Latest Odisha News

ବିଜେଡି ପଦଯାତ୍ରା: ସଂପର୍କ ଯୋଡିବ ନା ଫାଟ ଦିଶିବ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ଜନସଂପର୍କ ପଦଯାତ୍ରା। ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ଆରମ୍ଭ କରିଥିବା ବିଜେଡି ପାଇଁ ଦଳ ଭିତରେ ସଂପର୍କ ମଜଭୁତ କରିବା ସବୁଠୁ ବଡ଼ ଚ୍ୟାଲେଞ୍ଜ । କାରଣ ବିଜେଡି କଳି ଦାଣ୍ଡରେ ପଡି ହାଟରେ ଗଡୁଛି । ନବରଙ୍ଗପୁରରୁ ଭୁବନେଶ୍ବର, ଭଦ୍ରକରୁ ଖୋର୍ଦ୍ଧା, ସମୀକ୍ଷା ବୈଠକରେ ଜଳଜଳ ଦିଶିଛି ଦଳ ଭିତରର ଅନ୍ତକନ୍ଦଳ । କେତେବେଳେ ଗୋଷ୍ଠୀ କନ୍ଦଳ ତ କେତେବେଳେ ନେତାଙ୍କ ଭିତରେ କଥା କଟାକଟି। ସ୍ଥିତି ଏମିତି ଯେ, ବିଜେଡି ଯେତେ ଲୁଚାଇଲେ ବି ଦଳ ଭିତର ଫାଟ ଦିଶୁଛି । ନଭେମ୍ବରରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତରେ ଯିବେ। ତା ପୂର୍ବରୁ ବିଜେଡି ପାଇଁ ଘର ସଜାଡ଼ିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ ।

ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା

ସେବା ଓ ସ୍ୱାଭିମାନ ହେଉଛି ବିଜେଡିର ମନ୍ତ୍ର, ବିକାଶ ହେଉଛି ପରିଚୟ। ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ । ଗତ ଚବିଶ ବର୍ଷ ଭିତରେ ବିଜୁ ଜନତା ଦଳ ଓଡିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ, ସୁଶାସନ, ଏସସି ଏସଟି କଲ୍ୟାଣ, ମହିଳା, ଯୁବକ,ଚାଷୀଙ୍କୁ ସଶକ୍ତ କରିବା ସହ ସବୁ କ୍ଷେତ୍ରରେ ଉନ୍ନତି ହୋଇଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି । ଓଡିଶାର ଗରିବୀ ୨୦୦୦ ମସିହାରେ ୭୦ପ୍ରତିଶତ ଥିବା ବେଳେ ଆଜି ୧୦ପ୍ରତିଶତକୁ ଖସିଛି । ଲୋକଙ୍କ ମୁଣ୍ଡପିଛା ଆୟ ବଢିଛି। ଅନେକ ଡବଲ ଇଞ୍ଜିନ ରାଜ୍ୟଙ୍କଠୁ ଓଡ଼ିଶା ଆଗରେ । ଏଥିସହ ଲୋକଙ୍କ ସହ ଯୋଡି ହେବାକୁ ପଦଯାତ୍ରା ସବୁଠୁ ଶକ୍ତିଶାଳୀ ମାଧ୍ୟମ ବୋଲି ବୋଲି ନବୀନ କହିଛନ୍ତି ।

ନାଁ ବଦଳାଇପାର ଇତିହାସ ବଦଳାଇ ପାରିବନି

ପଦଯାତ୍ରାର ଶୁଭାରମ୍ଭ କରିବା ସହ ବିଜେପି ସରକାରକୁ ସିଧା ଟାର୍ଗେଟ୍ କରିଛନ୍ତି ନବୀନ। ଏବେକାର ସରକାର ଯୋଜନାର ନାମ ଓ ରଙ୍ଗ ବଦଳାଇ ପାରନ୍ତି ହେଲେ ଇତିହାସ ବଦଳାଇ ପାରିବେନି । କାରଣ ଲୋକ ସବୁ ଜାଣିଛନ୍ତି । ୩୦୦ ୟୁନିଟ ମାଗଣା ବିଜୁଳି ପାଉଛନ୍ତି କି?  ତିନି ହଜାର ଟଙ୍କା ଭତ୍ତା କୁଆଡେ ଗଲା?  ମାଆଙ୍କ ପଚାଶ ହଜାର ଟଙ୍କା କୁଆଡେ ଗଲା ? ବୋଲି ନବୀନ ପ୍ରଶ୍ନ କରିଛନ୍ତି ।  ନିର୍ବାଚନ ବେଳେ ଏସବୁ କହି ଭୋଟ୍‌ ନେଲେ । ହେଲେ ଏବେ ବିଜେପିର ମିଛ ଧରା ପଡିଯାଇଛି । ଦରଦାମ ବଢିଛି, ମାଆମାନେ ଥାନାରେ ବି ସୁରକ୍ଷିତ ନୁହନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହନ୍ତି । ମିଛ କହି ନିର୍ବାଚନ ଜିତି ପାରନ୍ତି, ହୋଲେ ଲୋକଙ୍କ ହୃଦୟ ନୁହେଁ ବୋଲି ନବୀନ କହିଛନ୍ତି ।

