Latest Odisha News

ଅରୁଆ-ଉଷୁନା ବିବାଦ ନେଇ ପିୟୁଷ ଗୋୟଲଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଅରୁଆ ଓ ଉଷୁନା ଚାଉଳ କିଣାକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଥିବା ବେଳେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟିଛି ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ । ଏହି ସମୟରେ ବାକି ଥିବା ସବ୍‌୍‌ସିଡି ଉପରେ ମଧ୍ୟ ଆଲୋଚନା ହୋଇଥିଲା । ତେବେ ସବୁ ପ୍ରକାର ସହାୟତା ପ୍ରଦାନ ଲାଗି ପିୟୁଷ ଗୋୟଲ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି ।

ଏହି ଆଲୋଚନା ବେଳେ ଏଫ୍‌୍‌ସିଆଇ ନିର୍ଦ୍ଦିଷ୍ଟ ପରିମାଣରୁ ଅଧିକ ଉଷୁନା ଚାଉଳ ନ କିଣିବା ନେଇ ଯେଉଁ ଚିଠି ଲେଖିଛି, ସେହି ପ୍ରସଙ୍ଗ ଉଠିଥିଲା । ଏପରିକି ରବି ଋତୁରେ ଆଦୌ ଉଷୁନା ଚାଉଳ ନ କିଣିବାକୁ ଏଫ୍‌ସିଆଇ ନିଷ୍ପତ୍ତି ନେଇଥିବାରୁ ବିଜେଡି ସାଂସଦମାନେ ଉଦବେଗ ପ୍ରକାଶ କରିଥିଲେ । ଏଫ୍‌ସିଆଇ ଯଦି ଉଷୁନା ଚାଉଳ ନ କିଣେ, ତେବେ ରାଜ୍ୟର ୭୩୫୦ କୋଟି ଟଙ୍କାର ୩୦ ଲକ୍ଷ ମେଟ୍ରିକ ଟନ୍ ଚାଉଳ ନଷ୍ଟ ହୋଇଥିବା ବୋଲି ଆଶଙ୍କା ପ୍ରକାଶ କରିଥିଲେ ବିଜେଡି ସାଂସଦମାନେ । ପିୟୁଷ ଗୋୟର କହିଥିଲେ, ଏଫ୍‌ସିଆଇ ଚିଠି ଦେଇଥିଲେ ମଧ୍ୟ ଏବେ ତୁରନ୍ତ ଉଷୁନା ଚାଉଳ କିଣା ବନ୍ଦ ହେବ ନାହିଁ । ରବି ଋତୁ ପାଇଁ ଆସନ୍ତା ଫେବ୍ରୁଆରି ମାସରେ ଏହି ସମସ୍ୟାର ସମାଧାନ ପାଇଁ ଏଫ୍‌୍‌ସିଆଇ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ ବୈଠକ ହେବ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । ପିୟୁଷ ଗୋଏଲଙ୍କ ଏହି ଆଶ୍ୱାସନା ପରେ ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲା ।

ଉଭୟ ରାଜ୍ୟସଭା ଓ ଲୋକସଭାର ସଦସ୍ୟ ଥିବା ବିଜେଡି ସାଂସଦଙ୍କ ଏକ ପ୍ରତିନିଧି ଦଳ ଭିଡିଓ କନଫରେନସିଂରେ କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ସାକ୍ଷାତ କରିଥିଲେ । ଏହି ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଲୋକସଭା ସାଂସଦ ପିନାକୀ ମିଶ୍ର । ବାକି ଥିବା ୬ ହଜାର ୩୯ କୋଟି ଟଙ୍କାର ସବ୍‌ସିଡି ତୁରନ୍ତ ଓଡିଶାକୁ ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା । ଯଥା ଶୀଘ୍ର ଏହା ପ୍ରଦାନ କରିବାକୁ କଥା ଦେଇଥିଲେ ପିୟୁଷ ଏବଂ ବୈଠକରେ ଉପସ୍ଥିତ ଥିବା ବରିଷ୍ଠ ଅଧିକାରୀଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ ।
ବିଜେଡି ସାଂସଦଙ୍କ ପ୍ରତିନିଧି ଦଳରେ ଥିଲେ ପିନାକୀ ମିଶ୍ର, ଚନ୍ଦ୍ରଶେଖର ସାହୁ, ଏନ୍ ଭାସ୍କର ରାଓ, ଶର୍ମିଷ୍ଠା ସେଠୀ, ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର ।

Leave A Reply

Your email address will not be published.