Latest Odisha News

BREAKING NEWS

ବିଜେଡ଼ିର ଦୂରଦୃଷ୍ଟି ନାହିଁ: ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀଙ୍କ ଲାଗି ଚର୍ଚ୍ଚା କି ବିବାଦ ନୂଆ କଥା ନୁହେଁ । ସାଧାରଣ ନିର୍ବାଚନ ଅଳ୍ପ କେଇମାସ ବାକି ଥିବାବେଳେ ଭାରତୀୟ ପ୍ରଶାସନିକ ସେବାରୁ ତାଙ୍କର ସ୍ୱେଚ୍ଛାକୃତ ଅବସର ଓ ରାଜନୀତିରେ ପାଦଦେବାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ । ୪୯ ବର୍ଷିୟା ଅପରାଜିତାଙ୍କ ଏହି ୨ୟ ଇନିଂସ ଆରମ୍ଭ ଅବସରରେ ‘ଓଡ଼ିଶା ସମ୍ବାଦ ଡଟ୍ ଇନ୍’କୁ ଏକ ସାକ୍ଷାତକାର ଦେଇ କହିଛନ୍ତି ଯେ ସେ ଲମ୍ବା ଦୌଡ଼ ପାଇଁ ପ୍ରସ୍ତୁତ । ସାକ୍ଷାତକାରର ନିର୍ବାଚିତ ଅଂଶ:

ପ୍ର) ପ୍ରଶାସନିକ ସେବାରେ ଦୀର୍ଘ ୨୪ ବର୍ଷ ଦାୟିତ୍ୱ ନିଭାଇବା ପରେ ହଠାତ୍ ରାଜନୀତି କାହିଁକି? ଜଣେ ଆଇଏଏସ ଭାବେ କାର୍ଯ୍ୟ କରି ସନ୍ତୁଷ୍ଟ ନଥିଲେ ନା ଯାହା ଆପଣ ଚାହୁଁଥିଲେ ତାହା କରିବା ସମ୍ଭବ ନଥିଲା?

ଉ) ଜଣେ ପ୍ରଶାସନିକ ଅଧିକାରୀ ଭାବେ ମୁଁ ଅନେକ କିଛି ସୁଖଦ ଅଭିଜ୍ଞତା ହାସଲ କରିଛି । ଓଡ଼ିଶା ସରକାର ମୋତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ବସାଇଛନ୍ତି ଓ ତାହା ମୋର କ୍ୟାରିଅରକୁ ପରିପୂର୍ଣ୍ଣ କରିବା ସହ ମୋ ପାଇଁ ଯଥେଷ୍ଟ ସମ୍ମାନ ଆଣିଦେଇଛି । ମୋତେ ଦିଆଯାଇଥିବା କାର୍ଯ୍ୟଗୁଡିକୁ ମୁଁ ସଫଳତାର ସହ କାର୍ଯ୍ୟକାରୀ କରିଛି ଓ ସନ୍ତୁଷ୍ଟ ମଧ୍ୟ ହୋଇଛି । କିନ୍ତୁ ବିଗତ ତିନି-ଚାରି ମାସ ପୂର୍ବରୁ ମୋର ହୃଦବୋଧ ହେଲା ଯେ ଜଣେ ଆଇଏଏସ ଭାବେ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଶେଷ କିଛି କରିହେବନାହିଁ ଏବଂ ଏଭଳି ଏକ ସୀମିତ ପରିସରରେ କାମ କରି ଜନସାଧାରଣଙ୍କ ସାମୂହିକ ବିକାଶରେ ଅଧିକ ଯୋଗଦାନ କରିହେବ ନାହିଁ । ତେଣୁ ମୁଁ ମୋ ହୃଦୟର ଡାକ ଶୁଣିଲି ଓ ରାଜନୀତିରେ ଯୋଗଦେବାକୁ ନିଷ୍ପତ୍ତି ନେଲି । ମୋର ବିଶ୍ୱାସ, କାମ କରିବା ପାଇଁ ଏଥର ମୋତେ ଏକ ବିଶାଳ ପରିସର ମିଳିବ । କାରଣ ରାଜନୀତି ହିଁ ଜନସାଧାରଣଙ୍କ ସେବା କରିବାର ପ୍ରକୃଷ୍ଟ ପ୍ଲାଟଫର୍ମ । ମୋର ଏହି ନିଷ୍ପତ୍ତି ପଛରେ ମୋ ସ୍ୱାମୀ ଏବଂ ପିଲାମାନଙ୍କର ସଂପୂର୍ଣ୍ଣ ସମର୍ଥନ ଓ ସହଯୋଗ ରହିଛି ।

