Latest Odisha News

ବିଜେପିକୁ ବିଜେଡି ନେତାଙ୍କ ଆହ୍ୱାନ; ସାହାସ ଅଛି ତ ନିର୍ବାଚନରେ ସିଧାସଳଖ ଲଢିକି ଦେଖାଅ

ଭୁବନେଶ୍ୱର: ବିଜେପିକୁ ଟାର୍ଗେଟ କରିଛି ବିଜେଡି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର, ସାଂସଦ ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ.ଲେନିନ୍‍ ମହାନ୍ତି ବିଜେପି ଉପରେ ବର୍ଷିଛନ୍ତି । ଏହି ପରିପେକ୍ଷିରେ ବିଜେଡିର ଏହି ଚାରି ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିଛି ଏବଂ ସରକାର ଗଠନ କରୁଛି । ଯଦି ଦମ୍ ଅଛି ତ ରାଜନୈତିକ ଭାବେ ବିଜେଡି ସହିତ ଲଢିକି ଦେଖାଅ । ଅଯଥାରେ ଅଫିସରଙ୍କୁ ଟାର୍ଗେଟ କଲେ କିଛି ଲାଭ ହେବ ନାହିଁ ।

ଗତ ରାତିରେ ଓଡ଼ିଶା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟମାନେ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନିଲମ୍ବିତ କରିଥିବା ଏବଂ ଅନ୍ୟ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଏମ୍‍ସ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବାର ଶ୍ରେୟ ନେବାକୁ ଚେଷ୍ଟା କରୁଥିଲେ, ଯାହା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ସେମାନଙ୍କର ମନରେ ଥିବା କିଞ୍ଚିତ୍‍ ସମ୍ମାନକୁ ଦର୍ଶାଉଛି । ଓଡ଼ିଶା ବିଜେପି ନେତାଙ୍କ ଏଭଳି ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ି ରାଜ୍ୟରେ ନକ୍ସଲବାଦକୁ ରୋକିଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି । ବିଜେଡି ସହ ଲଢ଼ି ନପାରି ପରାଜିତ ହେଉଥିବାରୁ ଓଡ଼ିଶା ପାଇଁ ଜୀବନରେ ଏତେ ବଳିଦାନ ଦେଇଥିବା ଜଣେ ଅଫିସରଙ୍କୁ ବିଜେପି ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ବିଜେଡି ବରିଷ୍ଠ ନେତା ମାନେ କହିଛନ୍ତି ।

ବିନୟ ପ୍ରଧାନଙ୍କ ଭଳି ଆଇଏଫଏସ ଅଫିସର ଅଧିକାରୀଙ୍କର ସମ୍ପୃକ୍ତି ବିଷୟରେ ମଧ୍ୟ ଆମେ ଅନେକ ଦାବିପତ୍ର ପ୍ରଦାନ କରିଥିଲୁ । ବିନୟ ପ୍ରଧାନ ଓ ତାଙ୍କ ଲିଙ୍କ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥିରୁ ଜଣାପଡୁଛି ଯେ ଇସିଆଇକୁ ବିଜେପି ବ୍ୟବହାର କରୁଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବିଜେଡି ଏକ ଦଳ ଭାବରେ ବହୁତ ଶକ୍ତିଶାଳୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ଏତେ ଦୃଢ଼ ଯେ ଆମେ ଏହି ନିର୍ବାଚନରେ ଦୃଢ଼ ଭାବେ ବିଜୟୀ ହେଉଛୁ ଏବଂ ଓଡ଼ିଶା ବିଜେପି ବହୁତ ଦୟନୀୟ ଭାବେ ପରାଜିତ ହେଉଛି । ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ, ଅଧିକାରୀଙ୍କୁ ଟାର୍ଗେଟ କରି ପଛ ଦ୍ୱାର ଦେଇ ଯିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଆମ ସହ ଲଢ଼େଇ କରନ୍ତୁ । ଓଡ଼ିଶାବାସୀ ଏହାକୁ ଦେଖୁଛନ୍ତି ଏବଂ ଚଳିତ ନିର୍ବାଚନ ଓ ଆଗାମୀ ଦିନରେ ମଧ୍ୟ ବିଜେପିକୁ ଏହାର କଡ଼ା ଜବାବ ଦେବେ ।

ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଧମକ ଦେଇ ତାଙ୍କୁ ଅତ୍ୟନ୍ତ ନିମ୍ନସ୍ତରୀୟ ନାମ ବୋଲି କହିଥିଲେ । ଏହା ସମାଜର ଚତୁର୍ଥ ସ୍ତମ୍ଭ ଓ ମୁକ୍ତ ଗଣମାଧ୍ୟମର ପବିତ୍ରତା ବିରୋଧି । ଏଭଳି ଅହଂକାରକୁ ଓଡ଼ିଶାବାସୀ କେବେ ବରଦାସ୍ତ କରନ୍ତି ନାହିଁ ଏବଂ ଶ୍ରୀ ପ୍ରଧାନ ଚଳିତ ନିର୍ବାଚନରେ ଯେତେବେଳେ ଦୟନୀୟ ଭାବେ ପରାଜୟ ବରଣ କରିବେ ସେତେବେଳେ ସେମାନଙ୍କର ଉତ୍ତର ଜାଣିପାରିବେ ବୋଲି ଡ.ପାତ୍ର, ଶ୍ରୀ ମଙ୍ଗରାଜ, ଶ୍ରୀମତୀ ଦେଓ ଓ ଡ.ମହାନ୍ତି କହିଛନ୍ତି ।

Comments are closed.