Latest Odisha News

ଯାଜପୁର ରଣକ୍ଷେତ୍ର…ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟରେ କିଏ?

ଭୁବନେଶ୍ବର: ବିକାଶ ଆଳରେ ହରିଲୁଟ୍ । ପ୍ରାଚ୍ୟୁର୍ଯ୍ୟ ଭରା ଯାଜପୁରରେ ନଗଡା ଭଳି ଗାଁ। ଯାଜପୁରକୁ ଲୁଟିଛନ୍ତି ୩ପରିବାର । ବିକାଶ ନାଁରେ ଚାଲିଥିଲା ବିନାଶ । ଯାଜପୁର ଜିଲ୍ଲା ବଡ଼ଚଣାରୁ ପୂର୍ବ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ସମାଲୋଚନାର ତୀର ମାରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନଗଡାରୁ ସ୍ମିତାରାଣୀ ହତ୍ୟାକାଣ୍ଡ, ବିଭିନ୍ନ ପ୍ରସଙ୍ଗରେ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ କଡା କାଉଣ୍ଟର କରିଛି ବିଜେଡି । ନଗଡା ମନ୍ତବ୍ୟକୁ ସମାଲୋଚନା କରିବା ସହ ପୋଷଣ ରିପୋର୍ଟ ତଥ୍ୟ ଦେଖାଇ ବର୍ଷିଛନ୍ତି ବିଜେଡି ସାଂସଦ ସୁଲତା ଦେଓ । ସେପଟେ ପରିବାରବାଦ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ ।

ମୁଖ୍ୟମନ୍ତ୍ରୀଙ୍କ ନଗଡା ଟାର୍ଗେଟ୍

ଯାଜପୁର ଜିଲ୍ଲା ବଡ଼ଚଣା ମଞ୍ଚରୁ ପୂର୍ବ ସରକାରକୁ ସିଧା ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଯାଜପୁର ଜିଲ୍ଲାକୁ ବିକାଶର ମଡେଲ୍ କହୁଥିଲେ । ହେଲେ ନଗଡା ସେମାନଙ୍କ ମୁଖା ଖୋଲି ଦେଇଛି । ସେହିପରି ମାଆ, ମାଟିକୁ ସମ୍ମାନ ଦେବା କଥା କହୁଥିବା ବିଜେଡି ଧର୍ମଶାଳାର ପୂର୍ବତନ ପିଇଓ ସ୍ମିତାରାଣୀଙ୍କୁ ନ୍ୟାୟ ଦେଇପାରିଲାନି । ନ୍ୟାୟ ଦେବା ପରିବର୍ତ୍ତେ କୁଜି ନେତାଙ୍କୁ ଘଣ୍ଟ ଘୋଡାଗଲା। ତାହା ବିଜେଡି ସରକାରର ନାରୀକୁ ସମ୍ମାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେପି ସରକାର ହତ୍ୟାକାଣ୍ଡ ଉପରୁ ପରଦା ହଟାଇ ଦୋଷୀଙ୍କୁ ଦଣ୍ଡ ଦେବେ ବୋଲି କହିଛନ୍ତି ।

କ’ଣ କହିଲା ବିଜେଡି?

ମୁଖ୍ୟମନ୍ତ୍ରୀଙ୍କ ନଗଡା ଆକ୍ଷେପର କଡା କାଉଣ୍ଟର କରିଛି ବିଜେଡି। ପାର୍ଲାମେଣ୍ଟରେ ଉପସ୍ଥାପିତ ହୋଇଥିବା ପୋଷଣ ସଂପର୍କିତ ତଥ୍ୟ ଦେଖାଇ ମୁଖ୍ୟମନ୍ତ୍ରୀ ବିଭ୍ରାନ୍ତ କରୁଥିବା ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି । ପୋଷଣ କ୍ଷେତ୍ରରେ ଦେଶର ବିଜେପି ଶାସିତ ରାଜ୍ୟ ଓ ଜାତୀୟ ହାର ଦେଖାଇଛନ୍ତି । ବିଜେପି ଶାସିତ ରାଜ୍ୟଠାରୁ ଓଡିଶାର ସ୍ଥିତି ବେଶ୍ ଭଲ । ଏଥିସହ ନଗଡା ବିକାଶ ପାଇଁ ପୂର୍ବ ବିଜେଡି ସରକାର ନେଇଥିବା ବିଭିନ୍ନ ପଦକ୍ଷେପର ତାଲିକା ରଖିଛନ୍ତି ସୁଲତା । ନବୀନ ସେଠାରେ ୨ଶହ ପିଲାଙ୍କ ପାଇଁ ହଷ୍ଟେଲ ନିର୍ମାଣ କରିଥିବା ବେଳେ ବିଜେପି ସରକାର ତାର ଉଦଘାଟନ କରିବାକୁ କହିଛନ୍ତି ।