ପ୍ର) ରାଜନୀତିରେ ଯୋଗଦେବାକୁ ପୂର୍ବପ୍ରସ୍ତୁତି ଥିଲା? ନା ଭଲ ସୁଯୋଗ ମିଳିଲା ବୋଲି ଯୋଗଦେଲେ?

ଉ) ନା, ଏହା ଆଦୌ ନୁହେଁ ଯେ ମୋତେ ଗୋଟିଏ ଭଲ ପ୍ରସ୍ତାବ ମିଳିଗଲା ବୋଲି ମୁଁ ରାଜନୀତିରେ ମିଶିଗଲି । ବହୁ ପୂର୍ବରୁ ଏହା ମୋ ମନ ଭିତରେ ଥିଲା । ଲୋକଙ୍କ ପାଇଁ ଅଧିକ କିଛି କରିବାକୁ ମୁଁ ସଦା ସର୍ବଦା ଚିନ୍ତା କରୁଥିଲି । ତେଣୁ ମୋର ରାଜନୀତିକୁ ଆସିବା ଏକ ସୁଚିନ୍ତିତ ଓ ସୁପରିକଳ୍ପିତ ନିଷ୍ପତ୍ତିି । ୨୪ ବର୍ଷର ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟକରିବା ପରେ ମୋର ଏହି ନିର୍ଣ୍ଣୟକୁ ଆଦୌ ଆକସ୍ମିକ ବୋଲି ଭାବିବା ଉଚିତ୍ ନୁହେଁ । ରାଜନୀତିରେ ଯୋଗ ଦେବା ପୂର୍ବରୁ ମୁଁ ଯେ କେବଳ ମୋର ସହକର୍ମୀ ଓ ସମଧର୍ମା ବନ୍ଧୁମାନଙ୍କଠାରୁ ପରାମର୍ଶ ନେଇଛି, ସେତକି ନୁହେଁ, ଦୀନଦୟାଲ ଉପାଧ୍ୟାୟ, ନରେନ୍ଦ୍ର ମୋଦୀ ପ୍ରମୁଖଙ୍କ ଜୀବନୀ ତଥା ଅବଦୁଲ କଲାମଙ୍କ ‘ୱିଙ୍ଗସ୍ ଅଫ ଫାୟାର୍’ ଭଳି ଅନେକ ପ୍ରେରଣାଦାୟୀ ପୁସ୍ତକ ମୁଁ ଅଧ୍ୟୟନ କରିଛି ଓ ବିଜେପିର ଲକ୍ଷ୍ୟ ତଥା ଆଦର୍ଶକୁ ଭଲଭାବେ ହୃଦୟଙ୍ଗମ କରିଛି ।

ପ୍ର) ବିଜେପିରେ ଯୋଗଦେଲେ କାହିଁକି?

