Latest Odisha News

BREAKING NEWS

ଦଳ ଭାଙ୍ଗିବ ନା ସରକାର ଗଢିବ?

ଭୁବନେଶ୍ବର: ଅତନୁଙ୍କ ମିଶାଣ ବଢିଲା ବିଜେପିର ଟେନସନ୍ ! ବିଜେପି ସରକାର ଭାଙ୍ଗିବାକୁ ଗେମପ୍ଲାନ୍ ! କଂଗ୍ରେସ ସହ ହାତ ମିଳାଇବ କି ବିଜେଡି? କାହିଁକି ବାରମ୍ବାର ସରକାରକୁ ଫେରିବାକୁ ହିସାବ ଦେଖାଉଛନ୍ତି ବିଜେଡି ନେତା? ପ୍ରଥମେ ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଆଉ ଏବେ ଅତନୁ ସବ୍ୟସାଚୀ ନାୟକ । ପୁଣି ଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ କେମିତି ହେବେ? ସେନେଇ ଏକ ସଭାରେ ହିସାବ ରଖିଛନ୍ତି ଅତନୁ । କଂଗ୍ରେସ, ସ୍ବାଧୀନ ବିଧାୟକଙ୍କ ସଂଖ୍ୟା ବିଜେଡି ସହ ମିଶାଇ ଅଙ୍କ କଷିଛନ୍ତି । ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିବା ବେଳେ ବିଜେପି କଡା କାଉଣ୍ଟର କରିଛି । ଅତନୁଙ୍କ ଗଣିତକୁ ଭୁଲ କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ ।

ଅତନୁଙ୍କ ମିଶାଣ କାହାକୁ ଟେନସନ୍?

ନିଜ ପାଖରେ ମ୍ୟାଜିକ ନମ୍ବର ୭୪ ନଥିଲେ ବି କେମିତି ବିଜେଡି ସରକାରକୁ ଫେରିବ, ତାର ଫର୍ମୁଲା କହିଛନ୍ତି ବରିଷ୍ଠ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ। ମହାକାଳପଡାରେ ଏକ ସଭାରେ ସେ ବିଜେଡି ପୁଣି କ୍ଷମତାକୁ ଫେରିବା ନେଇ ସେ ଦମ୍ଭ ଦେଖାଇଛନ୍ତି। ବିଜେଡିର ୫୧ବିଧାୟକ ରହିଥିବା ବେଳେ କଂଗ୍ରେସର ୧୪ ଓ ୩ଜଣ ସ୍ବାଧୀନ ଏମଏଲଏ ରହିଛନ୍ତି । ଆଉ ମାତ୍ର ୧୦ ବାକି ରହିଥିବା ଅତନୁ କହିଛନ୍ତି । କଂଗ୍ରେସ, ସ୍ବାଧୀନ ବିଧାୟକଙ୍କୁ ସାଙ୍ଗରେ ନେବା ସହ ୧୦ବିଜେପି ବିଧାୟକଙ୍କୁ ଦଳରେ ମିଶାଇ ସରକାର ଗଢିବାର ଫର୍ମୁଲା କହିଛନ୍ତି ଅତନୁ । ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ବଢିଛି ।

ଦେବାଶିଷ, ମୁନ୍ନା ବି ଦେଇଥିଲେ ଇଶାରା

ଅତନୁଙ୍କ ପୂର୍ବରୁ ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ବିଜେଡି କ୍ଷମତାକୁ ଫେରିବା ନେଇ ଗଣିତ କଷିଥିଲେ । କୋର୍ଟରେ ରୁଜୁ ହୋଇଥିବା ନିର୍ବାଚନ ଅନିୟମିତତା ମାମଲା ହାରଜିତକୁ ନେଇ ଉପନିର୍ବାଚନ ସମ୍ଭାବନା ଆଡକୁ ଇଶାରା କରିଥିଲେ ଦେବାଶିଷ। ସେହିପରି ସାଂସଦ ମୁନ୍ନା ଖାଁ ମଧ୍ୟ ବିଜେଡି କ୍ଷମତାକୁ ଆସିବାକୁ ୫ବର୍ଷ ଅପେକ୍ଷା କରିବାକୁ ନପଡିପାରେ ବୋଲି କହିଥିଲେ । ବିଜେପି ପାଖରେ ପ୍ରାର୍ଥୀ ନଥିଲେ, ଅଧିକାଂଶ ବିଜେଡି ଲୋକ ସେଠାରେ ଥିବା କହି ବଡ ଅଦଳବଦଳ ଆଡକୁ ସଂକେତ ଦେଇଥିଲେ ମୁନ୍ନା ଖାଁ । ବିଜେଡି ସହ ବହୁ ବିଜେପି ନେତା ଯୋଗାଯୋଗରେ ରହିଥିବା ବିଜେଡି ନେତା ଅମର ପଟ୍ଟନାୟକ ବି କହିଥିଲେ ।

‘ଅତନୁଙ୍କ ଗଣିତ ଭୁଲ୍’

