Latest Odisha News

BREAKING NEWS

ବିଜେଡି ମହାଗଠବନ୍ଧନର ଅଂଶବିଶେଷ ନୁହେଁ: ନବୀନ

ଭୁବନେଶ୍ୱର : ଆଗାମୀ ରାଜ୍ୟ ବିଧାନସଭା ତଥା ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିାଜଡି ସୁପ୍ରିମୋ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ତାଙ୍କ ଦଳ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ବଜାୟ ରଖିବା ସହ ମହାଗଠବନ୍ଧନରେ ସାମିଲ ହେବାର ସମ୍ଭାବନାକୁ ଅସ୍ୱୀକାର କରିଛନ୍ତି ।

“ମହାଗଠବନ୍ଧନର ପ୍ରସଙ୍ଗରେ ବିଜୁ ଜନତା ଦଳ ଏହାର ଅଂଶବିଶେଷ ନୁହେଁ” ବୋଲି ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ।

ନୂଆଦିଲ୍ଲୀ ଠାରେ ସେ ଗୋଟିଏ ଦିନ ପୂର୍ବରୁ କହିଥିଲେ ମହାଗଠବନ୍ଧନରେ ସାମିଲ ହେବାର ନିଷ୍ପତ୍ତି ନେବାକୁ କିଛି ସମୟ ଲାଗିବ । ଏବିଷୟରେ ଚିନ୍ତା କରି ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ ।

“ଆମେ ବିଜେପି ଓ କଂଗ୍ରେସ ଦଳଠାରୁ ସମ ଦୂରତ୍ୱ ଅବଲମ୍ବନ କରିବା ନୀତିକୁ ବଜାୟ ରଖିବୁ” ବୋଲି ସେ ବୁଧବାର ଦିନ କହିଛନ୍ତି ।

ପୂର୍ବରୁ ଗତବର୍ଷ ଡ଼ିସେମ୍ବର ମାସରେ ନବୀନ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓଙ୍କ ଓଡିଶା ଗସ୍ତ ସମୟରେ କହିଥିଲେ, ସମାନ ଚିନ୍ତାଧାରା ଦଳଗୁଡ଼ିକ ସହିତ ମହା ଗଠବନ୍ଧନ କରାଯିବ । ମହାଗଠବନ୍ଧନ କରିବା ସମ୍ପର୍କରେ ଉଭୟ ଓଡ଼ିଶା ଓ ତେଲେଙ୍ଗାନା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେ ଚନ୍ଦ୍ରଶେଖର ରାଓଙ୍କ ମଧ୍ୟରେ ଭୁବନେଶ୍ୱରସ୍ଥିତ ନବୀନଙ୍କ ବାସଭବନ ନବୀନ ନିବାସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

କେସିଆର୍ ଏକ ଅଣ ବିଜେପି ଓ ଅଣ କଂଗ୍ରେସ ଦଳଗୁଡ଼ିକୁ ନେଇ ଏକ ରାଜନୈତୀକ ମହାଗଠବନ୍ଧନ ଗଠନ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ଏନେଇ ସେ ମଧ୍ୟ ଅନେକ ଆଞ୍ଚଳିକ ଦଳ ଗୁଡ଼ିକର ନେତୃବର୍ଗଙ୍କ ସହିତ ସାକ୍ଷାତ ଆଲୋଚନା ମଧ୍ୟ କରିଛନ୍ତି ।

ଆଜି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ନବୀନ ନିର୍ବାଚନ ପୂର୍ବରୁ ମନ୍ତ୍ରୀମଣ୍ଡଳ ଅଦଳବଦଳ ହେବା କଥାକୁ ଖଣ୍ଡନ କରିଛନ୍ତି ।

ନିକଟରେ ରାଜ୍ୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ପ୍ରଦାନ କଲା ପରେ କ୍ୟାବିନେଟ ଅଦଳବଦଳ ହେବା ନେଇ ଚର୍ଚ୍ଚା ଉଠିଥିଲା ।

Leave A Reply

Your email address will not be published.