ଉ) ମୁଁ ଦୁଇଟି ଜିନିଷ ଦେଖିଲି: ଦଳର ଆଦର୍ଶ ଏବଂ ନେତୃତ୍ୱ । ବିଜେପି ଏକ ବିକାଶକୈନ୍ଦ୍ରିକ ଦଳ । ଏହାର କାର୍ଯ୍ୟଶୈଳୀ ଓ ଭରପୂର ଇଚ୍ଛାଶକ୍ତି ମୋତେ ଆକର୍ଷିତ କରିଛି । ମୁଁ ସ୍ଥାଣୁତାରେ ବିଶ୍ୱାସ କରେନାହିଁ । ବିଜେପିରେ ଟେକ୍ନୋଲୋଜି ତଥା ଦ୍ରୁତବିକାଶକୁ ଖୁବ୍ ଗୁରୁତ୍ୱ ଦିଆଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ମୋର ଆଦର୍ଶ । ମୁଁ ତାଙ୍କର କାର୍ଯ୍ୟଶୈଳୀରେ ଗଭୀର ଭାବେ ପ୍ରଭାବିତ ହୋଇଛି । ସେ ଜଣେ କଠିନ ପରିଶ୍ରମୀ, ଉର୍ଜାବାନ୍ ବ୍ୟକ୍ତି ଏବଂ ବ୍ୟବସ୍ଥା ପ୍ରତି ସମସ୍ତଙ୍କୁ ଉତ୍ତରଦାୟୀ କରିବାରେ ବିଶ୍ୱାସ ରଖନ୍ତି ।

ପ୍ର) ନବୀନ ପଟ୍ଟନାୟକଙ୍କ ସରକାର ଆପଣଙ୍କୁ ଭଲ ପଦବୀରେ ବସାଇଥିବା କଥା ଆପଣ ନିଜେ ସ୍ୱୀକାର କରୁଛନ୍ତି । ତେବେ ଆପଣ ବିଜେଡ଼ିରେ କାହିଁକି ଯୋଗଦେବା କଥା ଭାବିଲେ ନାହିଁ?

ଉ) ମୁଁ ପୂର୍ବରୁ କହିଛି ଏହା ମୋର ଏକ ବିଚାରସମ୍ମତ ନିଷ୍ପତ୍ତି ଥିଲା । ଏକ ଆଞ୍ଚଳିକ ଦଳରେ ଯୋଗଦେବା ପାଇଁ ମୋର କେବେ ଲକ୍ଷ୍ୟ କି ଆଗ୍ରହ ନଥିଲା । ତା ଛଡ଼ା, ଓଡ଼ିଶାକୁ ନେଇ ବିଜେଡ଼ିର କୌଣସି ଦୂରଦୃଷ୍ଟି ଥିବାଭଳି ମୋର ମନେହୁଏ ନାହିଁ । ବର୍ତ୍ତମାନ ବିଜେଡ଼ି ଭେନଟିଲେଟରରେ ଅଛି । ଏହାର ଦୃଷ୍ଟି ଓ ଦର୍ଶନ ସାମୟିକ । ଅନ୍ୟପକ୍ଷରେ ଶାସନ ଏକ ଗମ୍ଭୀର ଓ ଗୁରୁତ୍ୱପୂର୍ଣ୍ଣ ବିଷୟ; ସାମୟିକ ସନ୍ତୁଷ୍ଟିକରଣରେ ଏହା ବେଶିଦିନ ତିଷ୍ଠି ପାରିବ ନାହିଁ । ଶାସନର ମଙ୍ଗ ଧରିବା ପାଇଁ ପ୍ରଚୁର ପରିପକ୍ୱତା ଆବଶ୍ୟକ । ସରକାର ସର୍ବଦା ଜନକଲ୍ୟାଣକାରୀ ହେବା ଜରୁରୀ, ମାତ୍ର ଭୋଟ୍କୁ ଦୃଷ୍ଟିରେ ରଖି ଲୋକଙ୍କୁ ସାମୟିକ ସନ୍ତୁଷ୍ଟ କରିବା ଠିକ୍ ନୁହେଁ । ଯେହେତୁ ମୁଁ ପୂର୍ବରୁ ସରକାରଙ୍କର ଜଣେ ପ୍ରଶାସନିକ ଅଧିକାରୀ ଥିଲି, ସେଥିଲାଗି ନିଜର ଦାପ୍ତରିକ ନିୟମରେ ବାନ୍ଧି ହୋଇ ରହିଥିଲି । କିନ୍ତୁ ବର୍ତ୍ତମାନ ମୁଁ ନିଦ୍ୱର୍ନ୍ଦ୍ୱରେ କହି ପାରିବି ଯେ ବିଜେଡ଼ି ସରକାର ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ସ୍ଥାୟୀ ସମାଧାନରେ ବିଫଳ ହୋଇଛନ୍ତି ।

ପ୍ର) ଟିକେ ବୁଝେଇ କହିବେ କି?