ଅତନୁଙ୍କ ହିସାବକୁ ଭୁଲ କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ବିଜେପିରୁ ୬ କି ୭ ବିଧାୟକ କିଣିଦେଲେ ବି ସେମାନେ ବିଜେଡିକୁ ଯାଇପାରିବେନି । କାରଣ ଏହି ସଂଖ୍ୟା ବିଜେପି ସଦସ୍ୟଙ୍କ ଏକତୃତୀୟାଂଶ ନୁହେଁ । ତେଣୁ ସେମାନଙ୍କ ସଭ୍ୟ ପଦ ରଦ୍ଦ ହୋଇଯିବ । କାହାକୁ ନେଇ ବିଜେଡି ସରକାର ଗଢିବ, ବୋଲି ସେ ପ୍ରଶ୍ନ କରିଛନ୍ତି । ସେପଟେ ବିଜେଡିର ଏକତୃତୀୟାଂଶରୁ ଅଧିକ ବିଧାୟକ ବିଜେପିକୁ ଆସିବାକୁ ପ୍ରସ୍ତୁତ ହେଲେଣି । ୨୭ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ରହିଛନ୍ତି । ୩ଦିନ ତଳେ ୨୭ବିଧାୟକ ଏକାଠି ହୋଇଥିଲେ । ସେମାନେ ବିଜେପି ଆସିବା ପାଇଁ ଯୋଗାଯୋଗରେ ରହିଛନ୍ତି । ବିଜେଡି ଦିବାସ୍ବପ୍ନ ଦେଖୁଛି, ତାହା କେବେ ସତ ହେବନି ବୋଲି ସରୋଜ ପାଢୀ କହିଛନ୍ତି ।

ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ

ବର୍ତ୍ତମାନ ସୁଦ୍ଧା ବିଜେଡି ସହ ଆମର ମେଣ୍ଟ ହୋଇନାହିଁ।  ଯଦି ସେମାନେ ଆମ ସହ ମେଣ୍ଟ କରିବାକୁ ଚାହାନ୍ତି, ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ କହିଛନ୍ତି।

ଦଳ ଭାଙ୍ଗିବ ନା ସରକାର ଗଢିବ?

ବିଜେପି ସରକାର ଆସିବା ପରଠୁ ରାଜ୍ୟ ରାଜନୀତିରେ ଦଳବଦଳ ଓ ଅପରେସନ୍ ଲୋଟସକୁ ନେଇ ଜୋରଦାର ବୟାନବାଜି ଚାଲିଛି । ବିଜେପି ନେତା ବିଜେଡି ଭାଙ୍ଗିବାକୁ ନେଇ ଦମ୍ଭ ଦେଖାଉଛନ୍ତି ତ ବିଜେଡି ପୁଣି କ୍ଷମତାକୁ ଫେରିବାର ହିସାବ ଦେଖାଉଛି। ବିଜେଡିର ଦୁଇ ରାଜ୍ୟସଭା ସାଂସଦ ମମତା ମହନ୍ତ ଓ ସୁଜିତ କୁମାର ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ମମତା ବିଜେପିରୁ ପୁଣି ରାଜ୍ୟସଭା ବି ଯାଇଛନ୍ତି । ଏହାପରଠୁ ବିଜେଡିକୁ ଖାଲି କରିବା ନେଇ ରାଜ୍ୟ ବିଜେପି ସଭାପତିଙ୍କଠାରୁ ଆରମ୍ଭ କରି ବହୁ ବରିଷ୍ଠ ନେତା ଖୋଲାଖୋଲି ବୟାନ ଦେଉଛନ୍ତି । ୨୦୨୯ ବେଳକୁ ବିଜେଡି ଖାଲି ହୋଇଯିବ ବୋଲି କହିଥିଲେ ଯାଜପୁର ସାଂସଦ ରବିନାରାୟଣ ବେହେରା । ସେପଟେ ସଂଖ୍ୟା ତାରତମ୍ୟ ବେଶୀ ନଥିବାରୁ ବିଜେଡି ନେତା ବି ସରକାରକୁ ଫେରିବାର ଫର୍ମୁଲା ନେଇ ହିସାବ ଦେଉଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ତୃଣମୂଳସ୍ତରରେ ବି ଦଳବଦଳ ଜୋରଦାର ଚାଲିଛି । ଓଡ଼ିଶା ବିଧାନସଭାର ମୋଟ୍ ୧୪୭ ଆସନ ମଧ୍ୟରୁ ବିଜେପି ୭୮, ବିଜେଡି ୫୧, କଂଗ୍ରେସ ୧୪, ସିପିଏମର ଜଣେ ଓ ୩ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ତେବେ ପ୍ରଶ୍ନ ଉଠୁଛି, ପ୍ରକୃତରେ କିଛି ବଡ ପ୍ଲାନ୍ କରୁଛି କି ବିଜେଡି? ନା ନିଜ କର୍ମୀଙ୍କ ମନରେ ଜୋଶ୍ ଭରିବାକୁ ଏମିତି କହୁଛନ୍ତି ନେତା?

Comments are closed.