ଭୁବନେଶ୍ବର: MMDR ସଂଶୋଧନ ବିଲକୁ ଜୋରଦାର ବିରୋଧ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ବିଲ୍ ସଂସଦରେ ପାରିତ ହୋଇଛି। ଏହି ବିଲ୍ ବିରୋଧରେ ବିରୋଧୀ ଦେଇଛନ୍ତି ରଣହୁଙ୍କାର। ନବୀନ ପଟ୍ଟନାୟକ ଅଭିଯୋଗ ଆଣିଛନ୍ତି ଯେ ଓଡ଼ିଶାକୁ ଦୁର୍ବଳ କରିବାକୁ ଭୟଙ୍କର ଚକ୍ରାନ୍ତ ଚାଲିଛି। ଓଡ଼ିଶା ମାଟି ଓ ଖଣି ଅଧିକାରର ସୁରକ୍ଷା ପାଇଁ ଲଢ଼େଇ କରିବେ ବୋଲି ଘୋଷଣା କରିଛନ୍ତି ନବୀନ । ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ଅଧିକାର ପାଇଁ ସେ ଲଢେଇ କରିବେ।
ଏହି ବିଲ୍ ଓଡ଼ିଶାର ଅର୍ଥନୀତିକୁ ବିପଦକୁ ଠେଲିଛି। ଆଗକୁ ଓଡ଼ିଶା କେନ୍ଦ୍ରର ଦୟା ଉପରେ ନିର୍ଭର କରିବାକୁ ବାଧ୍ୟ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଏଥିପାଇଁ ବିଜେଡି ଲଢ଼େଇ ଜାରି ରଖିବ। ଓଡ଼ଶାବାସୀ ଏ ଲଢ଼େଇରେ ସାମିଲ ହେବାକୁ ନବୀନ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ନବୀନ କହିଛନ୍ତି, ୨୦୦୦ ମସିହାରେ ଯେତେବେଳେ ଆମେ ଓଡିଶା ଶାସନ ଦାୟିତ୍ୱ ନେଲୁ, ସେତେବେଳେ ଓଡିଶାର ଅର୍ଥନୀତି ବହୁତ ଖରାପ ଅବସ୍ଥାରେ ଥିଲା । ଆମକୁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡୁଥିଲା । ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ବ ଆମେ ଛାଡି ଯାଇଥିଲୁ । ଆମର ବିତ୍ତୀୟ ପରିଚାଳନାରୁ ଏହା ସମ୍ଭବ ହୋଇ ପାରିଥିଲା । ରାଜସ୍ବ ବଳକା ରାଜ୍ୟ ଭାବେ ଆମେ ପରିଚିତ ହେଉଥିଲୁ । ଗରିବୀ କମିଥିଲା । ଭିତ୍ତିଭୂମୀର ବିକାଶ ହୋଇଥିଲା ଓ ଅନେକ ଜନ କଲ୍ୟାଣ କାମ କରିଥିଲୁ । ଏହି ଦ୍ରୁତ ବିକାଶରେ ଖଣି ଟିକସ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା ।
ଆପଣମାନେ ଜାଣନ୍ତି, ନିକଟରେ ପାର୍ଲିଆମେଣ୍ଟରେ, Mines and minerals Development and Regulation Act (MMDR )ର ସଂଶୋଧନ ବିଲ୍ ପାସ ହୋଇଛି । ଏହା ଓଡିଶା ଓ ଓଡିଶାବାସୀଙ୍କର ବହୁତ କ୍ଷତି କରିବାକୁ ଯାଉଛି । ଏତେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ବିଲ୍ କିନ୍ତୁ ବିନା ଆଲୋଚନାରେ କେନ୍ଦ୍ର ସରକାର ପାରିତ କରାଇ ଦେଲେ । କେବଳ ବିଜେଡି ସାଂସଦମାନେ ଏହାକୁ ରାଜ୍ୟ ସଭାରେ ବିରୋଧ କରିଥିଲେ । ଏହି ବିଲକୁ ବିରୋଧ କରି ମୁଁ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ସର୍ବଦଳୀୟ ବୈଠକ ଓ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡାକିବାକୁ ଚିଠିରେ ଅନୁରୋଧ ମଧ୍ୟ କରିଛି । ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କେହି ବଡ଼ ନୁହେଁ । ପାର୍ଟି ନୁହେଁ ମାଟିର ସ୍ୱାର୍ଥ ପାଇଁ ଆମକୁ ଆଜି ଏକାଠି ହେବାକୁ ପଡିବ ।
ଏମଏମଡିଆର ସଂଶୋଧିତ ବିଲ ଆମ ଖଣି ଉପରେ ଆମ ଅଧିକାର ଶେଷ କରି ଦେଇଛି । ଆପଣ ଜାଣନ୍ତି ଓଡ଼ିଶାରେ କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଓ ମାଙ୍ଗାନିଜର ସର୍ବାଧିକ ଖଣିଜ ଓଡ଼ିଶାରେ ଅଛି । କିନ୍ତୁ ଏ ବିଲ୍ ଏ ସବୁ ଉପରୁ ଆମ ଅଧିକାର ଛଡେଇ ନେଇଛି । ଆମ ଲୋକଙ୍କ କଲ୍ୟାଣ ପାଇଁ ଆମ ଖଣିରୁ ଆମେ କାହିଁକି ଟିକସ ଆଦାୟ କରିପାରିବୁନି ? ଆମ ଲୋକ ଧୂଳି, ଧୂଆଁ ସହିବେ । କିନ୍ତୁ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ । ଏହା ଆମେ ହେବାକୁ ଦେବାନି ।
ଚବିଶ ବର୍ଷ ଧରି ମୁଁ ଓଡ଼ିଶାର ସ୍ୱାର୍ଥକୁ ଜଗିଥିଲି । କେନ୍ଦ୍ରରେ ବିଭିନ୍ନ ଦଳର ସରକାର ଥିଲେ ମଧ୍ୟ ଓଡ଼ିଶାର ଅଧିକାରରେ କ୍ଷତି ଆଣିବାକୁ କେହି ସାହସ କରି ନ ଥିଲେ । ଆପଣମାନେ ୨୦୨୪ରେ ପରିବର୍ତ୍ତନ କରି ନୂଆ ବିଜେପି ସରକାର ଆଣିଲେ । ମାତ୍ର ଦୁଇ ବର୍ଷ ଭିତରେ ସବୁ ବଦଳିଗଲା । ବିଜୁ ବାବୁ ସବୁବେଳେ ରାଜ୍ୟର ରାଜ୍ୟର ବିକାଶ ପାଇଁ ଆର୍ଥିକ ସ୍ବାଧୀନତା ଉପରେ ଜୋର ଦେଉଥିଲେ । ଏ ବିଲ ଦ୍ୱାରା ଓଡ଼ିଶାର ରାଜସ୍ବ ବହୁତ କମିଯିବ । ପ୍ରତି ବର୍ଷ ଆମେ ହଜାର ହଜାର କୋଟି ଟଙ୍କାର କ୍ଷତି ସହିବା । ଏହି ଟଙ୍କାରେ ରାଜ୍ୟରେ ଅନେକ ସ୍କୁଲ, କଲେଜ, ହସପିଟାଲ ହୋଇଥାନ୍ତା । ରାସ୍ତାଘାଟ, ଭିତ୍ତିଭୂମି ସହ ନୂଆ କଲ୍ୟାଣମୂଳକ କାମ ହୋଇଥାନ୍ତା । ଚାଷୀ ଓ ଗରିବ ଲୋକ ଉପକାର ପାଇଥାନ୍ତେ । ଏତେବଡ଼ କ୍ଷତି ଓଡ଼ିଶା ସହି ପାରିବ ତ ? ଆମ ପିଲାମାନଙ୍କୁ, ଆମ ଭବିଷ୍ୟତ ପୀଢ଼ିକୁ ଆମେ କଣ ଜବାବ ଦେବା ? ଓଡ଼ିଶା ଦୁର୍ବଳ କରିବାକୁ ଚାଲିଥିବା ଏହି ଭୟଙ୍କର ଚକ୍ରାନ୍ତକୁ ଓଡ଼ିଶାବାସୀ କେବେ ବରଦାସ୍ତ କରିବେନି। ନବୀନ କହିଛନ୍ତି, ଏ ମାଟି ଆମର। ଏ ଖଣି ଆମର। ଆମ ଅଧିକାରର ସୁରକ୍ଷା ପାଇଁ ମୁଁ ଲଢ଼ିବି। ଏହି ଲଢେଇରେ ଓଡିଶାବାସୀ ସାମିଲ ହେବାକୁ ସେ ନିବେଦନ କରିଛନ୍ତି।