ଉ) ମୁଁ ଏଠାରେ କିଛି ଉଦାହରଣ ଦେଉଛି । ଏକରେ, ଅଧିକାଂଶ ସମୟରେ ଭୁବନେଶ୍ୱର ସହର ଜଳବନ୍ଦୀ ହେଉଛି ଏବଂ ନିଷ୍କାସନ ଯନ୍ତ୍ର ଲଗାଇ ଜଳ ନିଷ୍କାସିତ କରାଯାଉଛି । ମାତ୍ର ଏହାର ସ୍ଥାୟୀ ସମାଧାନ କରାଯାଉନାହିଁ । ଦୁଇରେ, ଓଡ଼ିଶାର ପ୍ରାୟ ୬୦ ପ୍ରତିଶତ ଜନସାଧାରଣ ଚାଷ ଉପରେ ନିର୍ଭର କରିଥାଆନ୍ତି । କିନ୍ତୁ ଯଦି ରାଜ୍ୟ ସରକାରଙ୍କ ୨୦୧୭-୧୮ର ଅର୍ଥନୈତିକ ସର୍ଭେ ଦେଖିବେ, ୨୦୧୧-୧୨ରୁ ୨୦୧୭-୧୮ ମସିହା ମଧ୍ୟରେ କୃଷି କ୍ଷେତ୍ରରେ ବାର୍ଷିକ ବୃଦ୍ଧି ହାର କେବଳ ୨.୮ ପ୍ରତିଶତ ରହିଛି । ମଧ୍ୟପ୍ରଦେଶରେ କିନ୍ତୁ ଏହା ୧୪ ପ୍ରତିଶତ ରହିଛି । ଏପରି ହେବାର କାରଣ, ସୀମିତ ଦୃଷ୍ଟିଭଙ୍ଗୀ ଏବଂ ଦୀର୍ଘମିଆଦି ଯୋଜନାର ଅଭାବ । ତିନିରେ, ମିଶନ ଶକ୍ତି ୨୦୦୧ ମସିହା ମାର୍ଚ୍ଚରେ ଆରମ୍ଭ ହୋଇଥିଲା । ମୁଁ ୨୦୦୩ ମସିହାରୁ ୪ ବର୍ଷ ଲାଗି ଏହାର ନିର୍ଦ୍ଦେଶିକା ଦାୟିତ୍ୱରେ ରହିଥିଲି । ମୁଁ ଲଗାତାର ଗସ୍ତରେ ଯାଉଥିଲି ଏବଂ ସରକାର ମଧ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିଲେ । ସେତେବେଳେ ଏହି ଯୋଜନା ଠିକ୍ ଥିଲା । ଦୀର୍ଘ ଏତେ ବର୍ଷ ପରେ ମଧ୍ୟ ସେମାନଙ୍କୁ ସ୍ୱକ୍ଷମ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ ।

ପ୍ର) ଆପଣ ଦୀର୍ଘମିଆଦି ଯୋଜନା କଥା କହୁଛନ୍ତି । ୨୦୦୦ରୁ ୨୦୦୯ ମସିହା ପର୍ଯ୍ୟନ୍ତ ବିଜେପି ବିଜେଡ଼ି ସହିତ ମେଣ୍ଟ ସରକାର ଗଢ଼ିଥିଲା । ଓଡ଼ିଶା ପାଇଁ ବିଜେପି ଏଯାବତ୍ ତାର ଦୃଷ୍ଟିଭଙ୍ଗୀ କାହିଁକି ସ୍ପଷ୍ଟ କରିନାହିଁ?

