Latest Odisha News

BREAKING NEWS

ନିର୍ବାଚନରେ ଦଳୀୟ ନେତାଙ୍କ ପରାଜୟର କାରଣ ଖୋଜାଯିବ: ପ୍ରଣବ ପ୍ରକାଶ ଦାଶ

ଭୁବନେଶ୍ୱର: ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନକୁ ନେଇ ଆଜି ସମୀକ୍ଷା ବୈଠକ କରିଥିଲେ ବିଜେଡି ସୁପ୍ରିମୋ ତଥା ବିଦାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଧାନସଭା ଓ ଲୋକସଭା ନିର୍ବାଚନରେ ପରାଜିତ ହୋଇଥିବା ବିଜେଡି ପ୍ରାର୍ଥୀମାନେ ଭୁବନେଶ୍ୱର ନବୀନ ନିବାସରେ ଅନୁଷ୍ଠିତ ବୈଠକରେ ଯୋଗ ଦେଇଥିଲେ। ଯେଉଁଥିରେ ନିର୍ବାଚନରେ ଦଳର ପ୍ରଦର୍ଶନ ଉପରେ ନବୀନ ବିସ୍ତୃତ ଆଲୋଚନା କରିଥିଲେ।

ବୈଠକ ପରେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବୈଠକ ବସିଥିଲା। ଏବେ ବି ଯାହା ହେଉଛି ତାହା ତାଙ୍କ ନିଷ୍ପତ୍ତି କ୍ରମେ ହେଉଛି। ପରାଜୟର କାରଣ ଖୋଜାଯିବ। ଏଥିପାଇଁ ଏକ କମିଟି ଗଠନ କରାଯିବ। ଦଳର ବରିଷ୍ଠନେତା ମାନେ ଏହି ବୈଠକରେ ରହିବେ।

ଏହି ବୈଠକରେ ପରାଜିତ ମନ୍ତ୍ରୀ ଓ ବିଧାୟକଙ୍କ ବ୍ୟତୀତ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ। ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ରୋହିତ ପୂଜାରୀ, ପ୍ରୀତିରଞ୍ଜନ ଘଡେଇ, ବିକ୍ରମ କେଶରୀ ଆରୁଖ, ଅଶୋକ ପଣ୍ଡା, ଗୋପବନ୍ଧୁ ଦାସ, କୌଶଲ୍ୟା ପ୍ରଧାନ, ଶ୍ରୀକାନ୍ତ ସାହୁ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।

ସେହିପରି ଲୋକସଭା ପ୍ରାର୍ଥୀ ମନ୍ମଥ ରାଉତରାୟ, ପ୍ରଦୀପ ମାଝୀ, ରଞ୍ଜିତା ସାହୁ, ଅବିନାଶ ସାମଲ, ସରମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ।

ଲୋକସଭା ନିର୍ବାଚନରେ ବିଜେଡି ଗୋଟିଏ ବି ଆସନ ଜିତିବାରେ ବିଫଳ ହୋଇଥିବା ବେଳେ ବିଜେପି ମୋଟ ୨୧ଟି ଆସନରୁ ୨୦ଟିରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଆସନ ରେ ବିଜୟୀ ହୋଇଛି।

ବିଧାନସଭା ନିର୍ବାଚନରେ ୧୪୭ ଆସନ ବିଶିଷ୍ଟ ବିଧାନସଭାରେ ବିଜେପି ୭୮ ଓ କଂଗ୍ରେସ ୧୪ ଆସନରେ ଜିତିଥିବା ବେଳେ ବିଜେଡି ୫୧ଟି ଆସନ ଜିତିପାରିଛି। ଏହି ନିର୍ବାଚନ ସହିତ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିର ୨୪ ବର୍ଷର ଶାସନର ଅନ୍ତ ଘଟିଛି।

Leave A Reply

Your email address will not be published.