ବିଜେଡିକୁ ଘର ସଜଡ଼ା ଚ୍ୟାଲେଞ୍ଜ

ବିଜେପିକୁ ଯେତେ ଟାର୍ଗେଟ୍ କଲେ ବି ବିଜେଡି ପାଇଁ ବିଜେପିଠୁ ବେଶୀ ନିଜ ଘର ସଜାଡିବା ଚ୍ୟାଲେଞ୍ଜ । କ୍ଷମତାକୁ ଆସିବା ପରେ ସ୍ବାଭାବିକ ଭାବେ ପ୍ରତିଦ୍ବନ୍ଦ୍ବୀ ବିଜେଡିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି । ମମତା ମହନ୍ତ ଓ ସୁଜିତ କୁମାରଙ୍କ ପରି ରାଜ୍ୟସଭା ସାଂସଦ ବି ବିଜେଡି ଛାଡି ବିଜେପିରେ ମିଶିଛନ୍ତି । ସେପଟେ ପ୍ରଦୀପ ମାଝୀ ହୁଅନ୍ତୁ ବଦ୍ରି ପାତ୍ର ନିର୍ବାଚନ ପରିଚାଳନାକୁ ନେଇ ଖୋଲାଖୋଲି ପ୍ରଶ୍ନ ଉଠାଇଲେଣି ନେତା । ଭଦ୍ରକ ହେଉ କି ଖୋର୍ଦ୍ଧା ବିଜେଡି, ଶଙ୍ଖଭବନରେ କଥା କଟାକଟି ସହ ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । ଭୁବନେଶ୍ବର ବିଜେଡିରେ ତ ଘଡିକେ ଘୋଡା ଛୁଟୁଛି । କେତେବେଳେ ନେତା ବୟାନବାଜି କଲେଣି ତ କେତେବେଳେ କାରଣ ଦର୍ଶାଇ ନୋଟିସ୍ ଜାରି ହେଲାଣି। ନିର୍ବାଚନର ତିନି ମାସ ପରେ ବି ପରାଜୟର ସମୀକ୍ଷା ହିଁ କରୁଛି ବିଜେଡି। ନେତାଙ୍କ ଅସନ୍ତୋଷକୁ ଶାନ୍ତ କରାଇବା ସହ ସମସ୍ତଙ୍କୁ ଏକଜୁଟ୍ ନକଲେ ବିଜେଡି ଭାଙ୍ଗିବା ଆଶଙ୍କାକୁ ବି ଏଡାଇ ହେବନି ।

ରାସ୍ତାକୁ ଯିବ କି ଶଙ୍ଖଭବନ ଅସନ୍ତୋଷ?

ନଭେମ୍ବର ଜିଲ୍ଲା ବୁଲିବେ ନବୀନ ପଟ୍ଟନାୟକ । ତୃଣମୂଳସ୍ତରରେ ବିଜେଡି ସଂଗଠନକୁ ଆହୁରି ମଜବୁତ କରିବାକୁ ଜିଲ୍ଲା ଗସ୍ତ କରିବେ । ବିଜେପି ସରକାରର ବିଫଳତା କହିବା ସହ ଲୋକଙ୍କ ସମସ୍ୟା ବୁଝିବେ ନବୀନ । ହେଲେ ତା ପୂର୍ବରୁ ଦଳ ଭିତରର ଅନ୍ତକନ୍ଦଳ ତୁଟାଇବା ଜରୁରୀ । କାରଣ ସମୀକ୍ଷା ବୈଠକ ବେଳେ ଯେଭଳି ଭାବେ ନେତାଙ୍କ ଅସନ୍ତୋଷ ଦେଖିବାକୁ ମିଳିଛି, ନବୀନଙ୍କ ଜିଲ୍ଲା ଗସ୍ତ ବେଳେ ସେଭଳି ସାମନାକୁ ଆସିଲେ ଦଳ ଉପରେ ଜନତାଙ୍କ ବିଶ୍ବାସ ରହିବ ତ? ପରାଜୟର ସମୀକ୍ଷା ପରେ ଆଖିଦୃଶିଆ ପଦକ୍ଷେପ ବି ନିଅନ୍ତୁ ନବୀନ । ବରିଷ୍ଠ ନେତାଙ୍କୁ ଏକାଠି କରିବା ପରେ ହିଁ ସଂଗଠନକୁ ସଜାଡି ହେବ । ତାପରେ ଯାଇ ଜନତାଙ୍କ ପାଖକୁ ଯାଇ ବିଜେଡି ପୁଣି ପୂର୍ବ ଭରସା ଜିତିପାରିବ ।

Leave A Reply

Your email address will not be published.