ଉ) କେନ୍ଦ୍ର ବିଜେପିର ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ରହିଛି । ଆମେ ଖୁବ୍ ଶୀଘ୍ର ଓଡ଼ିଶା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ଯାଉଛୁ ।

ପ୍ର) ଜଣେ ପ୍ରଶାସିକା ଭାବେ କାର୍ଯ୍ୟ କରୁଥିବାବେଳେ ଅନେକ ସମୟରେ ରାଜନୈତିକ ମୁରବୀ ତଥା ନେତାଙ୍କ ସହ ଆପଣଙ୍କର ନାନାପ୍ରକାର ସମସ୍ୟା ଉପୁଜୁଥିଲା । ଏବେ କିପରି ଭାବୁଛନ୍ତି ଯେ ଆପଣ ରାଜନୈତିକ ବ୍ୟକ୍ତିବିଶେଷଙ୍କ ସହିତ ଏକ ମନରେ କାମ କରିପାରିବେ?

ଉ) ଏହା ସଂପୂର୍ଣ୍ଣ ଭୁଲ ଧାରଣା । କୌଣସି ପ୍ରକାର ସମସ୍ୟା ସୃଷ୍ଟି ହୋଇନାହିଁ । ତେବେ କୌଣସି ସିଦ୍ଧାନ୍ତ ନେବାବେଳେ ସ୍ୱାଭାବିକ ଭାବେ ମତାନ୍ତର ହୋଇଛି । ଏଥିନେଇ ମୁଁ କେବେ କାହାକୁ ଅସମ୍ମାନ କରିନାହିଁ । ମୁଁ ଅତିମାତ୍ରାରେ ଜଣେ ସକାରାତ୍ମକ ଚିନ୍ତାଧାରାର ମଣିଷ । ସିଷ୍ଟମ୍ ବା ବ୍ୟବସ୍ଥା ଲାଗି ସବୁବେଳେ ମୁଁ ଭଲ କାର୍ଯ୍ୟ କରିବାକୁ ଚେଷ୍ଟା କରିଥାଏ ଏବଂ ମୁଁ ଖୁବ୍ ଆତ୍ମବିଶ୍ୱାସୀ ମଧ୍ୟ । ରାଜନୀତି ସେପରି କିଛି ଅସମ୍ଭବ କ୍ଷେତ୍ର ନୁହେଁ । ହଁ, ଏଥିରେ ଚ୍ୟାଲେଞ୍ଜ ରହିବ । କିନ୍ତୁ ମୁଁ ବେଶ୍ ଅଶାବାଦୀ ।

ପ୍ର) ଆପଣ ବିକାଶ ସମ୍ପର୍କରେ କହୁଛନ୍ତି । ଜଣେ ପ୍ରଶାସନିକ ଅଧିକାରୀ ଥିବାବେଳେ ବିକାଶ କ୍ଷେତ୍ରରେ କେଉଁସବୁ ପ୍ରତିବନ୍ଧକ ଆପଣ ସାମ୍ନା କରିଛନ୍ତି? ଜଣେ ରାଜନେତା ଭାବେ ସେହି ପ୍ରତିବନ୍ଧକ କିପରି ହଟାଇବେ?

