Latest Odisha News

ଭୁବନେଶ୍ବର ବିଜେଡି କଳି, ହୁଇପ୍ ଜାରି କଲା ଦଳ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେଡି ବନାମ ବିଜେଡି । ବିଏମସି ବିଜେଡି ଦୁଇ ଫାଳ ! ଦାଣ୍ଡରେ ପଡି ହାଟରେ ଗଡୁଛି ବିଏମସି ବିଜେଡି କର୍ପୋରେଟରଙ୍କ କଳି । କିଏ ବିସ୍ଫୋରକ ବୟାନ ଦେଲେଣି ତ କିଛି ମେଳି ବାନ୍ଧି ନିଜ ଦଳର କର୍ପୋରେଟରଙ୍କୁ କଲେଣି କାଉଣ୍ଟର। ବିଜେଡି ସରକାରରୁ ଯିବା ପରଠୁ ପୂର୍ବ ଫାଟର ଚଉଡା ବଢି ବଢି ଚାଲିଛି । ରାଜଧାନୀ ରାଜନୀତିରେ ପତିଆରାର ଲଢେଇ ଜୋରଦାର ହେବା ପରେ ହୁଇପ୍ ଜାରି କରିଛି ବିଜେଡି । ଦଳର ବିନା ଅନୁମତିରେ ଗଣମାଧ୍ୟମ ଆଗରେ କୌଣସି ପ୍ରକାର ମତ ନରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହାଇଡ୍ରାମା ପରେ ବାଜିଲା ଛାଟ !

ବିଏମସିର ବିଜେଡି କର୍ପୋରେଟରଙ୍କ କଳିକୁ ନେଇ ଉଠୁଛି ପଡୁଛି ଭୁବନେଶ୍ବର ରାଜନୀତି । ଅମରେଶ ଜେନା ଓ କିଛି କର୍ପୋରେଟର ବରିଷ୍ଠ ନେତାଙ୍କ ସହ ବୈଠକରେ ବସିଲେ ତ ଏକ ଘରୋଇ ହୋଟେଲରେ ମେଳି ବାନ୍ଧି ପ୍ରେସମିଟ୍ କଲେ ଅନ୍ୟ କିଛି କର୍ପୋରେଟର । କର୍ପୋରେଟରଙ୍କ କଳି ଦିନକୁ ଦିନ ବିସ୍ଫୋରକ ରୂପ ନେଉଥିବା ବେଳେ ଏଥିରେ ଲଗାମ୍ ଲଗାଇବାକୁ ହୁଇପ୍ ଜାରି କରାଯାଇଛି । ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ସୁଶାନ୍ତ ରାଉତଙ୍କ ପକ୍ଷରୁ ଚିଠି ଜାରି କରାଯାଇଛି । ଏଥିରେ ଦଳର ବିନା ଅନୁମତିରେ କେହି ଗଣମାଧ୍ୟମରେ ବୟାନ ରଖିପାରିବେନି ବୋଲି ଉଲ୍ଲେଖ କରାଯାଇଛି।

କର୍ପୋରେଟର ମେଳି ପଛରେ କିଏ?

ଅମରେଶ ଜେନାଙ୍କ ପରେ ବିଜେଡି କର୍ପୋରେଟର ବିରଞ୍ଜି ନାରାୟଣ ମହାସୁପକାର ବି ବିଜେଡି ଗୋଷ୍ଠୀ କନ୍ଦଳ ଆଡ଼କୁ ଅଙ୍ଗୁଳି ଦେଖାଇଛନ୍ତି । କାହା ନିର୍ଦ୍ଦେଶରେ ଦଳର କର୍ପୋରେଟର ମେଳି ବାନ୍ଧି ପ୍ରେସମିଟ୍ କଲେ? ଏଥିପାଇଁ ବିଜେଡି ସଭାପତି କିମ୍ବା ଜିଲ୍ଲା ସଭାପତି ଅନୁମତି ଦେଇଥିଲେ କି? ବୋଲି ସେ ପ୍ରଶ୍ନ କରିଛନ୍ତି । ଜଣେ ହାରିଥିବା ଓ ଜଣେ ଜିତିଥିବା ବିଧାୟକ ଅଶାନ୍ତି ସୃଷ୍ଟି କରୁଥିବା ସେ କହିଛନ୍ତି । ପରୋକ୍ଷରେ ଗୋଷ୍ଠୀ କନ୍ଦଳ ପଛରେ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଭୂମିକାକୁ ଇଙ୍ଗିତ କରିଛନ୍ତି ।

କ’ଣ କହିଲେ ମେୟର?

ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳକୁ ନେଇ ଜୋରଦାର ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି ମେୟର ସୁଲୋଚନା ଦାସ । ସମସ୍ତ ୫୭ଜଣ କର୍ପୋରେଟର ଏକାଠି ରହିଛନ୍ତି । କାହାର ବ୍ୟକ୍ତିଗତ ରାଗରୁଷା ରହିଥିଲେ ସେ କହିପାରିବେନି । ଯେଉଁମାନେ ବିଭୀଷଣ କଥା କହୁଛନ୍ତି, କିଏ ବିଭୀଷଣ ସେମାନେ ଜାଣଥିବେ ବୋଲି ସୁଲୋଚନା ଦାସ କହିଛନ୍ତି ।

କାହିଁକି ହେଉନି ଆକ୍ସନ୍?

ବିଜେଡି ସରକାରରେ ଥିବା ବେଳେ ଦଳ ଭିତରର କନ୍ଦଳ ନେଇ ସାମନାରେ କହିବାକୁ ବି ଡରୁଥିଲେ ନେତା । ହେଲେ ଏବେ ଖୋଲାଖୋଲି କର୍ପୋରେଟର ଅମରେଶ ଜେନା ବିଏମସି ବିଜେଡିରେ ଗୋଷ୍ଠୀ କନ୍ଦଳ କଥା କହୁଛନ୍ତି । ଦଳରେ ବିଭୀଷଣ ରହିଛନ୍ତି, ଦଳ ଭାଙ୍ଗିବାକୁ ଉଦ୍ୟମ ହେଉଥିବା ବି କହୁଛନ୍ତି । ସିଧାସଳଖ ଅଶୋକ ପଣ୍ଡା ଓ ଅନନ୍ତ ନାରାୟଣ ଜେନାଙ୍କୁ ବି ଟାର୍ଗେଟ୍ କରୁଛନ୍ତି । ଅମରେଶଙ୍କ ପରେ ବିରଞ୍ଜି ନାରାୟଣ ମହାସୁପକାର ବି ଦଳର ଅନ୍ତକନ୍ଦଳ କଥା କହିଛନ୍ତି । ପ୍ରଶ୍ନ ଉଠୁଛି, ଏଭଳି ସ୍ଥିତିରେ କାହିଁକି ସେମାନଙ୍କ ବିରୋଧରେ ଆକ୍ସନ୍ ନିଆଯାଉନି? ବିନା ଦଳୀୟ ନିର୍ଦ୍ଦେଶରେ କର୍ପୋରେଟରମାନେ ମେଳି ବାନ୍ଧିଲେ, ପ୍ରେସମିଟ୍ ବି କଲେ । ସେମାନଙ୍କ ବିରୋଧରେ ବି କାହିଁକି ଦଳ କାର୍ଯ୍ୟାନୁଷ୍ଠାନ ନେଉନି? ପରାଜୟ ପରେ ହୁଗୁଳା ହୋଇଛି କି ବିଜେଡି କମାଣ?

ବିଜେଡିରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉନି । ଦଳୀୟ ହୁଇପ୍ ପରେ କର୍ପୋରେଟର ଗଣମାଧ୍ୟମ ଆଗରେ ବୟାନ ଦେଇ ନପାରନ୍ତି । ତେବେ ଦଳ ଭିତରେ ରହିଥିବା କନ୍ଦଳକୁ କେମିତି ସମାଧାନ କରିବ ବିଜେଡି ? ରାଜ୍ୟ ଶାସନ ଗାଦିରେ ବିଜେପି ରହିଥିବା ବେଳେ ବିଜେଡିକୁ ମହଙ୍ଗା ପଡିପାରେ ଗୋଷ୍ଠୀ କନ୍ଦଳ । ଦଳର ସବୁ କର୍ପୋରେଟର ଏକଜୁଟ୍ ହୋଇନରହିଲେ ବିଜେପି ଏହାର ଫାଇଦା ନେଇପାରେ । ବାବୁ ସିଂଙ୍କୁ କର୍ପୋରେଟର ଭେଟିଥିବା ବେଳର ଫଟୋ ତାହାର ଟ୍ରେଲର ହୋଇପାରେ । ତେଣୁ ଏବେଠୁ ସତର୍କ ରହି ବିଜେଡି ଅଙ୍କୁଶ ନଲଗାଇଲେ, ପରେ ହାତରୁ ଯାଇପାରେ ବିଏମସି ।

Leave A Reply

Your email address will not be published.