ବିକାଶ ନାଁରେ ଲୁଟିଛନ୍ତି ୩ପରିବାର !

ଯାଜପୁର ବିଜେଡିର ତିନି ନେତାଙ୍କୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯାଜପୁର ପ୍ରାଚୁର୍ଯ୍ୟର ଜିଲ୍ଲା, ହେଲେ ଏହାକୁ ଲୋକଙ୍କ ବିକାଶରେ ବ୍ୟବହାର କରାଯାଇନି। ୨୪ବର୍ଷର ପୂର୍ବତନ ବିଜେଡି ସରକାର ନିଜର ସମୃଦ୍ଧି କରିଛନ୍ତି । ୩ପରିବାର ଯାଜପୁର ଜିଲ୍ଲାକୁ ଲୁଟିଥିବା ମୋହନ ମାଝୀ କହିଛନ୍ତି। ନିଜେ ନବୀନ ପଟ୍ଟନାୟକ ୧୬ବର୍ଷ ପର୍ଯ୍ୟନ୍ତ ଅଭିଯୋଗ ପ୍ରକୋଷ୍ଠକୁ ଆସୁନଥିଲେ । ଜଣେ ଅଫିସର କାଗଜ ଧରି ମିଛ ପ୍ରଚାର କରୁଥିଲେ । ହେଲେ ବିଜେପି ସରକାର ଆସିବା ପରେ ଲୋକଙ୍କ ଗୁହାରି ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସେଇ ୩ ପରିବାର କିଏ?

ମୁଖ୍ୟମନ୍ତ୍ରୀ ଯାଜପୁରକୁ ୩ ପରିବାର ଲୁଟିଥିବା ନେଇ କହିବା ପରେ ଏନେଇ ପ୍ରତିକ୍ରିୟା ରଖିଛି ବିଜେଡି । କେଉଁ ତିନି ଜଣ ହରିଲୁଟ କରିଛନ୍ତି ତଥ୍ୟ ସହ ମୁଖ୍ୟମନ୍ତ୍ରୀ ପ୍ରକାଶ କରିବାକୁ ବିଜେଡି ସାଂସଦ ସୁଲତା ଦେଓ କହିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ଗ୍ରହଣ କରିପାରୁନଥିବା କହିଛନ୍ତି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ । ନବୀନ ବାବୁଙ୍କ ସମୟରେ ଯାଜପୁରରେ ଅନେକ ବିକାଶ ହୋଇଛି । ନଗଡ଼ାର ଚିତ୍ର ବଦଳିଛି । ବିଜେପି ପାଖରେ ସୁଯୋଗ ଅଛି ସେମାନେ କାମକୁ ଆଗେଇ ନେଇପାରିବେ ବୋଲି ଘଡ଼େଇ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ପ୍ରଥମ ଗସ୍ତରେ ହିଁ ଖଣି ମାଫିଆଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ ମୋହନ ମାଝୀ । ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଦୂରେ ଥାଉ ଆଖିଦୃଶିଆ ତଦନ୍ତ ବି ହେଲାନି । ଯାଜପୁରରେ ହରିଲୁଟ ନେଇ ତିନି ପରିବାରକୁ ଟାର୍ଗେଟ୍ ହେଉ କି ନଗଡାକୁ ନେଇ ଆକ୍ଷେପ, ମୁଖ୍ୟମନ୍ତ୍ରୀ କେବଳ କଥାରେ ନୁହେଁ କାମରେ କରି ଦେଖାନ୍ତୁ । ନହେଲେ ବିଜେପି ସରକାର ଉପରୁ ବିଶ୍ବାସ ହରାଇବେ ଜନତା ।

Leave A Reply

Your email address will not be published.