ଉ) ଓଡ଼ିଶା ସରକାର କେବେ କୌଣସି ଅଧିକାରୀକୁ ଦିଗ୍ଦର୍ଶନ ଦିଅନ୍ତି ନାହିଁ, କିନ୍ତୁ କେନ୍ଦ୍ର ସରକାର ତାହା କରିଥାନ୍ତି । ରାଜ୍ୟରେ ବ୍ଲକ ବା ଗ୍ରାମସ୍ତରରେ କୌଣସି ଯୋଜନା ନାହିଁ । କୌଣସି ଅନ୍ତଃବିଶ୍ଳେଷଣ ବି କରାଯାଉନାହିଁ । ବିକାଶ ପ୍ରକ୍ରିୟାରେ ଓଡ଼ିଶାରେ କୌଣସି ପ୍ରକାର ନିର୍ଦ୍ଦିଷ୍ଟ ଦୃଷ୍ଟିକୋଣ ନାହିଁ । ପାଖାପାଖି ୪୮,୦୦୦ ଗ୍ରାମ ରହିଛି, କିନ୍ତୁ ଯୋଜନା ପ୍ରକ୍ରିୟାରେ ଜନସାଧାରଣଙ୍କ ସହଭାଗିତା କାହିଁ? ଯୋଜନାଗୁଡ଼ିକର କାର୍ଯ୍ୟକାରିତା ଓ ତଦାରଖ ପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ଏପରିକି ଯୋଜନାଗୁଡ଼ିକର ମାନକୁ ନେଇ ମଧ୍ୟବର୍ତ୍ତୀକାଳୀନ ମୂଲ୍ୟାୟନ ମଧ୍ୟ ହେଉନାହିଁ; ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ବି ନିଆଯାଉନାହିଁ । ମୂଳକଥା ହେଲା ଏଥିଲାଗି କେହି ଉତ୍ତରଦାୟୀ ନାହାନ୍ତି । ଯୋଗ୍ୟ ହୁଅନ୍ତୁ କି ଅଯୋଗ୍ୟ, ସବୁ ଅଧିକାରୀଙ୍କୁ ଗୋଟିଏ ଧାଡ଼ିରେ ବସାଯାଉଛି । ସରକାରଙ୍କ ପକ୍ଷରୁ ସେପରି କେହି ମାର୍ଗଦର୍ଶକ ମଧ୍ୟ ନାହାନ୍ତି । ତେବେ ମୁଁ ନିଜକୁ ଜଣେ ଟିମ୍ ମେମ୍ବର ଭାବୁଥିବାରୁ ମୋର କେବେ କିଛି ଅସୁବିଧା ହୋଇନି । ମୋ ପାଖରେ କାର୍ଯ୍ୟ ସଂଚାଳନର ଦକ୍ଷତା ରହିଛି ଏବଂ ମୁଁ ନିଜେ ନିଜର ପଥ ପ୍ରଦର୍ଶକ । ରାଜନୀତିରେ ମଧ୍ୟ ଯାହା ଯେପରି ଆସିବ ମୁଁ ତାର ସମ୍ମୁଖୀନ ହେବି । ମୁଁ ରାଜନୀତିର ଜଣେ ପ୍ରଥମ ଶ୍ରେଣୀର ଛାତ୍ରୀ; ‘ସବକା ସାଥ, ସବକା ବିକାଶ’ରେ ମୋର ବିଶ୍ୱାସ ରହିଛି ।

ପ୍ର) ପ୍ରଶାସନିକ କ୍ଷେତ୍ରରେ ଓଡ଼ିଶାରେ କଣସବୁ ଦୋଷତ୍ରୁଟି ରହୁଛି ବୋଲି ଆପଣ ଅନୁଭବ କରୁଛନ୍ତି?

ଉ) ମୁଖ୍ୟତଃ, ଏ ପ୍ରଶାସନ କାହାରି ପାଖରେ ଉତ୍ତରଦାୟୀ ହେଉନାହିଁ । ଉତ୍ତମ ଶାସନ ଲାଗି ଅଭିଯୋଗ ବା ସମସ୍ୟାର ନିରାକରଣ ଗୁରୁତ୍ୱପୂର୍ଣ୍ଣ । ଆମ ପାଖରେ ସମସ୍ତ କ୍ଷେତ୍ର ଲାଗି ଟୋଲ୍ ଫ୍ରି ନମ୍ବର ରହିବା ଏକାନ୍ତ ଆବଶ୍ୟକ । କାରଣ, ଦୂରଦୃଷ୍ଟିର ଅଭାବ ଯୋଗୁଁ ଉନ୍ନୟନ କାର୍ଯ୍ୟରେ ଅଗ୍ରଗତି ହୋଇପାରୁ ନାହିଁ । ସରକାର ତ ଆଉ ନିରନ୍ତର ଅନୁଦାନ ଦେଇପାରିବେ ନାହିଁ, ଆମକୁ ଲୋକମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ କାର୍ଯ୍ୟ କରିବାକୁ ପଡ଼ିବ । ନିଯୁକ୍ତି ଏକ ମୁଖ୍ୟ ପ୍ରସଙ୍ଗ । ମାତ୍ର ୨୦୧୭-୧୮ ମସିହା ଆର୍ଥିକ ସର୍ବେକ୍ଷଣ ଅନୁଯାୟୀ ୨୦୦୫ ମସିହାରୁ ୨୦୧୫ ମସିହା ମଧ୍ୟରେ ସଂଗଠିତ ବୃତ୍ତିଗତ କ୍ଷେତ୍ରରେ ନିଯୁକ୍ତି ହାର ୭.୪୫ ଲକ୍ଷରୁ କମି ୫.୩୯ ଲକ୍ଷରେ ପହଞ୍ଚିଛି । ଖଣିଖାଦାନରେ ସିଧାସଳଖ ନିଯୁକ୍ତି ୨୦୧୨-୧୩ରେ ୩୨,୯୦୧ ଲକ୍ଷ ଥିବାବେଳେ ୨୦୧୬ -୧୭ରେ ୧୮,୬୦୦ ଲକ୍ଷରେ ପହଞ୍ଚିଛି । ସ୍ପଞ୍ଜ ଆଇରନ ୟୁନିଟ୍ ବନ୍ଦ ହୋଇଯାଇଛି । ଆମର ଲୋକମାନେ ସୁରଟ, ତିରୁପୁର, କୋଲକାତା, କେରଳ ତଥା ଅନ୍ୟ ସ୍ଥାନମାନଙ୍କୁ କାର୍ଯ୍ୟ ଅନ୍ୱେଷଣରେ ଯାଉଛନ୍ତି । ନିଯୁକ୍ତି ଲାଗି ଆମ ରାଜ୍ୟରେ କାହିଁକି ସୁଯୋଗ ସୃଷ୍ଟି କରାଯାଉନାହିଁ?

