Latest Odisha News

BREAKING NEWS

ମୟୂରଭଞ୍ଜର ଗଡ଼ିଆରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ମୋରଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ଗଡ଼ିଆ ଠାରେ ବିଜେଡ଼ି ପକ୍ଷରୁ ଶୁକ୍ରବାର ଦିନ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଛି । ଏହି ସଭାରେ ନିର୍ବାଚନ ମଣ୍ଡଳୀର ପ୍ରାୟ ସମସ୍ତ ପଞ୍ଚାୟତରୁ ଜନସାଧାରଣ ଯୋଗ ଦେବା ସହିତ ବିଜୁ ଜନତା ଦଳ ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ନିଜର ଶକ୍ତି ପ୍ରଦର୍ଶନ କରିଛି ।

ମୟୂରଭଞ୍ଜ ଜିଲ୍ଲାରେ ୯ଟି ବିଧାନସଭା ଏବଂ ଲୋକସଭା ଆସନରୁ ବିଜେଡ଼ି ପ୍ରତିନିଧି ପ୍ରତିନିଧିତ୍ୱ କରୁଛନ୍ତି । ଏହା ସତ୍ୱେ ଗତ ପଞ୍ଚାୟତ ନିର୍ବାଚନରେ ଦଳ ଶୋଚନୀୟ ପରାଜୟ ବରଣ କରିଥିଲା । ତେଣୁ ଦଳ ପକ୍ଷରୁ ଦକ୍ଷତା ଭିତ୍ତିରେ ଦଳ ୭ଟି ନିର୍ବାଚନ ମଣ୍ଡଳୀରେ ବିଧାୟକ ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ଚାହୁଁଥିବା ଦଳ ସୂତ୍ରରୁ ପ୍ରକାଶ । ଏଥିପାଇଁ ପ୍ରତି ନିର୍ବାଚନ ମଣ୍ଡଳୀ ଅଧୀନରେ ସମସ୍ତ ବ୍ଳକ ଲାଗି ପର୍ଯ୍ୟବେକ୍ଷକମାନେ ସିଧାସଳଖ ଲୋକଙ୍କ ସହିତ ଆଲୋଚନା କରି ତଥ୍ୟ ସଂଗ୍ରହ କରୁଛନ୍ତି ।

ତେବେ ଲୋକମାନେ ମଧ୍ୟ ନେତା ପରିବର୍ତ୍ତନ ଚାହୁଁଛନ୍ତି ବୋଲି ପର୍ଯ୍ୟବେକ୍ଷକମାନେ ଉପଲବ୍ଧୀ କରୁଛନ୍ତି ବୋଲି ଜଣାପଡ଼ିଛି । ଏବେ ଏହି ୭ଟି ନିର୍ବାଚନ ମଣ୍ଡଳୀ ଲାଗି ଆଶାୟୀ ପ୍ରାର୍ଥୀଙ୍କ ସୂଅ ଛୁଟିବାରେ ଲାଗିଛି । ବିଶେଷକରି ମୋରଡ଼ା ନିର୍ବାଚନ ମଣ୍ଡଳୀ ଜିଲ୍ଲାର ଏକମାତ୍ର ନିର୍ବାଚନ ମଣ୍ଡଳୀ ଯାହା ସାଧାରଣ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ । ଏହି ନିର୍ବାଚନ ମଣ୍ଡଳୀ ଲାଗି ଆଶାୟୀ ପ୍ରାର୍ଥୀଙ୍କ ଭିଡ଼ ପରିଲକ୍ଷିତ ମଧ୍ୟ ହେଉଛି ।

ବିଜେଡ଼ି ପକ୍ଷରୁ ମୋରଡ଼ାର ଗଡ଼ିଆଠାରେ ଅନୁଷ୍ଠିତ ହୋଇଥିବା ଏହି ବିଶାଳ ଜନ ସମାବେଶ ପୂର୍ବତନ ବିଜେଡ଼ି ଜିଲ୍ଲା ସଭାପତି ତଥା ପୂର୍ବତନ ଛାତ୍ର ଜନତା ଦଳର ସଭାପତି ଦେବାଶିଷ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ସ୍ଥାନୀୟ ବିଧାୟକ ଉପସ୍ଥିତ ନଥିଲେ ମଧ୍ୟ ବିଭିନ୍ନ ପଞ୍ଚାୟତ ସମିତି ଏବଂ ପଞ୍ଚାୟତ ସ୍ତରର ସମିତି ସଭ୍ୟ, ସରପଞ୍ଚ ତଥା ବିଭିନ୍ନ ତୃଣମୂଳସ୍ତରୀୟ ନେତାମାନେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.