Latest Odisha News

‘ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ’

ମୟୂରଭଞ୍ଜ: ବହୁତ ନେତା ଅଛନ୍ତି, ନିର୍ବାଚନ ଆସିଲେ ଲୋକଙ୍କ ଦୁଖଃକଷ୍ଟ ସେମାନଙ୍କର ମନେପଡ଼େ । ଭୋଟ ଆସିଲେ ବିରୋଧି ମିଠା ମିଠା କଥା କୁହନ୍ତି, ଭୋଟ ସରିଗଲେ ସେମାନଙ୍କୁ ଖୋଜିଲେ ବି ପାଇବେ ନାହିଁ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଁ ସବୁବେଳେ ଆପଣଙ୍କ ପାଖକୁ ଆସୁଛି । ବିଜୁ ଜନତା ଦଳରେ ନବୀନ ବାବୁଙ୍କ ଛଡ଼ା ଆଉ କେହି କାମର ହିସାବ ଦିଅନ୍ତି ନାହିଁ । ଏମିତି କିଛି କହି ଯଶୀପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିଛନ୍ତି  ବିଜେଡି ନେତା ଭିକେ ପାଣ୍ଡିଆନ ।

ଯଶୀପୁର ଖଇରିବନ୍ଧନ ଜଳସେଚନ ପ୍ରକଳ୍ପ ପାଇଁ ୩୩୭.୫୦ କୋଟି ଟଙ୍କା, ମା କୀଚକେଶ୍ୱରୀ ମନ୍ଦିରର ରୂପାନ୍ତରିକରଣ ପାଇଁ ୮.୪୦ କୋଟି ଟଙ୍କା, କୀଚକେଶ୍ୱରୀ ମନ୍ଦିର ମ୍ୟୁଜିୟମ୍‍ ପାଇଁ ୧.୩୦ କୋଟି ଟଙ୍କା ,ଯଶୀପୁରରେ ଆମ ବସଷ୍ଟାଣ୍ଡ ପାଇଁ ୧୪.୫୦ କୋଟି ଟଙ୍କା, ରାସ୍ତା ପାଇଁ ୩୩ କୋଟି ଟଙ୍କା, ଇତ୍ୟାଦି ଅନେକ ରାଜ୍ୟ ସରକାର କରିଥିବା ଯୋଜନା ବିଷୟରେ କହିଛନ୍ତି  ପାଣ୍ଡିଆନ । ଯଶୀପୁର, ରରୁଁଆ ଓ ଶୁକ୍ରୁଳୀ ବ୍ଲକର ଘରେ ଘରେ ପିଇବା ପାଣି ଯୋଗାଇ ଦେବା ପାଇଁ ୬୫୦ କୋଟି ଟଙ୍କା, ୧୩ ହଜାର ୫୦୦ ପିଲାଙ୍କ ପାଇଁ ହଷ୍ଟେଲ ସୁବିଧା ଓ ଅଞ୍ଚଳର ୮ ଟି ସ୍କୁଲକୁ ୫ ଟି ରେ ରୂପାନ୍ତରଣ କରିଛନ୍ତି ସରକାର ବୋଲି ଲୋକଙ୍କୁ ଅବଗତ କରାଇଛନ୍ତି ପାଣ୍ଡିଆନ ।

ଆଦିବାସୀ ଭାଇଭଉଣୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କ ହୃଦୟରେ ରଖିଛନ୍ତି, ସେମାନଙ୍କୁ ସେ ବହୁତ ଭଲ ପାଆନ୍ତି । ଆଦିବାସୀ କଳା, ସଂସ୍କୃତି, ପୂଜାସ୍ଥଳୀ ଓ ଜାଗିରାକୁ ସୁରକ୍ଷା ଲାଗି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଉଛନ୍ତି  ଆମ ମୁଖ୍ୟମନ୍ତ୍ରୀ । ଏଭଳି ପଦକ୍ଷେପ କେବଳ ନବୀନ ବାବୁ କରିଛନ୍ତି, ଅନ୍ୟ କୌଣସି ରାଜ୍ୟ କିମ୍ୱା ଦଳ କରିନାହାନ୍ତି ।

ଆଦିବାସୀମାନଙ୍କ ଉପରୁ ଛୋଟ ବଡ଼ ୫୦ ହଜାର ପୋଲିସ କେଶ୍‍ ରଦ୍ଦ କରିଛନ୍ତି, ଯାହାଦ୍ୱାରା ସେମାନଙ୍କୁ ଆଉ ହଇରାଣ ହେବାକୁ ପଡ଼ିବ ନାହିଁ । ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ସମ୍ପ୍ରଦାୟଙ୍କ ପାଇଁ ଲାଭଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ଯଥା- ଶାଳମଞ୍ଜି, ଶାଳପତ୍ର, ମହୁଲ ଇତ୍ୟାଦିର ଉଚିତ ମୂଲ୍ୟ ସେମାନେ ପାଉଛନ୍ତି, ଠକାମିରେ ସେମାନେ ଆଉ ପଡ଼ୁନାହାନ୍ତି ।

ମା କୀଚକେଶ୍ୱରୀ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।ଶପଥ ନେବା ପରେ ସମସ୍ତଙ୍କ ପାଇଁ ବିଜୁଳି ବିଲ୍‍ ଛାଡ଼୍‍ କରିବେ, ବି.ଏସ୍‍.କେ.ୱାଇରେ ସମସ୍ତଙ୍କୁ ସାମିଲ କରିବେ, ମିଶନ ଶକ୍ତି ସଦସ୍ୟାମାନଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରିବେ ବୋଲି କହିଛନ୍ତି ପାଣ୍ଡିଆନ  । ଏହାସହ ବିରୋଧିଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି ପାଣ୍ଡିଆନ ।

ସେ କହିଛନ୍ତି ,ଯଶୀପୁରରୁ ଆପଣ ଯାହାକୁ ଗତଥର ନିର୍ବାଚିତ କରିଥିଲେ, ସେ କେବେ ତାଙ୍କ କାମର ହିସାବ ଦେଇଛନ୍ତି କି ଆପଣଙ୍କୁ ? କିନ୍ତୁ ଆମ ମୁଖ୍ୟମନ୍ତ୍ରୀ ସବୁ କାମର ହିସାବ ଦିଅନ୍ତି । ୫ ବର୍ଷରେ ଥରେ ସୁଯୋଗ ଆସିଛି ସୁଦାମ ବାବୁ ଏବଂ ଚକ୍ରଧର ବାବୁଙ୍କୁ ଆଶୀର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ ବୋଲି ଅପିଲ କରିଛନ୍ତି  ବିଜେଡି ନେତା ଭି୍କେ ପାଣ୍ଡିଆନ ।

 

Comments are closed.