ପ୍ର) ଦୀର୍ଘ ଦିନ ଧରି ଆପଣ ଓଡ଼ିଶା ପ୍ରଶାସନ ସହ ଜଡ଼ିତ ଥିଲେ । ସେ ସମୟରେ ଆପଣଙ୍କର ବିଜେଡ଼ି ସହ ହୋଇଥିବା କୌଣସି ମନୋମାଳିନ୍ୟ ବା ଆକ୍ରୋଶର ଏବେ ପ୍ରତିଶୋଧ ନେବାକୁ ଏପରି କହୁଛନ୍ତିକି? ୨୦୦୯ରୁ ୨୦୧୩ ମସିହା ମଧ୍ୟରେ ଓଡ଼ିଶା ସରକାରଙ୍କ ଦ୍ୱାରା ବାରମ୍ଭାର ବଦଳି ହେବାର ରାଗ ଏବେ ସୁଝାଇବେ କି?

ଉ) ଆଦୌ ନୁହେଁ । ବରଂ ଭଲ ପଦବୀ ପ୍ରଦାନ କରିଥିବାରୁ ରାଜ୍ୟ ସରକାରଙ୍କୁ ମୁଁ ଧନ୍ୟବାଦ ଅର୍ପଣ କରିଛି । ତେବେ ମୋର ଏସବୁ କଠୋର ସ୍ୱୀକାରୋକ୍ତିର କାରଣ ହେଉଛି, ମୁଁ ଓଡ଼ିଶାର ଜନସାଧାରଣଙ୍କ ବିଷୟରେ ଚିନ୍ତା କରୁଛି । କ୍ଷମତାରେ ରହିବା ଲାଗି ରାଜ୍ୟରେ ଯେଉଁଭଳି ଭାବେ କାର୍ଯ୍ୟପନ୍ଥାମାନ ଗ୍ରହଣ କରାଯାଉଛି, ତା ସହ ମୁଁ ନିଜକୁ ସାଲିସ୍ କରିପାରୁନାହିଁ ।

ପ୍ର) ଆପଣଙ୍କର କେଉଁ ଗୁଣ ଆପଣଙ୍କୁ ରାଜନୀତିରେ ସଫଳତା ଦେବ ବୋଲି ଭାବୁଛନ୍ତି ?

