ବାଲେଶ୍ବର: କୋର୍ଟରେ ହାଜର ହେଲେ ରାଜା ଚକ୍ର। କ୍ରାଇମବ୍ରାଞ୍ଚ ଆଜି ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରିଛି। ଗତକାଲି କ୍ରାଇମବ୍ରାଞ୍ଚ ୫ ଦିନିଆ ରିମାଣ୍ଡ ଆବେଦନ କରିଥିଲା। ଗତ ୧୩ ତାରିଖରେ ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ।
ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଥିଲେ କ୍ରାଇମ୍ବ୍ରାଞ୍ଚ ଡିଜି। ୨୦୧୭-୧୮ ମସିହାରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ଏଜେନ୍ସି। ଅନ୍ୟପଟେ ଅଧିକ ଖୋଳତାଡ଼ ପାଇଁ କୋଇଡା ଅଞ୍ଚଳରେ ଇଓଡବ୍ଲୁ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ଏହି ଚଢାଉରେ ପେଟ୍ରୋଲ୍ ପମ୍ପ ନିକଟରୁ ୩ଟି ହାଇଓ୍ୱା ଗାଡ଼ିକୁ ଜବତ କରାଯାଇଛି। ଏଥିସହିତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକି ଅପରାଧ ଶାଖା।
ସୂଚନାଯୋଗ୍ୟ ଯେ, କେନ୍ଦୁଝର ‘ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି’ ଏବଂ ପରିବହନ ସମବାୟ ସମିତି ଲି. ୨୦୦୬ରେ ପଞ୍ଜିକୃତ ହୋଇଥିଲା। ସୋସାଇଟି ଦ୍ୱାରା ପ୍ରାପ୍ତ ଲାଭରୁ ଖଣି ପ୍ରଭାବିତ ଅଞ୍ଚଳର ବାସିନ୍ଦାଙ୍କ ଆର୍ଥିକ ଉନ୍ନତିମୂଳକ କାର୍ଯ୍ୟ ଖର୍ଚ୍ଚ କରାଯାଏ। ପରେ ଷଡ଼ଯନ୍ତ୍ର କରି ଶ୍ରମଦେୟ, ପରିଧି ବିକାଶ, ଭିତ୍ତିଭୂମି ଖର୍ଚ୍ଚ, ପ୍ରଭାବିତ ସଦସ୍ୟଙ୍କୁ ଦେୟ, ଇପିଏଫ କାଟ୍ ବାବଦରେ ମିଥ୍ୟା ଦସ୍ତାବିଜ ପ୍ରସ୍ତୁତ କରି କୋଟି କୋଟି ଟଙ୍କା ଆତ୍ମସାତ କରାଯାଇଥିବାର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା । ଘଟଣାରେ ତଦନ୍ତ କରି ରାଜା ଚକ୍ରଙ୍କ ସହିତ ୪ ଜଣ ସହଯୋଗୀଙ୍କୁ ଗିରଫ କରାଯାଇଥିଲା।
Comments are closed.