Latest Odisha News

BREAKING NEWS

ନୂଆ ଆଲେଖ୍ୟ ଲେଖି ପୁଣିଥରେ ନିଜ ଦଳକୁ ପରୋକ୍ଷରେ ଭର୍ତ୍ତୃହରିଙ୍କ ଟାର୍ଗେଟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ, ପୁଣିଥରେ ନିଜ ସମ୍ପାଦିତ ଦୈନିକ ଖବରକାଗଜ ପ୍ରଜାତନ୍ତ୍ରରେ ରବିବାର ଏକ ଆଲେଖ୍ୟ ଲେଖିଛନ୍ତି। ଯେଉଁଥିରେ ସେ ‘ରାଜନୀତିର ବାଟ ହୁଡିଯାଇଛୁ କି ଆମେ?’ ଶୀର୍ଷକ ଲେଖି ପୁଣିଥରେ ନିଜ ଦଳ ତଥା ସରକାରକୁ ଟାର୍ଗେଟ କରିଛନ୍ତି।

ସେ ତାଙ୍କ ଲେଖାରେ ଓଡ଼ିଶାର ସାମ୍ପ୍ରତିକ ସ୍ଥିତିକୁ ପରୋକ୍ଷରେ ଭର୍ତ୍ସନା କରି ଲେଖିଛନ୍ତି, ନିର୍ବାଚିତ ପ୍ରତିନିଧି ଓ କ୍ୟାବିନେଟ୍ ସ୍ତରୀୟ ଶାସନ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଦିଲ୍ଲୀ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମସ୍ତ ନିଷ୍ପତ୍ତିର କେନ୍ଦ୍ର। ଏପରିକି ମନ୍ତ୍ରିମଣ୍ଡଳରେ ଥିବା ମନ୍ତ୍ରୀଙ୍କ ପାଖରେ ସେପରି କୌଣସି କ୍ଷମତା ନାହିଁ ବୋଲି ସେ ଉଲ୍ଲେଖ କରିଛନ୍ତି।

ଆମ୍ ଆଦମୀ ପାର୍ଟି (ଆପ୍) କଥା ଉଲ୍ଲେଖ କରି ସେ କହିଛନ୍ତି ଯେ ଏଭଳି ଦଳଗୁଡ଼ିକ ନିର୍ବାଚନ ଜିତିବା ପାଇଁ ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ ଅଛନ୍ତି। ନିଜ ଦଳ ବିଜେଡି କଥା ଉଲ୍ଲେଖ ନକରି ସେ କହିଛନ୍ତି, କିଛି ଆଞ୍ଚଳିକ ଦଳ ପାଇଁ ମଧ୍ୟ ସମାନ କଥା ପ୍ରଯୁଜ୍ୟ।

ଦଳର ସମ୍ବିଧାନକୁ ତର୍ଜମା କରିବା ପାଇଁ ପ୍ରତିଷ୍ଠାତା ସଭାପତିଙ୍କୁ ସମୟ ମିଳୁଛି କି? ଦଳ କାହିଁକି ଗଠନ ହେଲା ଏବଂ ଏହାର ବର୍ତ୍ତମାନର ସ୍ଥିତି କ’ଣ ତାହା ବିଶ୍ଳେଷଣ କରିବା ପାଇଁ ଦଳରେ କେହି ଅଛନ୍ତି କି? ସେ ପ୍ରଶ୍ନ କରିଛନ୍ତି, ଯିଏ ତାଙ୍କୁ ଏହି କଥା ମନେପକାଇବ ତାକୁ ଦଳ ବିରୋଧୀ ବୋଲି ବିବେଚନା କରାଯାଉଛି ବୋଲି ସେ ଲେଖିଛନ୍ତି ।

ପୂର୍ବରୁ ଭୁବନେଶ୍ୱରରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭ ବେଳେ ପୋଲିସର ଆକ୍ରମଣ ଘଟଣାକୁ ନେଇ ବିଜେଡି ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା କରିଥିଲେ।

ଏ ସମ୍ପର୍କରେ ବିଜେପି ବିଧାୟକ ନାଉରୀ ନାୟକ କହିଛନ୍ତି, ବିଜୁ ପଟ୍ଟନାୟକଙ୍କୁ ଗୋଟିଏ ସମୟରେ ମନ୍ତ୍ରୀମାନେ ଘେରିଥିଲେ। ଏବେ ଜଣେ ସଚିବଙ୍କୁ ଘେରିଛନ୍ତି ମନ୍ତ୍ରୀମାନେ। ଯାହା ବିଜୁ ଜନତା ଦଳରେ ଘଟୁଥିବା ବଡ଼ ପରିବର୍ତ୍ତନକୁ ସୂଚାଉଛି। ଏବେ ଅଫିସରମାନେ ରାଜ୍ୟ ଶାସନ କରୁଛନ୍ତି।

ନିଜ ଦଳର ପକ୍ଷ ରଖିବାକୁ ଯାଇ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବିଜୁ ପଟ୍ଟନାୟକଙ୍କ ବିଚାରଧାରାକୁ ନେଇ ବିଜୁ ଜନତା ଦଳ ଗଠନ ହୋଇଛି। ଏହି କିମ୍ବଦନ୍ତୀ ନେତାଙ୍କ ଦେହାନ୍ତ ପରେ ନବୀନ ବାବୁ ଏହି ଦଳ ଗଠନ କରିଥିଲେ। ଏହା ଲୋକଙ୍କ ମନସ୍କାମନା ପୂରଣ କରୁଛି। ଦଳର ଉଦ୍ଦେଶ୍ୟ ହେଉଛି ବାଧାବିଘ୍ନ ସତ୍ତ୍ୱେ ରାଜ୍ୟର ବିକାଶ କରିବା ଏବଂ ଆମେ ଇଞ୍ଚେ ମଧ୍ୟ ଆମ ଲକ୍ଷ୍ୟରୁ ବିଚ୍ୟୁତ ହୋଇନାହୁଁ।

 

Leave A Reply

Your email address will not be published.