Latest Odisha News

ସହିଦ ଓଡ଼ିଆ ଯବାନଙ୍କ କଫିନରେ ବିଜେଡ଼ି ପତାକା: ଚର୍ଚ୍ଚା ଜୋର୍ ଧରିଲା

ଭୁବନେଶ୍ୱର: ସହିଦ ଓଡ଼ିଆ ଯବାନ ଅଜିତ ସାହୁଙ୍କ କଫିନ ଉପରେ ଶାସକ ବିଜେଡ଼ି ପତାକା ଘୋଡ଼ାଇଥିବାକୁ ନେଇ ବିରୋଧୀ ବିଜେପି ଶୁକ୍ରବାର ଦିନ ଏହି ଘଟଣାକୁ ଦୃଢ ନିନ୍ଦା କରିଛି ।

ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିଜେପି ସୈନିକ ସେଲର ପୂର୍ବତନ ଆବାହକ ବି କେ ବସ୍ତିଆ ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣା ଲାଗି ନିଃସର୍ତ୍ତ କ୍ଷମା ମାଗିବା ଉଚିତ ବୋଲି ସେ ଦାବୀ କରିଛନ୍ତି ।

“ସହିଦଙ୍କ କଫିନ ଉପରେ ଦଳୀୟ ପତାକା ଘୋଡ଼ାଇବା ଏହା ସମଗ୍ର ଦେଶ ଲାଗି ଲଜ୍ଜାଜନକ । ବିଜେଡ଼ି ପକ୍ଷରୁ ଏପରି ଭୂଲ୍ ପ୍ରଥମଥର ଲାଗି ହୋଇନାହିଁ, ବରଂ ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ଶେଷକୃତ୍ୟ ସମୟରେ ଜଣେ ବିଜେଡ଼ି ବିଧାୟକ ସହିଦଙ୍କ ଆତ୍ମୀୟ ସ୍ୱଜନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏହି ଘଟଣାଟି ଫେବୃଆରୀ ୧୬ ତାରିଖରେ କଟକ ଜିଲ୍ଲା ରତନପୁରଠାରେ ଘଟିଥିଲା । ଏହି ଘଟଣାକୁ ବିଜେଡ଼ି ସୁପ୍ରିମୋ ଗୁରୁତ୍ୱର ସହ ନେବା ସହିତ ସଂପୃକ୍ତ ବିଜେଡ଼ି କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ,” ବୋଲି କହିଛନ୍ତି ଶ୍ରୀ ବସ୍ତିଆ ।

ସେହିପରି ସହିଦ ଯବାନଙ୍କ ଭାଇ ପରମେଶ୍ୱର ସାହୁ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତି, କିଛି ବିଜେଡ଼ି କର୍ମୀ ଖୁଣ୍ଟୁଣିଠାରେ ଦଳୀୟ ପତାକା ଘୋଡ଼ାଇ ଦେଇଥିଲେ । ଅବଶ୍ୟ ସେ ନିଜେ ଏହି ପତାକାଟିକୁ ଦେଖିବାପରେ ମରଶରୀର ଉପରୁ ଅପସାରଣ କରିଥିଲେ । ମାତ୍ର ତାହା ପୂର୍ବରୁ କିଛି ବ୍ୟକ୍ତି ମୋବାଇଲ୍ ଦ୍ୱାରା ଯେଉଁ ଫଟୋ ଉଠାଇଥିଲେ ସେତେବେଳେ ଏହି ଦଳୀୟ ପତାକା ରହିଥିଲା । ଏହି ଫଟୋଟି ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଯାଇଛି ।

“ମୋ ଭାଇ ଦେଶ ଲାଗି ଜୀବନ ଉତ୍ସର୍ଗ କରିଛନ୍ତି, କୌଣସି ରାଜନୈତିକ ଦଳ ଲାଗି ନୁହେଁ । ଏହି ଫଟୋ ସୋସିଆଲ୍ ମିଡ଼ିଆରେ ପ୍ରସାର ହେବା ଉଚିତ୍ ନୁହେଁ, ପ୍ରଶାସନ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ,” ବୋଲି ସହିଦଙ୍କ ଭାଇ ପରମେଶ୍ୱର କହିଛନ୍ତି ।

ଏସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ ବିଜେଡ଼ି କହିଛି, ଏହି ଘଟଣା ସମ୍ପୂର୍ଣ୍ଣ ଭାବେ ଦୁର୍ଭାଗ୍ୟଜନକ । ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଓଡ଼ିଆ ସହିଦ ଯବାନଙ୍କ ପ୍ରତି ଦଳର ଯଥେଷ୍ଟ ସମ୍ମାନ ରହିଛି । “ଏହି ଘଟଣାରେ ଦଳ ଦୃଢ ନିନ୍ଦା କରିବା ସହିିତ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ,” ବୋଲି ସସ୍ମିତ ପାତ୍ର କହିଛନ୍ତି ।

Leave A Reply

Your email address will not be published.