Latest Odisha News

BREAKING NEWS

ନାରୀ ନିର୍ଯାତନାର ବୃଦ୍ଧି ପ୍ରସଙ୍ଗକୁ ନେଇ ଡିଆଇଜିଙ୍କ ଅଫିସ ସମ୍ମୁଖରେ ବିଜେଡିର ବିକ୍ଷୋଭ

ଭୁବନେଶ୍ୱର: ରାଜ୍ୟରେ ନାରୀ ନିର୍ଯାତନାର ଅହେତୁକ ବୃଦ୍ଧି ପ୍ରସଙ୍ଗକୁ ନେଇ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସ ଆଗରେ ବିଜେଡିର ବିକ୍ଷୋଭ । କୋରାପୁଟ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ଅହେତୁକ ଭାବେ ନାରୀ ନିର୍ଯାତନା ବୃଦ୍ଧି ପାଇଥିବା ଯୋଗୁଁ ବିଜୁ ଜନତା ଦଳ ତରଫରୁ ଶନିବାର ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ବିକ୍ଷୋଭ ପରେ ବିଜେଡି ତରଫରୁ ଡିଆଇଜିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସ୍ମାରକପତ୍ରରେ, ରାଜ୍ୟରେ ବିଜେପି ସରକାରଙ୍କ ୧୩ ମାସ ଶାସନରେ ନାରୀ ନିର୍ଯାତନା ବିଶେଷକରି ଦୁଷ୍କର୍ମ, ଗଣଦୁଷ୍କର୍ମ, ଅସଦାଚରଣ, ହତ୍ୟା ଆଦି ଘଟଣା ଅହେତୁକ ଭାବେ ବୃଦ୍ଧି ପାଇଛି । ସାରା ରାଜ୍ୟରେ ଏହି ଦୃଶ୍ୟ ଦେଖିବାକୁ ମିଳୁଥିବା ବେଳେ, ଅବିଭକ୍ତ କୋରାପୁଟ ଜିଲ୍ଲା ଏଥିରୁ ବାଦ୍ ପଡ଼ିନାହିଁ । ନିକଟରେ କୋରାପୁଟ ଜିଲ୍ଲାରେ ଘଟିଯାଇଥିବା ଦୁଇ ଦୁଇଟି ଦୁଷ୍କର୍ମ ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି ବୋଲି ସ୍ମାରକପତ୍ରରେ କୁହାଯାଇଛି । ମାଲକାନଗିରି ଜିଲ୍ଲାରେ ପନ୍ଦର ବର୍ଷର ଜଣେ ଅନୁସୂଚିତ ଜାତିର ନାବାଳିକାକୁ କିଛି ଘଣ୍ଟାର ବ୍ୟବଧାନରେ ଦୁଇ ଦୁଇ ଥର ଦୁଷ୍କର୍ମର ଶିକାର ହେବାକୁ ପଡିଛି । ପ୍ରଥମେ ତାକୁ ଉଠାଇ ନେଇ ୩ ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିଲେ । ଯେତେବେଳେ, ନାବାଳିକା ସେଇ ଯୌନ ପିଶାଚମାନଙ୍କ ଠାରୁ ମୁକ୍ତି ପାଇ ନିଜ ଘରକୁ ଫେରୁଥିବା ସମୟରେ, ଅଧା ରାସ୍ତାରେ ଆଉ ଜଣେ ଟ୍ରକ ଡ୍ରାଇଭର ତାକୁ ଉଠାଇ ନେଇ ଦୁଷ୍କର୍ମ କରିଛି । ଏହି ସରକାରଙ୍କ ସମୟରେ, ଡବଲ ଇଞ୍ଜିନ ସରକାରରେ ଡବଲ ଦୁଷ୍କର୍ମ ଭଳି ଏକ ଅବାଭନୀୟ କାଣ୍ଡ ଘଟିଛି ।

