ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ବୀମା କାର୍ଡର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ଏହା ସହିତ ହିତାଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ମଧ୍ୟ ବଣ୍ଟନ କରିଛନ୍ତି । ଏହି ପ୍ରରିପେକ୍ଷିରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ଡ଼ ଲେଖାଶ୍ରୀ ସାମନ୍ତସିଂହାର । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡ଼ ସାମନ୍ତସିଂହାର ରଥଯାତ୍ରା ପୂର୍ବରୁ ସାଢେ ୪ କୋଟି ଓଡିଶାବାସୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବାକୁ ଦାବି କରିଛନ୍ତି ।
ଡ଼ ସାମନ୍ତସିଂହାର ଆହୁରି ମଧ୍ୟ କହିଛନ୍ତି ଯେ, ୧୦ ମାସ ଧରି ଚେଷ୍ଟା କରି ମଧ୍ୟ ବିଏସ୍କେୱାଇ ଯୋଜନାରେ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ରାଜ୍ୟ ବିଜେପି ସରକାର । ସାରା ଦେଶରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଶ୍ରେଷ୍ଠ ଥିଲା ବୋଲି ଆଜି ପୁଣି ଥରେ ସ୍ୱୀକାର କରିଛନ୍ତି ରାଜ୍ୟ ସରକାର । କେବଳ କାର୍ଡ ର ନାଁ ପରିବର୍ତ୍ତନ କରିବାରେ ସକ୍ଷମ ହୋଇପାରିଛନ୍ତି କିନ୍ତୁ ବିଏସ୍କେୱାଇ ଯୋଜନାରେ କିଛି ବି ଯୋଡି ପାରିନାହାନ୍ତି । ବିଏସ୍କେୱାଇରେ ୩ କୋଟି ୫୬ ଲକ୍ଷ ହିତାଧିକାରୀ ଉପକୃତ ହୋଇଥିଲା ବେଳେ, ଆୟୁଷ୍ମାନ ଭାରତରେ ମାତ୍ର ୩ କୋଟି ୫୧ ଲକ୍ଷ ହିତାଧିକାରୀ ସାମିଲ ହେବା ଦୁର୍ଭାଗ୍ୟଜନକ ।
କେଉଁ ଆଧାରରେ ଓ କେଉଁ ହିତାଧିକାରୀମାନଙ୍କୁ ଯୋଜନାରୁ ବଞ୍ଚିତ କରାଗଲା ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ । ଆୟୁଷ୍ମାନ ଭାରତ ଯୋଜନା ବାବଦରେ ବିଜେପି ଡିଣ୍ଡିମ ପିଟୁଥିଲା ବେଳେ ସିଏଜି ତାଙ୍କ ରିପୋର୍ଟରେ ଏଥିରେ ବ୍ୟାପକ ଆର୍ଥିକ ଅନିୟମିତତା, ଦୁର୍ନୀତି ଓ ସ୍ୱାସ୍ଥ୍ୟସେବାରେ ଅବ୍ୟବସ୍ଥା ଥିବା ଉଲ୍ଲେଖ କରିଛନ୍ତି ।
୨୦୧୩-୧୪ରେ ଓଡିଶାରେ ବିଜୁ କୃଷକ କଲ୍ୟାଣ ଯୋଜନା ‘ନାଁ’ରେ ଦେଶର ପ୍ରଥମ ସ୍ୱାସ୍ଥ୍ୟ ବୀମା ଯୋଜନା ପ୍ରଣୟନ କରି ନବୀନ ପଟ୍ଟନାୟକ ଉଦାହରଣ ସୃଷ୍ଟି କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୮ ଅଗଷ୍ଟ ମାସରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଆସ୍ୟୁରାନ୍ସ ମୋଡ୍ରେ ଓଡିଶାରେ ଲାଗୁ କରିଥିଲେ । କେବଳ ନାଁ ପରିବର୍ତ୍ତନ କରି ଆଜି ରାଜ୍ୟରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା, ବିଏସ୍କେୱାଇର ଅବିକଳ ନକଲ । ସମଗ୍ର ଦେଶରେ ସ୍ୱାସ୍ଥ୍ୟସେବା ଲାଗି ଲୋକଙ୍କ ପକେଟରୁ ଖର୍ଚ୍ଚ କମାଇବାରେ ବିଏସ୍କେୱାଇ ଯୋଜନା ପ୍ରଣୟନ କରି ଓଡିଶା ଶ୍ରେଷ୍ଠ ସ୍ଥାନ ହାସଲ କରିଥିଲା । ଉତ୍ତରପ୍ରଦେଶ ୧୩ ପ୍ରତିଶତ, ମହାରାଷ୍ଟ୍ର ୨୦ ପ୍ରତିଶତ ଖର୍ଚ୍ଚ କମାଇପାରିଥିଲା ବେଳେ ଓଡିଶା ୩୭ ପ୍ରତିଶତ ଖର୍ଚ୍ଚ କମାଇବାରେ ସକ୍ଷମ ହୋଇଥିଲା ।
ସମସ୍ତଙ୍କୁ ବିଏସ୍କେୱାଇରେ ସାମିଲ କରିବା ପାଇଁ ନବୀନ ପଟ୍ଟନାୟକ ଯୋଜନା କରିଥିଲେ । ରାଜ୍ୟର ବିଜେପି ସରକାର ଆଗାମୀ ରଥଯାତ୍ରା ପୂର୍ବରୁ ପ୍ରତ୍ୟେକ ଓଡିଆଙ୍କୁ ଏହି ଯୋଜନାରେ ସାମିଲ କରିବା ସହ ପୁରୁଷଙ୍କୁ ୧୦ ଲକ୍ଷ ଓ ମହିଳାଙ୍କୁ ୧୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ସୁବିଧା ଯୋଗାଇ ଦେଲେ ଡବଲ ଇଂଜିନ ସରକାର ପ୍ରକୃତରେ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ କାମ କରୁଥିବା ଜଣାପଡିବ ବୋଲି ଡ଼ ସାମନ୍ତସିଂହାର କହିଛନ୍ତି ।
Comments are closed.