ଉ) ଓଡ଼ିଶାର ଲୋକମାନଙ୍କର ବୁଦ୍ଧିମତା ଉପରେ ମୋର ଗଭୀର ବିଶ୍ୱାସ ରହିଛି । ସେମାନଙ୍କର ସ୍ନେହ ଓ ଆଦର ମୋତେ ଆରାମଦାୟକ କ୍ଷେତ୍ରରୁ ବାହାରକୁ ଭିଡ଼ିଆଣିଛି । ମୋର ଦୃଢ ବିଶ୍ୱାସ ଯେ ସଚ୍ଚୋଟ, ଉତ୍ତମ ଏବଂ ସକାରାତ୍ମକ ରାଜନେତାମାନେ ମଧ୍ୟ ରାଜନୀତିରେ ସଫଳ ହୋଇପାରିବେ । ମୁଁ ଏବେ ବହୁତ ଲୋକଙ୍କ ସହିତ ମିଶୁଛି ଏବଂ ଏହା ମୋତେ ଯଥେଷ୍ଟ ପ୍ରେରଣା ମଧ୍ୟ ଦେଉଛି । ପରିବର୍ତ୍ତନର ବିଗୁଲ୍ ବାଜୁଛି । ଲୋକମାନେ ଏବେ ନୂଆ ନେତୃତ୍ୱ ପାଇଁ ଆଶା ବାନ୍ଧିଛନ୍ତି, ଯିଏକି ଉର୍ଜାବାନ ଓ ଉଦଯୋଗୀ ହୋଇଥିବ । କାରଣ ଏବେ ଦେଶ ଚାହୁଁଛି- ସମସ୍ତଙ୍କ ସହଯୋଗରେ ବିକାଶ ।

ପ୍ର) କାର୍ଯ୍ୟରତ ପ୍ରଶାସକମାନେ ରାଜନୀତିରେ ପ୍ରବେଶ କରିବା ଏବେ ଏକ ଟ୍ରେଣ୍ଡରେ ପରିଣତ ହେଲାଣି । ଆପଣଙ୍କ ପରି ଅଧିକାରୀମାନେ ନିର୍ବାଚନକୁ ଆଖିରେ ରଖି ରାଜନୀତିରେ ପ୍ରବେଶ କରୁଛନ୍ତି । କଥାଟାକୁ ଆପଣ କିପରି ଗ୍ରହଣ କରୁଛନ୍ତି?

ଉ) ମୁଁ କେବଳ ଏତିକି କହିପାରିବି ଯେ ଜଣେ ପ୍ରଶାସକ ସିଧାସଳଖ ରାଜନୀତିରେ ରହିପାରିବ ନାହିଁ । କାରଣ ଏହା ସର୍ବଭାରତୀୟ ସେବା ନିୟମର ଉଲ୍ଲଂଘନ କରୁଛି । ସେଥିପାଇଁ ମୁଁ ଇସ୍ତଫା ଦେଇ ତିନି ମାସ ଅପେକ୍ଷା କଲି ଓ ତା’ ପରେ ରାଜନୀତିକୁ ଆସିଲି । ରାଜନୀତି ଏବେ ଭଦ୍ର ଓ ଶିକ୍ଷିତ ଲୋକ ଆବଶ୍ୟକ କରୁଛି ।

ପ୍ର) ୨୦୧୯ ନିର୍ବାଚନରେ ଆପଣ ଲଢ଼ିବେ କି? ଚର୍ଚ୍ଚା ହେଉଛି ଯେ ଆପଣ ବିଜେପିରେ ଯୋଗଦେବା ପୂର୍ବରୁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରାଯିବ ବୋଲି ଚୁକ୍ତି ହୋଇସାରିଛି!

ଉ) ସେମିତି କୌଣସି ଚୁକ୍ତି ହୋଇନି । ମୁଁ ଜଣେ ନିଷ୍ଠାପର ଦଳୀୟ କର୍ମଚାରୀ । ଦଳର ନିଷ୍ପତ୍ତି ହିଁ ଚୂଡ଼ାନ୍ତ । ଦଳ ଯାହା ବି ନିଷ୍ପତ୍ତି ନେବ, ମୁଁ ତାକୁ ଖୁସିରେ ଗ୍ରହଣ କରିବି ।

Leave A Reply

Your email address will not be published.