ସେହିପରି, ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ଜଣେ ନର୍ସିଂ ଛାତ୍ରୀ ମୁର୍ମୁଷୁ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି । ଛାତ୍ରୀ ଜଣଙ୍କ ଜୟପୁର ସହରର ବିଚ୍ ବଜାର ଉପରେ ଜଣେ ଦୁର୍ବୃତ୍ତ ଦ୍ୱାରା ଆକ୍ରମଣର ଶିକାର ହୋଇଥିଲା । ଏହି ଘଟଣା ଥାନାରେ ଏଫଆଇଆର ଦେବା ପରେ ଥାନା ଅଧିକାରୀଙ୍କ ଦ୍ୱାରା ଅଭିଯୁକ୍ତକୁ ଥାନାକୁ ଅଣାଯାଇ କିଛି ପଚରାଉଚରା ପରେ ଛାଡି ଦିଆଯାଇଥିଲା । ଏହାପରେ ଦୁର୍ବୃତ୍ତ ଜଣକ ପୀଡିତା ଛାତ୍ରୀଙ୍କ ଗାଁରେ ପହଞ୍ଚି ତା ସହିତ କୁକର୍ମ କରି ତାର ଭିଡିଓ ଭାଇରଲ କରି ତାକୁ ନିର୍ଯାତନା ଦେଇଛି । ଏହାପରେ, ପୀଡିତାଙ୍କ ଦାଦା ଥାନାରେ ଆଉ ଏକ ଏଫଆଇଆର ଦେଇଛନ୍ତି । ଡବଲ ଇଞ୍ଜିନ ସରକାରରେ ଡବଲ ଏଫଆଇଆର ଦେବାକୁ ପଡୁଛି, କିନ୍ତୁ ନ୍ୟାୟ ମିଳୁନାହିଁ । ପୀଡ଼ିତା ଛାତ୍ରୀ ଜଣକ ନ୍ୟାୟ ନପାଇବାରୁ ହତାଶ ହୋଇ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି ।

୨୦୨୪ ମସିହା ସେପ୍ଟେମ୍ୱର ୧୭ ତାରିଖ ଦିନ ତେନ୍ତୁଳିଖୁଣ୍ଟା ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକାର ମୃତଦେହ ଗୋଟିଏ ବୁଦାମୂଳରୁ ପୋଲିସକୁ ମିଳିଥିଲା । ନାବାଳିକା ଜଣକ ପୋଖରୀପାଣି ଯିବା ପାଇଁ ଘରୁ ବାହାରକୁ ଆସି ଆଉ ଫେରିନଥିଲା । ନାବାଳିକା ଜଣକ ଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ସନ୍ଦେହ କରାଯାଉଛି । ୨୦୨୫ ମସିହା ମେ’ ୩ ତାରିଖରେ ଆଉ ଜଣେ ଆଠ ବର୍ଷ ବୟସର ନାବାଳିକା ଗୁନେଇପଡା ଏସ୍ଟି, ଏସ୍ସି ହଷ୍ଟେଲରେ ଜଣେ କର୍ମଚାରୀ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲା । ହଷ୍ଟେଲ ଅଧିକାରୀ ପୀଡ଼ିତାକୁ ଚିକିତ୍ସିତ କରାଇବା ପରିବର୍ତ୍ତେ, ତା ଘରକୁ ପଠାଇ ଦେଇଥିଲେ । ସେହିପରି ୨୦୨୫ ମସିହା ଜୁଲାଇ ୨୫ ତାରିଖରେ କୋରାପୁଟ ଜିଲ୍ଲାର ବନ୍ଧୁଗାଁ ଅଞ୍ଚଳରେ ଜଣେ ୬ ବର୍ଷର ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲା । ଏହିଭଳି ଘଟଣାମାନ ଯୋଗୁଁ ଆଜି ଓଡ଼ିଶାର ନାଁ ମାଟିରେ ମିଶିଛି । ରାଜ୍ୟରେ ନାରୀମାନେ ଅସୁରକ୍ଷିତ ହୋଇପଡିଛନ୍ତି । ନାରୀମାନଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ପାଇଁ ବିଜୁ ଜନତା ଦଳ ଦାବି କରୁଛି ବୋଲି ସ୍ମାରକପତ୍ରରେ କୁହାଯାଇଛି ।

ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ନେତା ରବି ନନ୍ଦ, ମନୋହର ରନ୍ଧାରୀ, ପ୍ରଦୀପ ମାଝୀ, ଝିନ ହିକକା, ରମେଶ ମାଝୀ, ଭୃଗୁ ବକ୍ସିପାତ୍ରଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ବ୍ଲକ, ମ୍ୟୁନିସିପାଲିଟି ଓ ଏନଏସିର ବିଜେଡି ନିର୍ବାଚିତ ପ୍ରତିନିଧିମାନେ ସାମିଲ ଥିଲେ ।

Comments are closed.