Latest Odisha News

BREAKING NEWS

ଓଡିଶା ବିଜେପିର ୱାଶିଂ ମେସିନରେ ସ୍ୱଚ୍ଛ ହେଉଛନ୍ତି ବିଜେଡିରୁ ବହିଷ୍କୃତ ନେତା: ବିଜେଡି

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜେଡି ସାଂସଦ ତଥା ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର । ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡ. ପାତ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା, ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉଦାହରଣ ଦେଇ କଡା କଟାକ୍ଷ କରିଛନ୍ତି ।

ସେ କହିଛନ୍ତି ଯେ, ଓଡ଼ିଶାରେ ଅନେକ ପ୍ରକାରର ୱାଶିଂ ମେସିନ୍ ରହିଛି । କିନ୍ତୁ ଓଡ଼ିଶା ବିଜେପି ପାଖରେ ଯାହା ଅଛି ତାହା ବାସ୍ତବରେ ଅନନ୍ୟ । କାରଣ ରାଜ୍ୟ ବିଜେପି ଯେତବେଳେ ବିଜେଡି ନେତାଙ୍କୁ ଟାର୍ଗେଟ୍ କରନ୍ତି ସେମାନଙ୍କୁ ଗୁଣ୍ଡା, ଜମି ଜବରଦଖଲକାରୀ, କଳାଧନ କାରବାରୀ ଓ ଚୋର କହିବେ । କିନ୍ତୁ ଏହି ବିଜେଡି ନେତା ଓଡ଼ିଶା ବିଜେପିକୁ ଯିବା ମାତ୍ରେ ତାଙ୍କୁ ଫୁଲମାଳ ପକାଇ ସ୍ୱାଗତ କରିବା ସହ ଓଡ଼ିଶା ବିଜେପିର ୱାଶିଂ ମେସିନରେ ପକାଇ ସ୍ୱଚ୍ଛ କରିଦେବେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

ଡ. ପାତ୍ର ପ୍ରଥମେ ବୈଜୟନ୍ତ ପଣ୍ଡାଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, ସାରୁଅରେ ନିଜ କମ୍ପାନୀ ଜରିଆରେ ଗରିବ ଅନୁସୂଚିତ ଜାତି ଚାଷୀଙ୍କ ଠାରୁ ବେଆଇନ ଭାବେ ଜମି ହଡ଼ପ କରିଛନ୍ତି । ସେ ଏହା ଉପରେ ଏକ ବିରାଟ ଷ୍ଟୁଡିଓ ତିଆରି କରି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । କିନ୍ତୁ ଗତ ୪ ବର୍ଷ ଧରି ଏହି ଗରିବ ଅନୁସୂଚିତ ଜାତିର ଲୋକମାନେ ଆନ୍ଦୋଳନ କରିବା ସତ୍ତ୍ୱେ ସେମାନଙ୍କୁ ଜମି ଫେରାଇବାକୁ ସେ ନାରାଜ । ବୈଜୟନ୍ତଙ୍କ ଟିଭି କମ୍ପାନୀକୁ ତିନୋଟି ବାହାର କମ୍ପାନୀରୁ ୧୬ ରୁ ୧୭ କୋଟି କଳା ଧନ ଆସିଲା । ଏହି ମାମଲା ଏବେ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି । ଯାହା ବାହାମାସ ସ୍କାମ ନାଁରେ ପରିଚିତ । ହେଲେ ଏପରି ନେତାଙ୍କୁ କୋଳେଇ ନେଇ ବିଜେପି ଓ୍ବାଶ୍ବିଂ ମେସିନ୍ ରେ ପକାଇ ସ୍ବଚ୍ଛ କରି ଟିକେଟ୍ ଦେଇଥିଲା ବୋଲି ଶ୍ରୀ ପାତ୍ର କହିଛନ୍ତି ।

ଖାଲି ସେତିକି ନୁହେଁ, ବୈଜୟନ୍ତ ପଣ୍ଡା ଆଜିକାଲି ବିଜୁଳି କଥା କହୁଛନ୍ତି । କିନ୍ତୁ ଓଡ଼ିଶାବାସୀ ଜାଣନ୍ତି ନାହିଁ ଯେ ତାଙ୍କ କମ୍ପାନୀ ଓଡ଼ିଶାକୁ ୪୮୦ କୋଟି ଟଙ୍କା ବିଜୁଳି ବକେୟା ଦେବାକଥା, କିନ୍ତୁ ସେ ମନା କରିଦେଇଛନ୍ତି । କିନ୍ତୁ ଆଜି ସେ ଓଡ଼ିଶାବାସୀଙ୍କ ଆଗରେ ଶସ୍ତା ବିଜୁଳି କଥା କହୁଛନ୍ତି ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଏହାପରେ ସେ ପ୍ରଶାନ୍ତ ଜଗଦେବଙ୍କୁ ମଦୁଆ ଓ ଗୁଣ୍ଡା କହି କଟାକ୍ଷ କରି ଡ. ପାତ୍ର କହିଛନ୍ତି ଯେ, ଯିଏ ମଦ୍ୟ ପାନ କରି ଜଣେ ବିଜେପି କର୍ମୀଙ୍କୁ ଆକ୍ରମଣ କରେ ସେଭଳି ଲୋକ ବାହାରେ ରହିବା ଉଚିତ ନୁହେଁ, ସେମାନଙ୍କ ସ୍ଥାନ ଜେଲରେ ହେଲେ ଏଭଳି ବ୍ୟକ୍ତିଙ୍କୁ ଦଳରେ ସାମିଲ କରିଛି ବିଜେପି ।

ଓଡ଼ିଶା ବିଜେପିର ୱାଶ୍ବିଂ ମେସିନରେ ସଫା ହୋଇଥିବା ଆଉ ଜଣେ ରାଜନେତା ହେଉଛନ୍ତି ପ୍ରଦୀପ ପାଣିଗ୍ରାହୀ । ନିରୀହ ଯୁବକଙ୍କୁ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଠକିବା, ଏଥିପାଇଁ ସେମାନଙ୍କ ଠାରୁ ଟଙ୍କା ନେଇ ଠକେଇ କରିବା ଅଭିଯୋଗରେ ଜେଲରେ ରହିଥିଲେ । ତାଙ୍କୁ ଫୁଲମାଳ ପକାଇ ଦଳୀୟ ଟିକେଟ ଦିଆଯାଇଥିଲା ଏବଂ ଏବେ ସେ ଓଡ଼ିଶା ବିଜେପି ପାଇଁ ଠକେଇର ପୋଷ୍ଟର ବଏ । ସେହି ଓଡ଼ିଶା ବିଜେପି ନେତାମାନେ ତାଙ୍କୁ ଚିଟ୍‌ଫଣ୍ଡ ଚୋର ବୋଲି କହୁଥିଲେ ଏବଂ ଆଜି ସେ ସେମାନଙ୍କ ପୋଷ୍ଟର ବଏ ପାଲଟି ଯାଇଛନ୍ତି ବୋଲି ଶ୍ରୀ ପାତ୍ର କହିଛନ୍ତି ।

Comments are closed.