାର କୃଷକଙ୍କୁ ପ୍ରଦାନ କରାଯାଉଛି ବୋଲି ସରକାରଙ୍କ ତରଫରୁ କୁହାଯାଇଛି, ତାହା ବାସ୍ତବରେ ଚାଷୀଙ୍କ ପାଖକୁ ଯାଇଛି ନା ଆଉ କାହା ପାଖକୁ ଯାଇଛି ବୋଲି ବିଜେଡ଼ି ପ୍ରଶ୍ନ କରିଛି। ସମୀକ୍ଷାରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୧୨୦୦ଟି ସାର ବିକ୍ରୟ ସ୍ଥଳରେ ସାର ବିକ୍ରୟ କାର୍ଯ୍ୟ ଠିକରେ ହୋଇନଥିବା ସନେ୍ଦହରେ ରଖାଯାଇଛି । ସେହିପରି, ୬୨ଟି ବିକ୍ରୟ କେନ୍ଦ୍ରକୁ ସାମୁହିକ ଭାବେ ବନ୍ଦ କରାଯାଇଥିବା ବେଳେ ୩୦ଟି ବିକ୍ରୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଏହି ତଥ୍ୟରୁ ସାର ବିକ୍ରିରେ ଅନିୟମିତତା ରହିଥିବା ସ୍ପଷ୍ଟ ହେଉଛି । ୪୫ କେଜି ସାର ପ୍ୟାକେଟର ବିକ୍ରି ମୂଲ୍ୟ ମାତ୍ର ୨୪୨ ଟଙ୍କା ରହିଥିବା ବେଳେ ଅନେକ ଜାଗାରେ ଏହା ୮୦୦ରୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଛି ।

ଏହିସବୁ ସମୀକ୍ଷାରୁ ସାର ବିକ୍ରିରେ ଅନିୟମିତତା ହୋଇଥିବା ସ୍ପଷ୍ଟ ହେଉଥିବା ବେଳେ ରାଜ୍ୟର ଯୋଗାଣ ମନ୍ତ୍ରୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ରାଜ୍ୟରେ ସାରର ଅଭାବ ନଥିବା ଏବଂ ସାର ବିକ୍ରିରେ କୌଣସି ଦୁର୍ନୀତି ହୋଇନାହିଁ ବୋଲି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

 

Comments are closed.