Latest Odisha News

ନୟାଗଡରୁ ପାଣ୍ଡିଆନଙ୍କ ତେରଚ୍ଛା ବାଣ, ‘ବିରୋଧୀ କେବେହେଲେ ବିକାଶ ଚାହାନ୍ତି ନାହିଁ’

ନୟାଗଡ଼: ୫ ବର୍ଷରେ ଥରେ ସୁଯୋଗ ଆସିଛି ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବା ପାଇଁ, ଶଙ୍ଖ ଚିହ୍ନରେ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାକୁ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରୁ ନିବେଦନ କଲେ ପାଣ୍ଡିଆନ । ଅଲଗା ଲୋକ ସାଂସଦ ହେଲେ ବିକାଶ ରଥ ଅଟକି ଯିବ, ବିରୋଧୀ ଦଳ କେବେହେଲେ ବିକାଶ ଚାହାନ୍ତି ନାହିଁ, କାମ କରିବାକୁ ଦେବେ ନାହିଁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି ପାଣ୍ଡିଆନ ।

ଏହି ଅବସରରେ ବିଜେଡି ବରିଷ୍ଠ ନେତା ଭିକେ ପାଣ୍ଡିଆନ ନୟାଗଡ଼ ପାଇଁ ବିପୁଳ ପୁଞ୍ଜିନିବେଶ ଯୋଜନା ରଖିଛନ୍ତି ମୁଖ୍ୟମନ୍ତୀ ବୋଲି କହିଛନ୍ତି । ରେଳଲାଇନ ହୋଇଗଲା ବର୍ତ୍ତମାନ ନୟାଗଡ଼ ଶିଳ୍ପସମୃଦ୍ଧ ହେବ, ଯୁବପିଢ଼ି ରୋଜଗାର ପାଇବେ, ସଶକ୍ତ ହେବେ । ମୁଖ୍ୟମନ୍ତ୍ରୀ ୨୦୨୪ ନିର୍ବାଚନୀ ଇସ୍ତାହାରରେ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ ବହୁତ କିଛି ଯୋଜନା କରିଛନ୍ତି । ଆଜି ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ମଧ୍ୟବିତ୍ତ ବର୍ଗଙ୍କ ଉନ୍ନତି ପାଇଁ କିଛି କରିନାହାନ୍ତି କହି ବିରୋଧୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ ।

ଆପଣମାନଙ୍କୁ ନେଇ ନୂଆ ଓଡ଼ିଶା ଗଠନ ଲକ୍ଷ୍ୟରେ ଏହା କରାଯାଇଛି । ସମସ୍ତ ମଧ୍ୟବିତ୍ତ ବର୍ଗଙ୍କୁ ବିଏସକେୱାଇରେ ସାମିଲ କରାଯିବ । ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାଉସିଙ୍ଗ ଲୋନ ପାଇଁ ସୁଧହାର କମ୍‍ ରହିବ । ଶିକ୍ଷା ଋଣରେ ମଧ୍ୟ ସୁଧହାର କମ୍‍ ରହିବ ।

ନୂଆ-ଓ ସ୍କଲାରସିପ୍‍ ଜରିଆରେ କଲେଜ ପୁଅମାନଙ୍କ ପାଇଁ ୧୨ ହଜାର ଓ ଝିଅମାନଙ୍କ ପାଇଁ ୧୪ ହଜାର ଟଙ୍କାର ବ୍ୟବସ୍ଥା । ଏଭଳି ପଦକ୍ଷେପ କୌଣସି ରାଜ୍ୟ ନେଇନାହାନ୍ତି, ଏହା କେବଳ ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକ କରିଛନ୍ତି । କଣ୍ଟିଲୋ ନୀଳମାଧବ ମନ୍ଦିର ରୂପାନ୍ତରଣ, ଜଳସେଚନ ପାଇଁ କୁସୁମୀ ଓ ବୃତଙ୍ଗ ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନୟାଗଡ଼ ପାଇଁ କରିଛନ୍ତି ବୋଲି ପାଣ୍ଡିଆନ କହିଛନ୍ତି ।

ସାରା ଓଡ଼ିଶା କହୁଛି ଜୁନ୍ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଶପଥ ନେବେ । ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଦସ୍ତଖତରେ ଓଡ଼ିଶାର ୯୦ ପ୍ରତିଶତ ପରିବାର ପାଇଁ ବିଜୁଳି ବିଲ୍‍ ଛାଡ଼ ହେବ । ଦ୍ୱିତୀୟ ଦସ୍ତଖତରେ ସମସ୍ତେ ବିଏସକେୱାଇରେ ସାମିଲ ହେବେ । ତୃତୀୟ ଦସ୍ତଖତରେ ମିଶନଶକ୍ତି ସଦସ୍ୟାମାନଙ୍କୁ ୬୦ ବର୍ଷ ପରେ ପେନ୍‍ସନ୍‍ ବ୍ୟବସ୍ଥା ।

ତେବେ ପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ଆଜି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାର କରିଛନ୍ତି । ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନବୀନ ପଟ୍ଟନାୟକ ଭଲ କି ? ଜୁଲାଇରୁ ବିଜୁ ଜନତା ଦଳ ମାଗଣା ବିଜୁଳି ଦେବେ, ବିଜୁଳି ବିଲ୍‍ ଆସିବ ନାହିଁ, ଆପଣମାନେ ଖୁସି ତ ? ସେହିପରି ପୁରୀ ଶ୍ରୀମନ୍ଦିର ପ୍ରକଳ୍ପ କାମ ଓ ମା’ସମଲେଇଙ୍କ ପ୍ରକଳ୍ପ କାମ ଭଲ ହୋଇଛି ତ ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ ବିଏସ‍କେୱାଇ, ମିଶନଶଶକ୍ତି, ମମତା, ଲକ୍ଷ୍ମୀବସ୍‍, 5-T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍‍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍‍ସନ୍‍, ଚାଉଳ କାର୍ଡ ଇତ୍ୟାଦି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ଲୋକଙ୍କୁ ପଚାରିଲେ ନବୀନ ।

Comments are closed.