ଭୁବନେଶ୍ୱର: ମହିଳା ପୋଲିସ ଅଧିକାରୀଙ୍କୁ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧକ୍କା ମାରିବା ଘଟଣା ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଗତକାଲି ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଦଳ ପଦରୁ ଜୟନାରାୟଣଙ୍କୁ ହଟାଇବା ପାଇଁ ଦାବି କରିବା ପରେ ବିଜୁ ମହିଳା ଜନତା ଦଳ ଭୁବନେଶ୍ୱର ଲୋୟର ପିଏମଜିରେ କରିଛି ପ୍ରତିବାଦ ସଭା ।
ଶତାଧିକ ମହିଳା ବିଜେଡି କର୍ମୀ ସାମିଲ ହୋଇ ଜୟନାରାୟଣ ମିଶ୍ରଙ୍କୁ ବହିଷ୍କାର କରିବା ଦାବିରେ ନାରା ଦେଇଛନ୍ତି । ହାତରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏଥି ସହ ଜୟନାରାୟଣ ମିଶ୍ରଙ୍କ କୁଶପୁତଳିକା ଦାହ କରାଯାଇଛି ।
ମହିଳା ବିଜେଡି ପକ୍ଷରୁ ମହିଳାଙ୍କ ପ୍ରତି ଜୟନାରାୟଣଙ୍କର ଏଭଳି ଅଶାଳୀନ ବ୍ୟବହାରକୁ କଡ଼ା ସମାଲୋଚନା କରାଯାଇଛି । ବିଜେଡି କହିଛି, ବିଜେପିରେ ମହିଳା କର୍ମୀମାନେ ଜାଣିବା ଦରକାର ତାଙ୍କ ଦଳର ଜଣେ ନେତା ମହିଳାଙ୍କ ପ୍ରତି କିଭଳି ବ୍ୟବହାର କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନ ଥିବାବେଳେ ଜଣେ ଜନପ୍ରତିନିଧି ହେଇ ମହିଳାଙ୍କୁ ପ୍ରତି ଅସମ୍ମାନ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର ।
ଏପଟେ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବାବେଳେ ସେପଟେ ସମ୍ବଲପୁର ସର୍କିଟ୍ ହାଉସ୍ ଘେରିଛନ୍ତି ବିଜେଡି କର୍ମୀ ।
ଏଠି କହିରଖିବୁ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ବିଜେପି ସବୁ ଜିଲ୍ଳାରେ ଜିଲ୍ଲାପାଳଙ୍କ ଅଫିସ୍ ଘେରାଉ କରିଥିଲା । ଏହି ଘେରାଉ ବେଳେ ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଧନୁପାଲି ଥାନା ଅଧିକାରୀ ଅନୀତା ପ୍ରଧାନଙ୍କୁ ଧକ୍କା ମାରିଥିଲେ । ଏହା ପରେ ବିରୋଧୀ ଦଳ ନେତାଙ୍କୁ ମଧ୍ୟ ଧକ୍କା ମାରିଥିଲେ ସମ୍ପୃକ୍ତ ମହିଳା ଅଧିକାରୀ । କ୍ୟାମେରାରେ କଏଦ ହୋଇଥିବା ଏହି ସମସ୍ତ ଦୃଶ୍ୟ ଏବେ ଭାଇରାଲ ହୋଇଛି । ଏହାକୁ ନେଇ ପୋଲିସ ଓ ଜୟନାରାଣ ମିଶ୍ର ମୁହାଁମୁହଁ ସ୍ଥିତି ଦେଖିବାକୁ ମିଳିଥିଲା । ଅନିତାଙ୍କ ଅଭିଯୋଗ ଅନୁସାରେ ସମ୍ବଲପୁର ଟାଉନ୍ ଥାନା ପୋଲିସ ଜୟନାରାୟଣ ମିଶ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି ।
Comments are closed.