Latest Odisha News

BREAKING NEWS

ନୂଆପଡା ଉପନିର୍ବାଚନରେ ସରକାରୀ କଳର ଅପବ୍ୟବହାର ସତ୍ତ୍ୱେ, ବିଜେଡି ବିଜୟ ହେବ: ବିଜେଡି

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନରେ ବିଜେପି ସରକାରୀ କଳର ଅପବ୍ୟବହାର କରିଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ । ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜେଡି ଅଭିଯୋଗ କରିଛି । ଏହାସତ୍ତ୍ୱେ, ବିଜୁ ଜନତା ଦଳର ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଦୃଢୋକ୍ତି କରିଛି ବିଜେଡି ।

ଶଙ୍ଖ ଭବନରେ ବୁଧବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତ୍ରୀ ତଥା ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ଟୁକୁନି ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ, ନୂଆପଡା ଉପନିର୍ବାଚନରେ ହୋଇଥିବା ବିଭିନ୍ନ ଅନିୟମିତତା ଓ ସରକାରୀ କଳର ଅପବ୍ୟବହାରର ବିସ୍ତୃତ ତାଲିକା ପ୍ରଦାନ କରିବା ସହିତ ଏହା ଗଣତନ୍ତ୍ରର କଣ୍ଠରୋଧ ବୋଲି କହିଥିଲେ ।

ପ୍ରମିଳା ମଲ୍ଲିକ କହିଥିଲେ, ବିଜେପି ଦ୍ୱାରା କରାଯାଇଥିବା ବିଭିନ୍ନ ଆଚରଣ ବିଧି ଉଲ୍ଲଂଘନ ଗୁଡିକୁ ଆମେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ, ଯାହାକୁ ଆପଣ ମାନେ ଗଣମାଧ୍ୟମରେ ପ୍ରକାଶ କରିଥିଲେ । ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଶାଢ଼ୀ ଓ ଟଙ୍କା ବଣ୍ଟନ କରାଗଲା ଯାହାର ପ୍ରାମାଣିକ ତଥ୍ୟ ସହିତ ଆମେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିଲୁ । ସେହିପରି, ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ବାସସ୍ଥଳୀ ଉପରେ ବିନା ସର୍ଚ୍ଚ ୱାରେଣ୍ଟରେ ଚଢ଼ାଉ କରାଯାଇଥିଲା ଓ ବିଜେଡିର ସ୍ଥାନୀୟ ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ କରାଯାଇଥିଲା । ନବୀନ ପଟ୍ଟନାୟକଙ୍କ ହେଲିକେପ୍ଟରକୁ ତିନି ଘଣ୍ଟା କାଳ ବିଳମ୍ୱ କରାଯାଇଥିଲା । ସାଇଲେଣ୍ଟ ପିରିଅଡରେ ବିରୋଧୀ ଦଳର ନେତା ମାନେ ନିର୍ବାଚନ ମଣ୍ଡଳୀ ଅଞ୍ଚଳ ଛାଡି ଦେଇଥିବା ବେଳେ ବିଜେପିର ନେତା ମାନେ ସେଠାରେ ଉପସ୍ଥିତ ରହି ଟଙ୍କା ବଣ୍ଟା କାର୍ଯ୍ୟ ଜାରି ରଖିଥିଲେ ।

ନିର୍ବାଚନ ଚାଲିଥିବା ବେଳେ ବିଜେପି ତରଫରୁ ବୁଥ ଭିତରେ କ୍ୟାମ୍ପେନିଂ କରାଯାଉଥିଲା । ନିର୍ବାଚନ ଅଧିକାରୀଙ୍କ ପାଖରେ ଏହି ଉଲ୍ଲଂଘନ କାର୍ଯ୍ୟର ପ୍ରମାଣ ସହିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା । ବିଜେପିର ସମସ୍ତ ଆଇନ ଉଲ୍ଲଂଘନ ଉଦ୍ୟମ ସତ୍ତ୍ୱେ, ନୂଆପଡା ବାସୀ ବିଜେଡିକୁ ଅକୁଣ୍ଠ ସମର୍ଥନ ଜଣାଇଛନ୍ତି । ତେଣୁ, ଚଉଦ ତାରିଖ ଦିନ ଫଳାଫଳ ଘୋଷଣା ହେବା ବେଳେ ବିଜେଡି ପ୍ରାର୍ଥୀନୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ବିଜୟୀ ହେବେ ବୋଲି ଶ୍ରୀମତୀ ମଲ୍ଲିକ ଦୃଢୋକ୍ତି କରିଥିଲେ ।

ଟୁକୁନି ସାହୁ କହିଥିଲେ, ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କ୍ଷେତ୍ରରେ ଏବଂ ସରକାରୀ କଳର ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରିବାରେ, ବିଜେପି ସମସ୍ତ ସୀମା ଉଲ୍ଲଂଘନ କରିଛି, ଯାହା ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀ ମାନେ ବିଜେପିର ଏଜେଣ୍ଟ ଭଳି ବ୍ୟବହାର କରୁଥିଲେ । ୨୫୦ ନମ୍ୱର ବୁଥରେ ଇଭିଏମରେ ଭୋଟିଂ ବେଳେ ଯେ କୌଣସି ବଟନ ଚିପିଲେ ପଦ୍ମଫୁଲକୁ ଭୋଟ ଯାଉଛି ବୋଲି ଅଭିଯୋଗ ଆସି ସେଠାରେ ଉତ୍ତେଜନା ଦେଖା ଦେଇଥିଲା । କିନ୍ତୁ ତାକୁ ମଧ୍ୟ ଚାପି ଦିଆ ଯାଇଥିଲା । ଏଇ ସବୁକୁ ଅନୁଶୀଳନ କଲେ, ନୂଆପଡା ଉପନିର୍ବାଚନରେ ମୁକ୍ତ ଓ ଅବାଧ ନିର୍ବାଚନ ହେବା ଉକ୍ତି ଏକ ପ୍ରହସନରେ ପରିଣତ ହୋଇଥିଲା ।

Comments are closed.